ଜ୍ଞାନବାପୀ ମନ୍ଦିର-ମସଜିଦ ବିବାଦ: ୱୱେସି କହିଲେ ପ୍ରଳୟ ପର୍ଯ୍ୟନ୍ତ ରହିବ ମସଜିଦ, ଓକିଲ କହିଲେ ସବୁ ବିକ୍ରି ହୋଇ ଯାଇଛନ୍ତି

1 min read

ନୂଆଦିଲ୍ଲୀ,ବାରଣାସୀ: ଜ୍ଞାନବାପୀ ମସଜିଦ ବିବାଦ ଉପରେ ଆଜି ସ୍ଥାନୀୟ ଜିଲ୍ଲା ଅଦାଲତ ଦେଇଥିବା ଆଦେଶକୁ ନେଇ ବର୍ଷିଛନ୍ତି ଏମଆଇଏମ୍ ନେତା ଅସଦଉଦ୍ଦିନ ୱୱେସୀ । ୱୱେସୀ କହିଛନ୍ତି ଏଭଳି ନିଷ୍ପତି ଦ୍ୱାରା ୧୯୯୧ର ପୂଜାସ୍ଥଳ ଆଇନର ଅର୍ଥ ହିଁ ସମାପ୍ତ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜ୍ଞାନବାପୀ ମସଜିଦ ମାମଲା ବାବରୀ ମସଜିଦ ରାସ୍ତାରେ ଯାଉଥିବା ଭଳି ଲାଗୁଛି । ଏଭଳି ହେଲେ ଦେଶ ୮୦-୯୦ ଦଶକକୁ ଫେରିଯିବ ।

ୱୱେସି ଏହା ମଧ୍ୟ କହିଛନ୍ତି ଯେ, ଜିଲ୍ଲା କୋର୍ଟଙ୍କ ନିଷ୍ପତି ବିରୋଧରେ ମୁସଲିମ ପକ୍ଷ ହାଇକୋର୍ଟରେ ଅପିଲ କରୁ । ମସଜିଦର ଦେଖାଶୁଣା କରୁଥିବା ଇନ୍ତଜାମିଆ କମିଟି ଏହି ନିଷ୍ପତି ବିରୋଧରେ ହାଇକୋର୍ଟ ଯାଉ ବୋଲି ସେ କହିଛନ୍ତି ।

ଦସ୍ତାବିଜ୍ ଅନୁସାରେ ଏହା ମସଜିଦ

ୱୱେସୀ କହିଛନ୍ତି ଯେ, ୱାକଫ୍ ବୋର୍ଡର ୧୯୪୨ ଗେଜେଟରେ ଏହାକୁ ମସଜିଦ ଓ ମସଜିଦ୍ ୱାକଫ ବୋର୍ଡର ସମ୍ପତି ବୋଲି କୁହାଯାଇଛି । ବାବ୍ରି ମସଜିଦ ରାୟ ଆସିଥିବା ବେଳେ ମୁଁ କହିଥିଲି ଯେ, ଆଗକୁ ଆହୁରି ସମସ୍ୟା ଉତ୍ପନ ହେବ । ଅଦାଲତର ଏହି ନିଷ୍ପତି ଦ୍ୱାରା ଦେଶ ଅସ୍ଥିର ହେବ ।

ସୂଚନାଯୋଗ୍ୟ ଯେ, ଆଜିର ଆଦେଶରେ ଅଦାଲତ ହିନ୍ଦୁ ପକ୍ଷର ଯୁକ୍ତିକୁ ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ମୁସଲିମ ପକ୍ଷର ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଥିଲେ । ମୁସଲିମ ପକ୍ଷ ଯୁକ୍ତି କରିଥିଲା ଯେ, ଜ୍ଞାନବାପୀ କ୍ଷେତ୍ରରେ ୧୯୯୧ର ପୂଜାସ୍ଥଳ ଆଇନ ଲାଗୁ ହେଉଛି । ଅର୍ଥାତ ଜ୍ଞାନବାପୀର ସ୍ୱରୂପକୁ ବଦଳା ଯାଇ ପାରିବ ନାହିଁ । କିନ୍ତୁ ଅଦାଲତ ଏହାକୁ ମାନିନଥିଲେ  ।

ଓକିଲ କହିଲେ ସବୁ ବିକ୍ରି ହୋଇଯାଇଛନ୍ତି

ଅଦାଲତଙ୍କ ନିଷ୍ପତି ପରେ ହିନ୍ଦୁ ପକ୍ଷ ଉତ୍ସବ ମନାଇଥିଲା । ଅନ୍ୟପକ୍ଷରେ ମୁସଲିମ୍ ପକ୍ଷର ଓକିଲ ଏହା ବିରୋଧରେ ହାଇକୋର୍ଟ ଯିବେ ବୋଲି କହିଥିଲେ । ଏହା ସହିତ ସେ ସମସ୍ତେ ବିକ୍ରି ହୋଇଯାଇଛନ୍ତି ଭଳି ବିବାଦୀୟ ବୟାନ ମଧ୍ୟ ଦେଇଥିଲେ । ସେହିପରି ଏଆଇଏମଆଇଏମ ମୁଖ୍ୟ ୱୱେସୀ କହିଛନ୍ତି ଯେ ପ୍ରଳୟ ପର୍ଯ୍ୟନ୍ତ ମସଜିଦ ଥିଲା ଓ ମସଜିଦ ରହିବ  ।