ଓଭରହେଡ୍‌ ଟାଙ୍କି ଅଛି ସତ ହେଲେ କାମରେ ଆସୁନି, ପାଣି ପାଇଁ ମାଇଲିଏ ବାଟ ଚାଲୁଛନ୍ତି ମହିଳା

Water Scarcity

ଗଞ୍ଜାମ: କଲବଲ କଲାଣି ତାତି । ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଗ୍ରାଷ୍ମ ଆରମ୍ଭରୁ ଗାଁରେ ପାଣି ସମସ୍ୟା । ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ପରିତ୍ୟକ୍ତ କୂଅ ଶୋଷ ମେଣ୍ଟାଉଥିବା ବେଳେ ପାଣି ପାଇଁ ମାଇଲମାଇଲ ବାଟ ଚାଲୁଛନ୍ତି ଗାଁର ମହିଳା । ଓଭରହେଡ୍ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ହେଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଖରା ଆରମ୍ଭରୁ ଉତ୍କଟ ଜଳ ସମସ୍ୟା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବଳରାମପୁରବାସୀ ।

ଗାଁରେ ଓଭରହେଡ୍ ଟାଙ୍କି ଥାଇ ମଧ୍ୟ ତାହା କାମରେ ଲାଗୁନି । ସରକାର ଗାଁରେ ଲୋକଙ୍କୁ ସବୁ ସୁବିଧା ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ମୁନାଫାଖୋର ଅଧିକାରୀଙ୍କ ଅବହେଳା ଯୋଗୁଁ ଏବେ ବି ସରକାରଙ୍କ ସବୁ ଯୋଜନା ସମାଜର ଶେଷ ପାହାଚ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହାନ୍ତି । ତେବେ ଗାଁରେ ଥିବା ଓଭରହେଡ୍‌ ଟଙ୍କି ଥାଇ ମଧ୍ୟ, ଏହାର ରକ୍ଷଣା ବେକ୍ଷଣ କରାଯାଉ ନଥିବାରୁ ଗାଁର ମହିଳାମାନେ ମାଇଲ ମାଇଲ ବାଟ ଚାଲୁଛନ୍ତି ପିଇବା ପାଣି ମୁନ୍ଦାଏ ଆଣିବା ପାଇଁ । ଆଉ ପରିତ୍ୟକ୍ତ କୂଅର ପାଣିକୁ ବ୍ୟବହାର କରି ରୋଗାଗ୍ରସ୍ତ ହୋଉଥିବା ଅଭିଯୋଗ କରିଛନ୍ତି ସେହି ଗାଁର ଲୋକମାନେ ।

ତେବେ ସବୁଠାରୁ ବଡ଼ କଥା ହେଲା, ବଳରାମପୁରରେ ଜଳ ସମସ୍ୟା ଆଜିର କି କାଲିର ନୁହେଁ । ବର୍ଷ ବର୍ଷ ଧରି ଗାଁରେ ଏଭଳି ସମସ୍ୟା ଲାଗି ରହିଛି । ପଞ୍ଚାୟତ ଠାରୁ ବ୍ଲକ୍‌ ପର୍ଯ୍ୟନ୍ତ ସବୁଠି ଲୋକେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ଆସିକା ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀ ଜାଣିବା ପରେ ଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବଳରାମପୁରରେ ଅନେକ ଦିନ ହେଲା ଏହି ଜଳ ସମସ୍ୟା ଲାଗି ରହିଥିବା ବେଳେ ଦେଖିବାକୁ ବାକି ରହିଲା କେବେ ହେଉଛି ଏହି ସମସ୍ୟାର ସମାଧାନ ।

Leave a Reply