କାହିଁକି ବାଂଲାଦେଶରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ?
ଢାକା: ବାଂଲାଦେଶକୁ ନାକେଦମ କଲାଣି ଡେଙ୍ଗୁ । ଦେଶର ଅଧିକାଂଶ ହସ୍ପିଟାଲରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଏଯାଏଁ ୭୮ ହଜାରରୁ ଉର୍ଦ୍ଧ୍ବ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେଲେଣି । ପାଣିପାଗ ପରିବର୍ତ୍ତନ ଯୋଗୁଁ ବାଂଲାଦେଶରେ ବଢିଯାଇଛି ମଶାଙ୍କ ପ୍ରାଦୁର୍ଭାବ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୪୦୦ରୁ ଊର୍ଦ୍ଧ୍ବ ଲୋକେ ଡେଙ୍ଗୁରେ ପ୍ରାଣ ହରାଇ ସାରିଲେଣି । କେବଳ ନଭେମ୍ବର ମାସରେ ଡେଙ୍ଗୁରେ ଚିକିତ୍ସିତ ହେଉଛନ୍ତି ୪ ହଜାର ୧୭୩ ରୋଗୀ । ରାଜଧାନୀ ଢାକାରେ ଅଛନ୍ତି ୧୮୩୫ ରୋଗୀ । କାହିଁକି ବାଂଲାଦେଶରେ ହଠାତ୍ ବଢିଯାଇଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଏହାର କାରଣ ହେଉଛି ତାପମାତ୍ରା ବୃଦ୍ଧି ସାଙ୍ଗକୁ ଅକ୍ଟୋବରରେ ଅଦିନିଆ ବର୍ଷା । ଯାହାକି ମଶାଙ୍କ ବଂଶବୃଦ୍ଧି କରିବାରେ ସହାୟକ ହୋଇଥାଏ ।
ଗତବର୍ଷ ବାଂଲାଦେଶରେ ଡେଙ୍ଗୁରେ ୧୭୦୫ ମୃତ୍ୟୁ ହୋଇଥିବାବେଳେ ୩ ଲକ୍ଷରୁ ଊର୍ଦ୍ଧ୍ବ ସଂକ୍ରମିତ ହୋଇଥିଲେ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ହସ୍ପିଟାଲରେ ଡେଙ୍ଗୁ ରୋଗୀ ଭର୍ତ୍ତି ଯୋଗୁଁ ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି । ଲୋକଙ୍କୁ ମଶା ଦାଉରୁ ରକ୍ଷା ପାଇଁ ମଶାରୀ ଟାଙ୍ଗି ଶୋଇବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ସେହିପରି ଆଖପାଖ ଅଞ୍ଚଳରେ ପାଣି ଜମା ନ ରଖିବାକୁ ଆଡଭାଇଜରୀ ଜାରି କରାଯାଇଛି ।
ଗ୍ରାମାଞ୍ଚଳ ଲୋକେ ଠିକ୍ ସମୟରେ ଚିକିତ୍ସା ନ କରାଉ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ଗୁରୁତର ନ ହେବା ପର୍ଯ୍ୟନ୍ତ ରୋଗୀ ପରୀକ୍ଷା କରାଉ ନଥିବାରୁ ଏଭଲି ସମସ୍ୟା ଦେଖାଦେଇଛି ।