ସ୍ଥାୟୀ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ: ବିରୋଧୀରେ ଥିବାବେଳେ ଦେଖାଇଥିଲ ଦରଦ, କ୍ଷମତା ପାଇବା ପରେ ଭୂଲିଗଲ କେମିତି ?

ଭୁବନେଶ୍ବର: ଆଲୋଚନା କରୁନାହାନ୍ତି କି ସ୍ଥାୟୀ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ କରୁନାହନ୍ତି । ଏଥରକ ଆରପାର ଲଢ଼େଇ । ଆସନ୍ତା ୨୬ ତାରିଖରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆନ୍ଦୋଳନକୁ ଓହ୍ଲାଇବେ ୭୦ ହଜାର ସରକାରୀ ଆଉଟସୋର୍ସିଂ କର୍ମଚାରୀ । ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ମହାସଂଘ କହିଛି, ମୋହନ ସରକାରଙ୍କୁ ୩୦ରୁ ଅଧିକ ସ୍ମାରକପତ୍ର ପ୍ରଦାନ ପରେ ବି ଆଲୋଚନାକୁ ଡାକୁ ନାହାନ୍ତି । ପୂର୍ବ ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ସହିତ ମାତୃତ୍ବ କାଳୀନ ଛୁଟି ଦାବି ପୂରଣ କରିଥିଲେ ।

ବିରୋଧୀରେ ଥିଲ, ଦରଦ ଦେଖାଉଥିଲ । ଏବେ କ୍ଷମତା ପାଇବା ପରେ ଭୁଲିଗଲ । ସରକାରଙ୍କ ସ୍ଥାୟୀ ନିଯୁକ୍ତି ପ୍ରତିଶ୍ରୁତି ପାଣିର ଗାର । ମୋହନ ସରକାରଙ୍କୁ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ ଚରମ ଚେତାବନୀ । ସ୍ଥାୟୀ ନିଯୁକ୍ତି ଦିଅ, ନ ହେଲେ ଆସନ୍ତା ୨୬ ତାରିଖରୁ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟବନ୍ଦ ଆନ୍ଦୋଳନ । କମ୍ପିବ ଭୁବନେଶ୍ବର ଗାନ୍ଧୀମାର୍ଗ । ଏକାଠି ହେବେ ୭୦ ହଜାର କର୍ମଚାରୀ ।

ପୂର୍ବ ନବୀନ ସରକାର ଦରମା ବୃଦ୍ଧି କଲେ । ମାତୃତ୍ବ କାଳୀନ ଛୁଟି ଦେଲେ । ସମାନ କାମକୁ ସମାନ ଦରମା । ଏବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରୋଧୀ ଦଳରେ ଥିବାବେଳେ କର୍ମଚାରୀଙ୍କ ଦାବି ଯୁକ୍ତିଯୁକ୍ତ, କ୍ଷମତାକୁ ଆସିଲେ ତୁରନ୍ତ ସ୍ଥାୟୀ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଥଚ ସ୍ଥାୟୀ ନିଯୁକ୍ତି କ’ଣ ଦେବେ ଏବେ କଥା କଥାକେ ମିଳୁଛି ଛଟେଇ ଧମକ । ବହୁତ ହେଲା ଆଉ ନୁହେଁ । ଏଣିକି ଦାବି ପୂରଣ ନ ହେବା ଯାଏଁ ଚାଲିବ ଲଢ଼େଇ । ସ୍ଥାୟୀ ସରକାରୀ କର୍ମଚାରୀ ୮ ଘଣ୍ଟା କାମ କରୁଛନ୍ତି । କିନ୍ତୁ ଆଉଟସୋର୍ସିଂ କର୍ମଚାରୀଙ୍କୁ ୧୨ ଘଣ୍ଟା କାମରେ ଲଗାଯାଉଛି । ତା’ପୁଣି ୫ ହଜାରରୁ ୯ ହଜାର ଟଙ୍କା ମାସିକ ଦରମାରେ । ସରକାର ପରିବର୍ତ୍ତନ ପରେ ୩୦ରୁ ଅଧିକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲାଣି । ଅଥଚ ଏ ପର୍ଯ୍ୟନ୍ତ ଥରୁଟିଏ ବି ସରକାର କର୍ମଚାରୀଙ୍କ ସହ ଆଲୋଚନା କରିନାହାନ୍ତି । ଏ କିଭଳି ସରକାର? ସବୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ୧୨ ତାରିଖରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏବେ ବି କଳାବ୍ଯାଜ ପିନ୍ଧି କର୍ମଚାରୀ ପ୍ରତିବାଦ ଜାରି ରଖିଛନ୍ତି ।

ଓଡ଼ିଶାର ଡବଲ ଇଞ୍ଜିନ ସରକାର କେବଳ ଫମ୍ପା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ବିଜେପି ଶାସିତ ଉତ୍ତରପ୍ରଦେଶ ସରକାର ଆଉଟସୋର୍ସିଂ ବଦଳରେ ସମସ୍ତ କର୍ମଚାରୀଙ୍କୁ ନିଗମ ଅଧୀନକୁ ଆଣି ସ୍ଥାୟୀ କରିବାକୁ ଘୋଷଣା କରିଛନ୍ତି । ହରିୟାଣା, ଦିଲ୍ଲୀ, ପଞ୍ଜାବ ସରକାର ଏଭଳି କର୍ମଚାରୀଙ୍କୁ ସ୍ଥାୟୀ କରିସାରିଥିବାବେଳେ ପଶ୍ଚିମବଙ୍ଗ ସରକାର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୨୬ ହଜାରରୁ ୪୬ ହଜାରକୁ ବୃଦ୍ଧି କରିଛନ୍ତି । ଅଥଚ ଓଡ଼ିଶାରେ ଖୋଦ ମୁଖ୍ୟମନ୍ତ୍ରୀ କଥା ଦେଇ ଭଣ୍ଡାଇ ଚାଲିଛନ୍ତି । ରାଜ୍ୟ ସରକାର ଯଦି ମହାସଂଘ ସହ ଆଲୋଚନା କରି ଦାବି ପୂରଣ ନିମନ୍ତେ ସଂକଳ୍ପ ଜାରି ନ କରନ୍ତି ତା’ହେଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି କର୍ମଚାରୀ ଚେତାବନୀ ଦେଇଛନ୍ତି ।

ନିୟମିତ କର୍ମଚାରୀଙ୍କ ପରି ସବୁ କାମ, ହେଲେ ଦରମା ପାଇବେ ଦିନ ମଜୁରିଆ ଭଳି । ଠିକା କର୍ମଚାରୀ ବ୍ୟବସ୍ଥାକୁ ପୂର୍ବ ସରକାର ଉଠାଇ ଦେଇଥିଲେ । ଏବେ ଆଉଟ୍ସୋର୍ସିଂ କର୍ମଚାରୀଙ୍କ ବେଳକୁ ମୋହନ ସରକାର ନିଦା ବିଷ୍ଣୁ । ବିକଶିତ ଓଡ଼ିଶା ପାଇଁ ଯେଉଁମାନେ ରାତିଦିନ ଏକାଠି କାମ କରୁଛନ୍ତି ସେମାନେ କଣ ସରକାରଙ୍କ ସାବତ ପୁଅ ? ଯାହାକୁ ନେଇ ସବୁ ମହଲରେ ପ୍ରକାଶ ପାଇଛି ଉଦବେଗ ।