ସରକାରଙ୍କୁ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ଚେତାବନୀ, ଦାବି ପୂରଣ ନକଲେ ଆନ୍ଦୋଳନ

1 min read

ଭୁବନେଶ୍ବର: ଛଟେଇ ବନ୍ଦ କର । ମୂଲିଆ ମଜୁରୀ ବଦଳରେ ଚଳିବା ଭଳି ଦରମା ଦେଇ ସ୍ଥାୟୀ କର । ନଚେତ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ । ଅଭିଯୋଗ ଦେଇ ଦେଇ ଥକିବା ପରେ ରାଜ୍ୟ ସରକାରଙ୍କୁ ଏପରି ସିଧାସିଧା ଚେତାବନୀ ଦେଇଛି ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ । ମହାସଂଘ ଅଭିଯୋଗ କରିଛି ଏବେର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳରେ ଥିବାବେଳେ କର୍ମଚାରୀଙ୍କ ସ୍ବାର୍ଥ ନେଇ ଗୃହରେ ସ୍ବର ଉଠାଇଥିଲେ । ହେଲେ ଏବେ କ୍ଷମତାକୁ ଆସିବା ପରେ ପୂରା ଚୁପ । ଏପରିକି ପୂର୍ବ ସରକାର ଆଉଟସୋର୍ସିଂ କର୍ମଚାରୀଙ୍କୁ ଯେଉଁ ସୁବିଧା ଦେଇଥିଲେ ତାକୁ ବି ବନ୍ଦ କରିଦେଇଛନ୍ତି ଏବେର ସରକାର ।

ସରକାରଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛି ଆଉଟସୋର୍ସିଂ sର୍ମଚାରୀ ମହାସଂଘ । ସଂଘ ପକ୍ଷରୁ ପଚରା ଯାଇଛି ବିରୋଧୀ ଦଳରେ ଥିବା ବେଳେ ଦରଦ ଦଖାଉଥିଲ, କ୍ଷମତାକୁ ଆସିବା ପରେ ପଲଟି ଗଲ କେମିତି ? ଆଉଟସୋର୍ସିଂ କର୍ମଚାରୀ ଭାବେ ସରକାରଙ୍କୁ ଲହୁ, ଲୁହ ରକ୍ତ ଦେଲୁ । ଏବେ ଛଟେଇ କରୁଛ କାହିଁକି ? ଛଟେଇ ବନ୍ଦ କରି ସ୍ଥାୟୀ ନିଯୁକ୍ତି ଦିଅ । ନଚେତ୍ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ରାଜରାସ୍ତାକୁ ଓହ୍ଲାଇବୁ ।

ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଛି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେତେବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ଥିଲେ, ସେତେବେଳେ ଆଉଟସୋର୍ସିଂ କର୍ମଚାରୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି ବିଧାନସଭାରେ ବଡ଼ ପାଟି କରି ଗୃହ କମ୍ପାଉ ଥିଲେ । ପ୍ରତିଶ୍ରୁତି ଦେଇଥିଲେ ବିଜେପି କ୍ଷମତାକୁ ଆସିଲେ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବା ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ । ଏବେ କ୍ଷମତାକୁ ଆସିବା ପରେ ଦୁଃଖ ବୁଝିବେ କ’ଣ, ପ୍ରତିଦିନ କର୍ମଚାରୀ ଛଟେଇ କରୁଛନ୍ତି । ଏବେ ସୁଦ୍ଧା ପ୍ରାୟ ୫ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରାଗଲାଣି । ୧୦ରୁ ୧୫ ହଜାର ଟଙ୍କା ଦରମାରେ ବିତିଲାଣି ଅଧା ବୟସ । ଏବେ ଛଟେଇ କଲେ କୁଆଡ଼େ ଯିବୁ, କ’ଣ କରିବୁ ବୋଲି ପ୍ରଶ୍ନ କରିଛନ୍ତି । ଡାଟା ଏଣ୍ଟ୍ରି ଅପରେଟର ଭାବେ ସରକାରଙ୍କ ହାତ ପାଦ ଭଳି କାମ କରୁଛୁ । ଦିନ ମଜୁରିଆ ଭାବେ ପାରିଶ୍ରମିକ ନଦେଇ ପରିବାର ଚଳାଇବା ଭଳି ଦରମା ଦେବାକୁ ଦାବି କରିଛି ମହାସଂଘ ।

ବିଜେଡି ସରକାର ଥିବାବେଳେ ଆଉଟସୋର୍ସିଂ କର୍ମଚାରୀଙ୍କୁ ଯେଉଁ ସୁବିଧା ମିଳୁଥିଲା ତାକୁ ବି ବନ୍ଦ କରିଦେଇଛନ୍ତି ମୋହନ ସରକାର । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ କର୍ମଚାରୀଙ୍କ ଦରମାରେ ୨୫ ପ୍ରତିଶତ ବୃଦ୍ଧି ହୋଇଥିଲା । ମହିଳା କର୍ମଚାରୀଙ୍କୁ ବର୍ଷକୁ ଦୁଇଥର ମାତୃତ୍ବ ଛୁଟି ମଞ୍ଜୁର କରାଯାଇଥିଲା । କର୍ମଚାରୀ ବର୍ଷକୁ ୧୨ଟି ସାମୟିକ ଛୁଟି ପାଇବା ପାଇଁ ହକଦାର ବୋଲି ସର୍ତ୍ତାବଳୀ ଲାଗୁ କରିଥିଲେ । କିନ୍ତୁ ଏହାକୁ ପାଳନ କରିବେ କ’ଣ ଓଲଟି ସମ୍ପୂର୍ଣ୍ଣ କର୍ମଚାରୀ ମାରଣ ନୀତି ଆପଣାଇଛନ୍ତି ଏବେର ସରକାର । କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହିତ ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୬୦ରୁ ୭୦ଟି ଦରଖାସ୍ତ ଦିଆଗଲାଣି । ଜଙ୍ଗଲ ଓ ସ୍ବାସ୍ଥ୍ୟ ବିଭାଗରେ ବେଶୀ ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି । ଏପରିକି ସ୍ବାସ୍ଥ୍ୟ ବିଭାଗ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ଚାଲିଛି । କିନ୍ତୁ କର୍ମଚାରୀଙ୍କ ଗୁହାରୀ ଶୁଣିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ଏପରିକି ଆଉଟସୋର୍ସିଂ କର୍ମଚାରୀ ମନ୍ତ୍ରୀଙ୍କୁ ଦେଖା କରିବାକୁ ଅନୁମତି ମାଗି ଥକିଲେଣି ପଛକେ ଭେଟି ପାରୁ ନଥିବା ଅଭିଯୋଗ ହୋଇଛି ।

ଆଉଟସୋର୍ସିଂ କର୍ମଚାରୀଙ୍କ ଆପତ୍ତି ଅଭିଯୋଗର ପ୍ରତିବିଧାନ ପାଇଁ ଗୋଟିଏ ଓମ୍ବୁଡ୍ସମ୍ୟାନ୍ ଗଠନ ହୋଇଥିଲା । କିନ୍ତୁ ଏବେ ସୁଦ୍ଧା ଏହାର ଆଦେଶ ପ୍ରକାଶ ପାଇନାହିଁ । ସରକାର ଗୁହାରୀ ଶୁଣିବା ବଦଳରେ ଯଦି ଏପରି ସ୍ଥାଣୁ ରହି ଏକ ପ୍ରକାର ଆନ୍ଦୋଳନକୁ ଉସୁକାଉଛନ୍ତି । ଆନ୍ଦୋଳନ ବେଳେ ଲୋକସେବା କାର୍ଯ୍ୟ ବାଧାପ୍ରାପ୍ତ ହେଲେ ନିଜେ ସରକାର ଦାୟୀ ରହିବେ ବୋଲି ମହାସଂଘ ଚେତାଇ ଦେଇଛି ।