ଇଟାଲୀରୁ ଅମୃତସର ଆସୁଥିବା ବିମାନରେ କରୋନା ବିସ୍ଫୋରଣ, ୧୭୯ରୁ ୧୨୫ ଯାତ୍ରୀ ପଜିଟିଭ୍

1 min read

ଅମୃତସର: ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୯୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଭାରିଆଣ୍ଟ ଫଳରେ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବିମାନରେ ହୋଇଛି କରୋନା ବିସ୍ପୋରଣ । ଇଟାଲୀରୁ ପଞ୍ଜାବ ଅମୃତସର ଆସୁଥିବା ବିମାନରେ ହୋଇଛି କରୋନା ବିସ୍ଫୋରଣ ।

ଇଟାଲୀରୁ ଆସିଥିବା ଏହି ଚାର୍ଟାଡ ବିମାନରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ ଏହି ବିମାନରେ ମୋଟ ୧୭୯ ଜଣ ଯାତ୍ରୀ ଥିଲେ । ସେଥିମଧ୍ୟରୁ ୧୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ବିମାନ ବନ୍ଦରରେ ଆତଙ୍କ ଖେଳିଯାଇଛି । ତେବେ ଏହି ବିମାନରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ବର୍ତ୍ତମାନ ଅମୃତସରରେ କ୍ୱାରେଣ୍ଟାଇନରେ ରଖାଯାଇଛି । କରୋନାରେ ଆକ୍ରାନ୍ତ ହୋଇଥିବା ସମସ୍ତ ବ୍ୟକ୍ତି ଇଟାଲୀରେ ଟିକା ନେଇଥିଲେ ।

ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଥମେ କୁହାଯାଉଥିଲା କି ଏହି ବିମାନ ଏୟାର ଇଣ୍ଡିଆର ଥିଲା କିନ୍ତୁ ଏୟାର ଇଣ୍ଡିଆ ଏହି କଥାକୁ ଖଣ୍ଡନ କରିଛି । ଏୟାର ଇଣ୍ଡିଆ ଟ୍ୱିଟ କରି କହିଛି ବର୍ତ୍ତମାନ ସମୟରେ ଏୟାର ଇଣ୍ଡିଆର କୌଣସି ବିମାନ ରୋମରୁ ଭାରତ ଆସୁନାହିଁ ।

 

Leave a Reply