ବୁଲିବାକୁ ଆସିଥିଲେ ଟଙ୍କା ସରିଗଲା, ଗୁମ୍ଫାରେ ଫସିଛନ୍ତି ବିଦେଶୀ

ଡେରାଡୁନ୍: ଲକଡାଉନରେ ଲକ୍ ହୋଇ ରହିଛନ୍ତି ବିଦେଶୀ, ତା’ପୁଣି ଗୁମ୍ଫା ଭିତରେ । କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ୍ ଲାଗି ରହିଥିବା ବେଳେ ଉତ୍ତରାଖଣ୍ଡରୁ ଆସିଛି ଏକ ଅଭାବନୀୟ ଖବର । ଋଷିକେଶ ସହରର ଗଙ୍ଗା ଲକ୍ଷ୍ମଣ ଝୁଲା ଅଞ୍ଚଳର ଏକ ଗୁମ୍ଫାରୁ ୬ ଜଣ ବିଦେଶୀଙ୍କୁ ଉଦ୍ଧାର କରାଯାଇଛି । ଯେଉଁମାନେ ମାର୍ଚ୍ଚ ୨୫ ତାରିଖରୁ ଗୁମ୍ଫାରେ ଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ ୬ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିଛି । ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି । ୨ ଜଣ ୟୁକ୍ରେନର ବାସିନ୍ଦା ହୋଇଥିବା ବେଳେ ଜଣେ ତୁର୍କୀର । ଆମେରିକା, ଫ୍ରାନ୍ସ ଓ ନେପାଳର ଅନ୍ୟ ୩ ଜଣ ।

ପୋଲିସ ସୂଚନା ଅନୁଯାୟୀ, ସେମାନେ ପ୍ରାୟ ୨ ମାସ ତଳୁ ଋଷିକେଶ ଆସିଥିଲେ । ମୁନି କି ରେତି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ । ସେମାନଙ୍କ ପାଖରେ ଥିବା ଟଙ୍କା ସରିଯିବାରୁ ହୋଟେଲ୍ ବିଲ୍ ଦେବାକୁ ସକ୍ଷମ ହୋଇନଥିଲେ । ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ପୂର୍ବରୁ ସେମାନେ ଗୁମ୍ଫାକୁ ଚାଲିଆସି କାଠରେ ରୋଷେଇ କରିବା ସହ ନିକଟରେ ବହୁଥିବା ଗଙ୍ଗା ନଦୀରୁ ଜଳ ଆଣୁଥିଲେ ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ଏବେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ କରୋନାର କୌଣସି ଲକ୍ଷଣ ଦେଖାଦେଇ ନଥିବା ଜଣାପଡ଼ିଛି । ଉତ୍ତରାଖଣ୍ଡ ପୋଲିସ ଅନୁୟାୟୀ ଏବେ ଋଷିକେଶରେ ୬୦୦ରୁ ୭୦୦ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ସମ୍ପୃକ୍ତ ଦୂତାବାସ ପକ୍ଷରୁ ଦେଶକୁ ଫେରିବା ବ୍ୟବସ୍ଥା ହେଲେ ସେମାନଙ୍କୁ ପଠାଇ ଦିଆଯିବ । ଏବେ ଯାଏଁ ଉତ୍ତରାଖଣ୍ଡରେ ୪୨ ଜଣଙ୍କ ଠାରେ କରୋନା ଚିହ୍ନଟ କରାଯାଇଛି ।

Leave a Reply