ପରୀକ୍ଷାକୁ ନେଇ ଅନ୍ଧାରରେ ଓୟୁଏଟି ଛାତ୍ରଛାତ୍ରୀ, ଫାଟକ ସମ୍ମୁଖରେ କଲେ ଆନ୍ଦୋଳନ

1 min read
STUDENT_STRIKE_IN_OUAT 1

ଭୁବନେଶ୍ୱର: ପରୀକ୍ଷାକୁ ନେଇ ଅନ୍ଧାରରେ ଓୟୁଏଟି ଛାତ୍ରଛାତ୍ରୀ । ଲକଡାଉନ୍ ଯୋଗୁଁ ପାଠପଢ଼ାରେ ଡୋରି ଲାଗିଥିବା ବେଳେ ଏବେ ଭବିଷ୍ୟତକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ । ପ୍ରଥମ ବର୍ଷରୁ ୪ର୍ଥ ବର୍ଷ ପର୍ଯ୍ୟନ୍ତ କୌଣସି ପରୀକ୍ଷା ହୋଇନଥିବା ବେଳେ ଏନେଇ ବିଶ୍ୱବିଦ୍ୟାଳୟ କତ୍ତୃର୍ପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଯାଉନାହିଁ । ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

କରୋନା କଟକଣା ଯୋଗୁଁ ମାସ ମାସ ଧରି ସ୍କୁଲ ଓ କଲେଜ ବନ୍ଦ । ପାଠପଢା ଠପ୍, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ଚଳିତ ବର୍ଷ ସମ୍ଭବପର ହୋଇନି ପରୀକ୍ଷା ପରିଚାଳନା । ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ଆଶଙ୍କା । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଓୟୁଏଟିରେ ଚଳିତ ବର୍ଷ ହୋଇପାରିନି ପରୀକ୍ଷା । ମାର୍ଚ୍ଚମାସରୁ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଏବେ ସୁଦ୍ଧା ପରୀକ୍ଷା ତାରିଖ ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଉନାହାନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ପ୍ରଥମ ବର୍ଷରୁ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ମଧ୍ୟରେ । ତୁରନ୍ତ ପରୀକ୍ଷା କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ବିଶ୍ୱବିଦ୍ୟାଳୟ ବନ୍ଦ ଥିବା କାରଣରୁ ଅନଲାଇନରେ, ଟୁଇଟ୍ ଓ ଇ-ମେଲ୍‌ ଜରିଆରେ କତ୍ତୃପକ୍ଷଙ୍କୁ ପରୀକ୍ଷା ନେଇ ବାରମ୍ବାର ନିବେଦନ କରାଯାଇଛି । କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି ଛାତ୍ରଛାତ୍ରୀ । ବିଶ୍ୱବିଦ୍ୟାଳୟର ମୁଖ୍ୟଫାଟକ ସମ୍ମୁଖରେ ଛାତ୍ରଛାତ୍ରୀ ବିକ୍ଷୋଭ କରିଛନ୍ତି ।

ଅନ୍ୟପଟେ ଅଗଷ୍ଟ ୧୫ ତାରିଖରେ ଅନ୍‌ଲାଇନ୍‌ରେ କୋର୍ସ ସାରିବା ନେଇ ଥିବା ଲକ୍ଷ୍ୟ ପୂରଣ ହୋଇଛି । ବର୍ତ୍ତମାନ ଖୁବଶୀଘ୍ର ପିଲାଙ୍କ ପରୀକ୍ଷା ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରହିଛି । ତେବେ ପରୀକ୍ଷା କିଭଳି ହେବ ତାହା ବୈଠକରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି କୃଷି ମହାବିଦ୍ୟାଳୟର ଡିନ୍ । ସେହିଭଳି ଦାବି ପୂରଣ ନହେଲେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply