ଆକ୍ସନ ମୋଡ୍‌ରେ ଖୋର୍ଦ୍ଧା ପୋଲିସ, OTVର ୩ କର୍ମଚାରୀଙ୍କୁ ୮ ଘଣ୍ଟା ଜେରା

ଖୋର୍ଦ୍ଧା: ଆକ୍ସନ ମୋଡରେ ଖୋର୍ଦ୍ଧା ଜିଲ୍ଲା ପୋଲିସ । ଓଟିଭି ସାରୁଅ ଜମି କେଳେଙ୍କାରୀ କେସ୍‌ରେ ଖୋଲୁଛି ଗୁମର । ଗ୍ରାମବାସୀଙ୍କ ଅଭିଯୋଗ ପରେ ୬ ଦିନ ଗ୍ରାଉଣ୍ଡଜିରୋରେ ମାପଚୁପ । ଏବେ ଆରମ୍ଭ ହୋଇଯାଇଛି ପଚରାଉଚରା । ଶନିବାର ବାଘମାରୀ ଥାନାକୁ ତିନି ଜଣ ଓଟିଭି କର୍ମଚାରୀଙ୍କୁ ଡକାଇ ଦିନ ୧୧ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏସପି ଅଜୟ କୁମାର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଘନ ଘନ ଜେରା କରିଥିଲେ ।

ଏଥିରେ ଜଣେ ପୂର୍ବତନ କର୍ମଚାରୀ ଥିବାବେଳେ ବର୍ତ୍ତମାନର ଦୁଇ ଜଣ କର୍ମଚାରୀ ଅଛନ୍ତି । ଓଟିଭିର ଚିଫ୍‌ ଫାଇନାନସିଆଲ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀ, ସାରୁଅ ଷ୍ଟୁଡିଓ ଦାୟିତ୍ୱରେ ଥିବା ଅଧିକାରୀ ଅନିରୁଦ୍ଧ ପଣ୍ଡା ଏବଂ ସାରୁଅ ପ୍ରୋଜେକ୍ଟ ଦାୟିତ୍ୱରେ ଥିବା ପୂର୍ବତନ କର୍ମଚାରୀ ସଲିଲ ମହାନ୍ତି ବାଘମାରୀ ଥାନାରେ ହାଜର ହୋଇ ପକ୍ଷ ରଖିଛନ୍ତି ।

କାହାଠାରୁ ଜମି କିଣାଯାଇଛି ? କାହା ନାଁରେ କେତେ ପରିମାଣର ଜମି କିଣାଯାଇଛି ? ଜମି ବାଉଣ୍ଡାରୀ କରିବା ପାଇଁ କେଉଁ ମାନଙ୍କୁ ଆଦେଶ ଦିଆଯାଇଥିଲା ? ସ୍ଥାନୀୟ ଲୋକଙ୍କ ମୁଖ୍ୟ ଅଭିଯୋଗ ଅନୁଯାୟୀ କାହିଁକି ଜମିକୁ ପାଣି ଛଡ଼ାଯାଉନି ? ଏସବକୁ ନେଇ ଜେରା କରିଛି ପୋଲିସ । ପୋଲିସ ଏହି ତିନି ଜଣଙ୍କୁ ଗ୍ରାମବାସୀଙ୍କ ଦୁଇଟି ଏତଲାକୁ ଭିତ୍ତି କରି ନୋଟିସ କରିଥିଲା । ଗତ ଶୁକ୍ରବାର ମଧ୍ୟ ଖୋର୍ଦ୍ଧା ପୋଲିସର ୫ ଜଣିଆ ଟିମ ଭୁବନେଶ୍ୱର ପଟିଆସ୍ଥିତ ଓଟିଭି ଅଫିସ୍‌ ଯାଇ ଦୀର୍ଘ ୭ ଘଣ୍ଟା ଧରି ଯାଞ୍ଚ କରିଥିଲେ । ସାରୁଅ ଜମି କିଣା ନେଇ ବିଭିନ୍ନ କାଗଜପତ୍ର ତନଖି କରିଥିଲେ । ଗ୍ରାମବାସୀଙ୍କ ଦ୍ୱାରା ୨ଟି ଏତଲାରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ତାଙ୍କ ବାପା ଓ ଭାଇଙ୍କ ନାଁ ମଧ୍ୟ ରହିଛି ।

Leave a Reply