ପୁଣି ହାଜର ହେଲେନି ଜଗି ମଙ୍ଗତ ପଣ୍ଡା, CEO ବି ଆସିଲେନି

ଭୁବନେଶ୍ୱର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା । ପୁଣି ଠକିଲେ ଓଟିଭି ଏମ୍ଡି ଜଗିମଙ୍ଗତ ପଣ୍ଡା । ମହିଳା କମିଶନଙ୍କ ସାନି ନୋଟିସ୍ ସତ୍ତ୍ୱେ ହାଜର ହଲେନି ଜଗି । ପୁଣି ଥରେ ଓଟିଭି ପିଆରଓଙ୍କୁୁ ପଠାଇ ସମୟ ଗଡ଼ାଇଲେ । ମହିଳା କମିଶନଙ୍କ ବାରମ୍ବାର ନୋଟିସ୍ ସତ୍ତ୍ୱେ ବାହାନା ଦେଖାଇ ସମୟ ଗଡ଼ାଉଛନ୍ତି ଜଗି ମଙ୍ଗତ ପଣ୍ଡା । ତେବେ ନ୍ୟାୟ ଅପେକ୍ଷାରେ ଥିବା ଅଭିଯୋଗକାରିଣୀ ଓ ତାଙ୍କ ଓକିଲ, ମହିଳା କମିଶନରେ ହାଜର ହୋଇଛନ୍ତି ।
ସେହିଭଳି ଓଟିଭି CEO ନିହାର ରଞ୍ଜନ ଭୂୟାଁ ବି କମିଶନଙ୍କ ସମ୍ମୁଖରେ ଉପସ୍ଥିତ ହୋଇନଥିଲେ । ସେ ମଧ୍ୟ ଏମଡିଙ୍କ ପଦାଙ୍କ ଅନୂସରଣ କରି ନିଜେ ନ ଆସି ନିଜ ଓକିଲଙ୍କୁ ପଠାଇଥିଲେ । ଓଟିଭି ବିଶାଖା କମିଟିର ଅଧ୍ୟକ୍ଷା କସ୍ତୁରୀ ରାୟ ମଧ୍ୟ ଆଜି ଅନୁପସ୍ଥିତ ଥିଲେ । ତାଙ୍କ ବଦଳରେ କମିଶନଙ୍କ ନିକଟରେ ହାଜର ହେବାକୁ ସେ ଜଣେ ପ୍ରତିନିଧିଙ୍କୁ ପଠାଇଥିଲେ । ଓଟିଭି ର ଆଭ୍ୟନ୍ତରୀଣ ତଦନ୍ତ କମିଟି ବିଶାଖା ର ଅଧ୍ୟକ୍ଷା କସ୍ତୁରୀ ରାୟ 3ଦିନ ହେଲା ଚାକିରୀରେ ନଥିବା ନେଇ କମିଶନଙ୍କ ନିକଟରେ ସୂଚନା ଦେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତିନିଧି। ସୂଚନାଯୋଗ୍ୟ ଯେ,ଏହି ସମସ୍ତଙ୍କୁ ବ୍ୟକ୍ତିଗତ ହାଜର ପାଇଁ ରାଜ୍ୟ ମହିଳା କମିଶନ କରିଥିଲେ ସମନ। କିନ୍ତୁ ଆଜି କେହି ମଧ୍ୟ ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ । ଅନ୍ୟପକ୍ଷରେ ନିଜ ଓକିଲଙ୍କ ସହିତ ଉପସ୍ଥିତ ଥିଲେ ଅଭିଯୋଗକାରିଣୀ। ମାମଲାର ଶୁଣାଣିକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରିଣୀଙ୍କ ଓକିଲ।
ଆଗରୁ ଦୁଇ ଦୁଇ ଥର ଭେଳିକି ଦେଖାଇ ମହିଳା କମିଶନଙ୍କ ନିକଟକୁ ଆସିନଥିଲେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା । ଥରେ ଆସିଲେ ହେଲେ ହାଜର ହେଲେନି । ଦ୍ୱିତୀୟ ଥର ପ୍ରତିନିଧିଙ୍କୁ ପଠାଇ ଦେଲେ ହେଲେ ଜରୁରୀ କାଗଜପତ୍ର ଉପସ୍ଥାପନ ନକରିବାରୁ ଶୁଣାଣି ହେଲାନି । ତେଣୁ ମହିଳା କମିଶନ ପ୍ରତିନିଧିଙ୍କୁ ଫେରାଇ ଦେଇଥିଲେ । ପର ଦିନ ଯେତେବେଳେ କାଗଜପତ୍ର ଦାଖଲ କଲେ ସେତେବେଳେ ଶୁଣାଣି ହୋଇପାରିନଥିଲା ।
ଅନ୍ୟପଟେ ନାବାଳିକା ଗଣଦୁଷ୍କର୍ମର ତଦନ୍ତ ଭାର କ୍ରାଇମବ୍ରାଞ୍ଚ୍ ଗ୍ରହଣ କରିବା ପରେ ଏପର୍ଯ୍ୟନ୍ତ ଓଟିଭିର ତିନି ଜଣ ଅଧିକାରୀଙ୍କୁ ଜେରା କରିସାରିଛି । ଖୁବ୍ଶୀଘ୍ର କ୍ରାଇମ୍ବ୍ରାଞ୍ଚ୍ ସତ୍ୟର ପର୍ଦ୍ଦାଫାସ କରିବ ବୋଲି ନାବାଳିକାଙ୍କ ପରିବାର ଲୋକ ଆଶା ବାନ୍ଧିଛନ୍ତି ।