ଲେବର କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଓଟିଭିର ଏଚଆର ମୁଖ୍ୟ

ଭୁବନେଶ୍ୱର: ସାରୁଅ ଷ୍ଟୁଡିଓ କର୍ମଚାରୀଙ୍କ ଆନ୍ଦୋଳନ ଘଟଣା। ୫ଦଫା ଦାବିରେ ଚାଲିଥିବା ଆନ୍ଦୋଳନ ଆଜି ୨୭ଦିନରେ ପହଁଚିଛି। ସେପଟେ ଶ୍ରମ ବିଭାଗର ହସ୍ତକ୍ଷେପ ପରେ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଛି। ଭୁବନେଶ୍ୱର ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟରେ ଦୁଇଟି ପର୍ଯ୍ୟାୟରେ ପୃଥକ ପୃଥକ ଭାବେ ଦୁଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଆନ୍ଦୋଳନରତ ଅସ୍ଥାୟୀ କର୍ମଚାରୀଙ୍କ ୫ଦଫା ଦାବିକୁ ନେଇ ଆଲୋଚନା ଜାରି ରହିଛି।
ଅପରାହ୍ନ ୨ଟା ୩୦ମିନିଟରେ ସାରୁଅ ଷ୍ଟୁଡ଼ିଓରେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ୯ଜଣ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଦାବି ଉପରେ ମଧ୍ୟ ହେବ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା। ଏଥିପାଇଁ ଓଟିଭିର ଏଚ ଆର ମୁଖ୍ୟ ପାର୍ଥ ନନ୍ଦି ଓ ଅନ୍ୟଜଣେ ସହଯୋଗୀ ଶ୍ରମ କାର୍ଯ୍ୟାଳୟରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି। ଅପରପକ୍ଷେ ସାରୁଅ ଷ୍ଟୁଡ଼ିଓର ଅସ୍ଥାୟୀ କର୍ମଚାରୀଙ୍କ ୧୦ଜଣ ପ୍ରତିନିଧି ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଡିଭିଜନାଲ ଶ୍ରମ ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ତ୍ରିପାଠୀ ମଧ୍ୟସ୍ଥତା କରୁଛନ୍ତି।
ସେହିଭଳି ଶ୍ରମ ବିଭାଗ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା ଅନ୍ୟ ଏକ ନୋଟିସର ମଧ୍ୟ ଆଜି ମହଲତ ଶେଷ ହେଉଛି। ଏହି ନୋଟିସରେ ଓଟିଭି କର୍ତ୍ତୃପକ୍ଷ ନିଜର ପଟିଆ ସ୍ଥିତ କାର୍ଯ୍ୟାଳୟ ଓ ସାରୁଅ ଷ୍ଟୁଡିଓ ସମେତ ଅନ୍ୟ କେଉଁଠି କେଉଁଠି କେତେ ଠିକାଦାର ବା ଠିକା ସଂସ୍ଥାକୁ ନିୟୋଜିତ କରିଛି ଏବଂ ଉକ୍ତ ଠିକସଂସ୍ଥା ଜରିଆରେ କେତେଜଣ ଶ୍ରମିକ ନିୟୋଜିତ ଅଛନ୍ତି ଏନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଓଟିଭି କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରି ତଦନ୍ତରେ ସହଯୋଗ କରିନଥିଲେ। ଆଜିର ଅଲୋଚନାରୁ କୌଣସି ନିଷ୍କର୍ଷ ନବାହାରିଲେ ପରବର୍ତ୍ତୀ ପଦକ୍ଷେପ ଶ୍ରମ ବିଭାଗ ନେଵାର ସମ୍ଭାବନା ରହିଛି।