ସାରୁଅ ପରେ ଭୁବନେଶ୍ୱର: ରାଜଧାନୀର ଛାତି ଉପରେ OTV ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ଭୁବନେଶ୍ୱର: କେବଳ ସାରୁଅ ଜମି କେଳଙ୍କାରୀ ନୁହଁ ଭୁବନେଶ୍ୱରେ ଥିବା ଓଟିଭି କାର୍ଯ୍ୟାଳୟ ନିକଟରେ ମଧ୍ୟ ଜମି କେଳେଙ୍କାରୀ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ । ଓଟିଭି କାର୍ଯ୍ୟାଳୟ ଚାରିପାଖରେ ଜବରଦଖଲ କରି ମାଡି ବସିଛନ୍ତି ୧୨ ହଜାର ୯୮୦ ବର୍ଗ ଫୁଟ ଜମି । ଜମି ଜବରଦଖଲ କରିଥିବା ଅଭିଯୋଗ ପରେ ଚଳିତ ମାସ ୨୦ ତାରିଖରେ ଓଟିଭି କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ବା ସୋ କଜ୍ ନୋଟିସ କରିଥିଲା ଇଡକୋ । ୨୨ ତାରିଖରେ ଓଟିଭି କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସରେ ସେମାନେ କୌଣସି ଯାଗା ଜବରଦଖଲ କରିନାହାନ୍ତି ବୋଲି ସଫେଇ ଦେଇଥିଲେ । ହେଲେ ଏହା ଥିଲା ଧର୍ମକୁ ଆଖିଠାର ।

ଉତ୍ତରରେ ସନ୍ତୁଷ୍ଟ ନହେବାରୁ ଇଡକୋ ପକ୍ଷରୁ ଆଜି ଓଟିଭି କାର୍ଯ୍ୟାଳୟ ଥିବା ଜମି ଓ ଏହାର ସଂଲଗ୍ନ ଅଞ୍ଚଳରେ ଜଏଣ୍ଟ ଭେରିଫିକେସନ୍ କରାଯାଇଥିଲା । ଏହି ଭେରିଫିକେସନ୍ ବେଳେ ଇଡ୍କୋର ଲ୍ୟାଣ୍ଡ ଅଫିସର, ବିଏମସି, ବିଡିଏ ଓ କଳାରାହାଙ୍ଗ ତହସିଲର କର୍ମକର୍ତ୍ତା ସାମିଲ ହୋଇଥିଲେ । ଭେରିଫିକେସନରୁ ଜଣାପଡ଼ିଛି ଯେ ୨୦୦୭ ମସିହାରେ ଭୁବନେଶ୍ୱର ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ରେ ଓଟିଭିକୁ ୦ ଦଶମିକ ୮୩୫ ଏକର ଜମି ବା ୩ହଜାର ୩ଶହ ୭୯ ବର୍ଗ ମିଟର ଜମି ଇଡ୍କୋ ଆଲଟ କରିଥିଲା । ଏହି ଜମି ଏନ୍/୨୮/୨୯/୩୦ ଏବଂ ୩୧ ନମ୍ବର ପ୍ଲଟରେ ରହିଥିବା ଜଣାପଡ଼ିଛି ।

କିନ୍ତୁ ଆଲଟ୍ ହୋଇଥିବା ଜାଗା ବ୍ୟତୀତ ଇତିମଧ୍ୟରେ ଓଟିଭି ଅଧିକ ୧୨ ହଜାର ୯୮୦ ବର୍ଗଫୁଟ ଜମି ମାଡି ବସି ତା ଉପରେ ନିର୍ମାଣ କାର୍ଯ୍ୟ କରିଛି । ଜବରଦଖଲ ଜମି ଉପରେ ଓଟିଭିର ଟେଲିପୋର୍ଟ ଓ ଡିଜି ରହିଛି । ଏଥିସହ ମୂଳ କୋଠାର କିଛି ଅଂଶ ମଧ୍ୟ ଏହି ଜବରଦଖଲ ଜମି ମାଡି ଆସିଛି । ଗୋଟିଏ ସେଟ୍ ମଧ୍ୟ ଜବରଦଖଲ ଜମି ଉପରେ ଥିବା ଜଏଣ୍ଟ ଭେରିଫିକେସନ୍ ବେଳେ ଜଣାପଡିଥିବା ସୂଚନା ମିଳିଛି । ସାରୁଅରେ ଦଳିତଙ୍କ ଜମି ହଡପ କରିଥିବା ଓଟିଭି ଏବେ ରାଜଧାନୀର ଛାତି ଉପରେ ମଧ୍ୟ ଜମି ଜବରଦଖଲ କରିଥିବା ପଦାକୁ ଆସିଲାଣି । ଏହା ଜଣାପଡିବା ପରେ ଇଡ୍କୋ କର୍ତ୍ତୃପକ୍ଷ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିବ ।

Leave a Reply