ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିଛନ୍ତି ପଣ୍ଡା ଦମ୍ପତି, ଗିରଫ ଭୟରେ ଆଗୁଆ ଜାମିନ
ଭୁବନେଶ୍ୱର : କର୍ମଚାରୀଙ୍କ କାନ୍ଧରେ ବନ୍ଧୁକ ରଖି ଯେଉଁ ମାଲିକ କାରବାର କରେ ତାକୁ କଣ କହିବା ? ମିଠା ମହୁ ଖାଇଲା କିଏ ଆଉ ମାଛି କାମୁଡିଲା କାହାକୁ ? ଜଣେ ନିରୀହ ଲୋକ ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ଉଚିତ ନୁହେଁ କି । ଓଟିଭି ଗ୍ରୁପରେ ବରିଷ୍ଠ ପଦାଧିକାରୀ ଥିବା ମନୋରଂଜନ ଷଡ଼ଙ୍ଗୀ ସିଏଫଓ ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ଜରିଆରେ ଏଭଳି ପ୍ରଶ୍ନ କରିଛନ୍ତି ତାଙ୍କ ଶାଳକ ହରିହର ମିଶ୍ର । ସାରୁଅ ଜମି ଜାଲିଆତି ମାମଲାରେ ଗିରଫ ପରେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ମନୋରଂଜନଙ୍କ ପାଇଁ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ଅସଲ ଚେହେରାକୁ ସର୍ବସାଧାରଣରେ ଖୋଲିଦେବା ସହିତ ନ୍ୟାୟ ଦାବି କରିଛନ୍ତି ତାଙ୍କ ଓକିଲ ଶାଳକ ହରିହର ମିଶ୍ର।
ହରିହର ମିଶ୍ର କହିଛନ୍ତି ଯେ, ଖୁଲ୍ଲମଖୁଲା କେଳେଙ୍କାରୀ କଲେ, ହେଲେ ଧରାପଡ଼ିବା ବେଳେ ଦୋଷ ଲଦୁଛନ୍ତି କର୍ମଚାରୀଙ୍କ ମୁଣ୍ଡରେ । ସାରୁଅ ଜମି ଜାଲିଆତିରେ କର୍ମଚାରୀଙ୍କୁ ମୋହରା କରି ହାତେଇଛନ୍ତି ଏକର ଏକର ଦଳିତ ଜମି । ହରିହର ଆହୁରି ଅଭିଯୋଗ କରିଛନ୍ତି, ଭିଣୋଇଙ୍କ ସଚ୍ଚୋଟତାର ସୁଯୋଗ ନେଇ ତାଙ୍କୁ ଫସାଇ ଦିଆଯାଇଛି । ମନୋରଞ୍ଜନ ୨୦୦୮ରେ ଓମଫେଡ୍ ଛାଡି ଓରଟେଲ ସଂସ୍ଥାରେ ଯୋଗ ଦେଇଥିଲେ । ମନୋରଂଜନ ସମାଜର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀରୁ ଉଠି ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଛନ୍ତି । କିନ୍ତୁ ଓଟିଭି ତାଙ୍କର ସେହି ଚେରକୁ କାଟିଦେଇଛି । ସଚ୍ଚୋଟତାର ସୁଯୋଗ ନେଇ ମନୋରଞ୍ଜନଙ୍କୁ ମୋହରା ବନାଇଛନ୍ତି ଜୟ ଓ ଜଗି ପଣ୍ଡା ବୋଲି ହରିହର ଅଭିଯୋଗ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୦୮ରେ ଜଗି ମଙ୍ଗତ ପଣ୍ଡା ଏବଂ ବିଭୁ ପ୍ରସାଦ ରଥଙ୍କୁ ନେଇ ଓଡ଼ିଶା ଇନଫ୍ରାଟେକ ପ୍ରା ଲିମିଟେଡ ଗଢାଗଲା । ଦଳିତଙ୍କ ଜମି ହଡପ ପାଇଁ କରାଗଲା ଷଡ଼ଯନ୍ତ୍ର । ୧୨ ବର୍ଷର ଚକ୍ରାନ୍ତ । ଯେତେବେଳେ ଚକ୍ରାନ୍ତର କ୍ଲାଇମାକ୍ସ ସମୟ ଆସିଲା ମନୋରଂଜନଙ୍କୁ ନିର୍ଦ୍ଦେଶକ କରାଗଲା । ଏବଂ କମ୍ପାନୀ ଗଢି ନିଜେ ଜଗି ଖସିଗଲେ ୨୦୧୦ ମସିହାରେ । ଆଉ କହିଲେ ଯେ, ମନୋରଂଜନଙ୍କୁ ପାୱାର ଅଫ ଆଟୋର୍ଣ୍ଣି ଦିଆଯାଇଛି । ହେଲେ ଏହା ମନୋରଂଜନଙ୍କ ଜଏନିଂ ପୂର୍ବରୁ ଦିଆଯାଇଛି । ସେଥିରେ ଦୀପକ ପଣ୍ଡା, ବିଶ୍ବଜିତ ସାହୁ, ଶିବ ଶ୍ରୀଚନ୍ଦନ ଓ ରଶ୍ମି ମିଶ୍ରଙ୍କ ନାଁ ଉଲ୍ଲେଖ ରହିଛି । ଏଥିରେ ବିଭୂ ରଥଙ୍କ ଶଳା ମଧ୍ୟ ସାମିଲ୍ ଥିଲେ । ସମସ୍ତ ଜମି ଏହି ମାନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ କିଣାଯାଇଛି । କିନ୍ତୁ ମନୋରଂଜନଙ୍କ ପାୱାର ଅଫ ଆଟୋର୍ଣ୍ଣିରେ ମାତ୍ର ଦୁଇଟି ସାଧାରଣ ବର୍ଗର ଜମି କିଣାଯାଇଛି । ତେଣୁ ସେ ନିର୍ଦ୍ଦୋଷ ବୋଲି ହରିହର ଦାବି କରିଛନ୍ତି ।
ଗିରଫ ଭୟରେ ଆଗୁଆ ଜାମିନ ଆବେଦନ
ଏକ ନିର୍ଦ୍ଦିଷ୍ଟ ପୁଞ୍ଜିପତି ନିଜକୁ ଧନୀ କରିବା ପାଇଁ ଅନ୍ୟକୁ ଯେମିତି ବକ୍ରା ବନାନ୍ତି ସେମିତି ମନୋରଞ୍ଜନ ଷଡଙ୍ଗୀଙ୍କୁ ବକ୍ରା ବନାଇଛନ୍ତି ଜଗି ଓ ଜୟ ପଣ୍ଡା । ନିଜକୁ ସୁରକ୍ଷିତ ରଖିବା ପାଇଁ କର୍ମଚାରୀଙ୍କୁ ବଳି ଏକ ମାରାତ୍ମକ ବିଷୟ । ଏପରିକି ଗିରଫ ହେବା ଜାଣି ଆଗୁଆ ଜାମିନ ନେଇସାରିଛନ୍ତି ଜଗି ଓ ଜୟ । ଆଣ୍ଟିସପେଟୋରି ବେଲ ଆବେଦନ ନେଇ ହରିହର ପଚାରିଛନ୍ତି ଯିଏ ଦୋଷ କରିଥାଏ ସେ ଆଗୁଆ କୋର୍ଟରୁ ଜାମିନ ନେଇ ନିଜକୁ ସୁରକ୍ଷିତ କରିଥାଏ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି ।
ହେଲେ ମୁଖ୍ୟ ପ୍ରଶ୍ନ ହେଉଛି ଷଡ଼ଯନ୍ତ୍ରର ମୁଖ୍ୟ କାର୍ପଟଦାର କିଏ ? ତାହାର ଗୁମର ଖୋଲିବା ଦରକାର । ପବ୍ଲିକ ଆଗରେ ସବୁ ଘଟଣାର ପର୍ଦ୍ଦାଫାସ ହେବା ଦରକାର । ପ୍ରମାଣିତ ହେବା ଦରକାର କିଏ ସ୍ବଚ୍ଛ କିଏ ଦୋଷୀ । ଜଣେ ନୀରିହ ଲୋକର ଜୀବନ ଓ କ୍ୟାରିଅର ପ୍ରତି ହୋଇଥିବା ଅନ୍ୟାୟର ପର୍ଦ୍ଦାଫାସ ହେବା ସହ ନ୍ୟାୟ ମିଳିବା ଉଚିତ । ଏହାସହ ହରିହର କହିଛନ୍ତି ଯାହା ନ୍ୟାୟ ଆସିବ ତାକୁ ମନୋରଂଜନ ମାନିନେବେ ବୋଲି ତାଙ୍କ ସମ୍ପର୍କୀୟ କହିଛନ୍ତି । ଅପରପକ୍ଷରେ ଭୀଷଣ ଚାପ ସହି ନ ପାରି ମନୋରଂଜନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଏବେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମନୋରଞ୍ଜନଙ୍କୁ ନ୍ୟାୟ ମିଳିବା ଦରକାର । ସତ୍ୟ ସତ୍ୟ ବାଟରେ ଯିବ ମିଥ୍ୟା ମିଥ୍ୟା ବାଟରେ ଯାଉ ବୋଲି ମନୋରଂଜନଙ୍କ ପାଇଁ ଦାବି କରିଛନ୍ତି ଶଳା ହରିହର ମିଶ୍ର ।