ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ନେଇ ଚିନ୍ତାରେ ଶିକ୍ଷକ

ଭୁବନେଶ୍ବର : କେତେବେଳେ ପ୍ରଶ୍ନପତ୍ର ଲିକ୍ ତ ପୁଣି କେବେ ବୋର୍ଡରେ ଅଧିକାରୀ ଅଭାବ । ଏପରି କାରଣ ଯୋଗୁଁ ବାରମ୍ବାର ସ୍ଥଗିତ ରହିବା ସହ ପରିବର୍ତ୍ତନ ହୋଇ ଚାଲିଛି ଓଟିଇଟି । ଶେଷରେ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାଇଁ ସେପ୍ଟେମ୍ବର ୨୭ ତାରିଖ ଧାର୍ଯ୍ୟ ହୋଇଛି। ଯାହାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି। କାରଣ ସେପ୍ଟେମ୍ବର ୨୭ ହେଉଛି କାର୍ଯ୍ୟ ଦିବସ । ସ୍କୁଲ ଛାଡ଼ି ପରୀକ୍ଷା ଦେବାକୁ କେମିତି ଯିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଶିକ୍ଷକ। ହେଲେ ଆଜି ସରକାର ଶୁଣାଇଛନ୍ତି ଚରମବାଣୀ। ସିଧାସିଧା କହିଛନ୍ତି, ସେପ୍ଟେମ୍ବର ୨୭ ତାରିଖରେ ହିଁ ହେବ ଓଟିଇଟି। ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ ନକରିବାକୁ ସ୍ପଷ୍ଟ କରିଚନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ପରେ ଶିକ୍ଷକଙ୍କ ଦ୍ବନ୍ଦ୍ବ ବଢ଼ିବା ସହ ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ିଛି। କାରଣ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅର୍ଦ୍ଧ ବାର୍ଷିକ ପରୀକ୍ଷା ସେପ୍ଟେମ୍ବର ୨୨ରେ ଆରମ୍ଭ ହୋଇ ସେପ୍ଟେମ୍ବର ୨୭ ଯାଏଁ ଚାଲିବ। ଯଦି ଶିକ୍ଷକମାନେ ୨୭ ତାରିଖରେ ପରୀକ୍ଷା ଦେବାକୁ ଯିବେ, ତେବେ କିଏ କରିବ ସ୍କୁଲ ପିଲାଙ୍କ ପରୀକ୍ଷା ପରିଚାଳନା ? ସେପଟେ କିଛି ଦିନ ତଳେ ସୁପ୍ରିମକୋର୍ଟ ବି ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି । ଯେଉଁମାନେ ଶିକ୍ଷକ ହେବା ପାଇଁ ଆଶାୟୀ, ସେମାନେ ଟିଇଟି ଯୋଗ୍ୟତା ହାସଲ କରିବା ଅନିବାର୍ଯ୍ୟ। ଏଥିସହ ଯେଉଁମାନେ ଶିକ୍ଷକତା କରୁଛନ୍ତି, ସେମାନେ ମଧ୍ୟ ପଦୋନ୍ନତି ପାଇଁ ଟିଇଟି ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଯଦି ଏହି ଶିକ୍ଷକମାନେ ୨ ବର୍ଷ ମଧ୍ୟରେ ଟିଇଟିରେ ଉତ୍ତୀର୍ଣ୍ଣ ହେବେ ନାହିଁ, ସେମାନେ ବାଧ୍ୟତାମୂଳକ ଅବସର ନେବେ। ଗୋଟିଏ ପଟେ ସର୍ବୋଚ୍ଚ ଅଦାଲତଙ୍କ ଛାଟ, ଅନ୍ୟପଟେ କାର୍ଯ୍ୟ ଦିବସରେ ପରୀକ୍ଷା ଯୋଗୁଁ ୭୫ ହଜାର ଶିକ୍ଷକ ଚିନ୍ତାରେ ଦିନ ଗଣୁଛନ୍ତି । ନିଜେ ପରୀକ୍ଷା ଦେବେ ନା ସ୍କୁଲରେ ପିଲାଙ୍କ ପରୀକ୍ଷା ପରିଚାଳନା କରିବେ। ଯାହାର ଉତ୍ତର ପାଇପାରୁନାହାନ୍ତି ଶିକ୍ଷକ। ଓଲଟି ଗଣଶିକ୍ଷା ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ଶିକ୍ଷକଙ୍କୁ ଅଧିକ ଚାପଗ୍ରସ୍ତ କରୁଛି।