ଜରାଜୀର୍ଣ୍ଣ ଅବସ୍ଥାରେ OTDCର ଉଡେନ ରେଷ୍ଟୁରାଣ୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ଜରାଜୀର୍ଣ୍ଣ ଅବସ୍ଥାରେ କୋଣାର୍କ ଚନ୍ଦ୍ରଭାଗା ପାଖରେ ଥିବା OTDCର ଉଡେନ ରେଷ୍ଟୁରାଣ୍ଟ । ଫନି ବାତ୍ୟାରେ ଏହି ଉଡେନ ରେଷ୍ଟୁରାଣ୍ଟଟି ଭାଙ୍ଗି ଯାଇଥିଲା । ହେଲେ ଏପର୍ଯ୍ଯନ୍ତ ଏହାର ପୁନରୁଉଦ୍ଧାର ପାଇଁ ନୂତନ ସରକାରଙ୍କ ଦୃଷ୍ଟି ପଡୁନାହିଁ । ଖୋଦ ଉପ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ OTDCର କାଠ ରେଣ୍ଟୁରାଣ୍ଟ ଏବେ ଜରାଜୀର୍ଣ୍ଣ । ଯାହାକୁ ନେଇ ଲୋକଙ୍କ ମଧ୍ଯରେ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ ।

ବିଶ୍ଵପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ପାଖରେ ଥିବା OTDC ର ଉଡେନ ରେଷ୍ଟରାଣ୍ଟ ଖତ ଖାଇଗଲାଣି । ଏବେ ଅସାମାଜିଙ୍କ ଚରାଭୂଇଁ ପାଲଟିଛି ଏହି ସ୍ଥାନ । ପୂର୍ବ ସରକାର ସମୟରେ ପର୍ଯ୍ଯଟକ ମାନଙ୍କୁ ଆକୃଷ୍ଟ କରିବାକୁ ପର୍ଯ୍ଯଟନ ବିଭାଗ ପକ୍ଷରୁ ସମ୍ପୂର୍ଣ କାଠରେ ନିର୍ମାଣ କରାଯାଇଥିଲା ଉଡେନ ରେଷ୍ଟୁରାଣ୍ଟ । ଏଠାରେ ମିଳୁଥିଲା ଓଡ଼ିଶାର ପାରମ୍ପାରିକ ଓଡ଼ିଆ ଖାଦ୍ୟ । ଯାହାକୁ ପସନ୍ଦ କରୁଥିଲେ ଦେଶ ବିଦେଶର ପର୍ଯ୍ୟଟକ। କିନ୍ତୁ ଆଜି ତାହା ଅବହେଳିତ ଅବସ୍ଥାରେ । ଗତ ଫନି ବାତ୍ୟାରେ ଧ୍ବଂସ ବିଧ୍ୱସ୍ତ ହୋଇଥିବା ଉଡେନ ରେଷ୍ଟରାଣ୍ଟ ଉପରେ ନୂତନ ସରକାରଙ୍କ ଦୃଷ୍ଟି ପଡୁନାହିଁ । ସାମ୍ନାକୁ ଆସିଲା ବିଜେପି ସରକାରଙ୍କ ଓଡିଆ ଅସ୍ମିତା ପ୍ରୀତି । ମିଛ ଅସ୍ମିତାର ଡିଣ୍ଡିମ ପିଟୁଥିବା ସରକାରରେ ପର୍ଯ୍ଯଟକ ଅସନ୍ତୋଷ । ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି OTDCର ଉଡେନ ରେଷ୍ଟୁରାଣ୍ଟ । ଓଡ଼ିଆ ଖାଦ୍ୟ ଖାଇବାରୁ ବଂଚିତ ହେଉଛନ୍ତି ଦେଶ ବିଦେଶର ପର୍ଯ୍ୟଟକ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

OTDC ର ଉଡେନ ରେଷ୍ଟରାଣ୍ଟରେ ଓଡିଶାର ସୁସ୍ବାଦୁ ଖାଦ୍ୟ ସହ ଦେଶୀ ବ୍ୟଞ୍ଜନ ପାଇପାରୁଥିଲେ ଦେଶ ବିଦେଶର ପର୍ଯ୍ୟଟକ। ଏଥିରୁ ଭଲ ରାଜସ୍ୱ ଆୟ ହେବା ସହ ଅନେକଙ୍କୁ ଯୋଗାଉଥିଲା ରୋଜଗାର । ବାତ୍ୟାରେ ଏହା ଉଜୁଡିଯିବା ପରେ ଏହାର ପୁନଃଉଦ୍ଧାର ହୋଇପାରିନାହିଁ । ଆଉ ଦିନ କେଇଟା ପରେ କୋଣାର୍କ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ରେଷ୍ଟୁରାଣ୍ଟ  ବନ୍ଦ ପ୍ରାୟ । ଏହି ଲାଭ ଜନକ ସଂସ୍ଥାକୁ ୫ବର୍ଷରୁ ଉର୍ଦ୍ଧ ସମୟ ଧରି ମରାମତି କରାନଯିବା ପଛରେ ବିଭାଗର କିଛି ଅଫିସରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ । ଏପଟେ ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ଏନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟପଟେ ଉଡେନ ରେଷ୍ଟରାଣ୍ଟକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ପର୍ଯ୍ୟଟନ ସଚିବ।