ଗ୍ରୀନ୍‌ ଜୋନ୍‌ରେ ଚାଲିବ ସରକାରୀ ବସ୍‌, ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ

ଭୁବନେଶ୍ୱର: ଗ୍ରୀନ୍‌ ଜୋନରେ ଚାଲିବ ସରକାରୀ ବସ୍‌ । ସାଧାରଣ ଯାତ୍ରୀଙ୍କ ପାଇଁ ଗ୍ରୀନ୍‌ ଜୋନ୍‌ରେ ଓଏସଆରଟିସି ବସ ଚାଲିବ । ଏଥିରେ ୫୦ ପ୍ରତିଶତ ଯାତ୍ରୀ ଯାଇପାରିବେ ।  ଘରୋଇ ବସ୍‌ ମାଲିକ ସଂଘ ରାଜି ନହେବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ ।

ଅନ୍ୟପକ୍ଷରେ ଘରୋଇ  ବସ ମାଲିକଙ୍କ କ୍ଷତିପୂରଣ ପାଇଁ ବ୍ୟବସ୍ଥା ହୋଇଛି । ବସ୍‌ ମାଲିକଙ୍କ ଅଧିକାଂଶ ଦାବି ରାଜ୍ୟ ସରକାରଙ୍କ ବିଚାରଧୀନ ଅଛି । ରାଜ୍ୟ ସରକାର ସେମାନଙ୍କ ଦାବି ଉପରେ ବିଚାର କରୁଛନ୍ତି । ବସ୍‌ ମାଲିକ ମାନେ ଏକମତ ହୋଇ ଗାଡ଼ି ଚଲାନ୍ତୁ ଏବଂ ସରକାରଙ୍କ ଆର୍ଥିକ ସ୍ଥିତକୁ ବୁଝନ୍ତୁ ବୋଲି ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ । ସରକାରୀ କର୍ମଚାରୀଙ୍କ ପାଇଁ ଗୋଟିଏ ବସ୍‌ ଚାଲିଛି । ଆଗକୁ ଅଧିକ ବସ ଚାଲିବ। ତେବେ  ରେଡ୍‌ ଜୋନ୍‌ ଦେଇ ବସ ଯିବନି ବୋଲି ମନ୍ତ୍ରୀ କହିଛନ୍ତି। ଓଏସଆରଟିସି ବସ୍‌ ସମସ୍ତ ଗ୍ରୀନଜୋନରେ ଚାଲିବା ସହ ଯାତ୍ରୀଙ୍କୁ ଦୁଇ ଗୁଣା ଭଡ଼ା ଦେବାକୁ ପଡିବ ।

ସେପଟେ କିନ୍ତୁ ବସ୍‌ ଭଡ଼ା ଦୁଇଗୁଣା ହେବା ପ୍ରସଙ୍ଗକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଭଡ଼ା ବୃଦ୍ଧିକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବସ୍‌ ଭଡ଼ା ପୂର୍ବରୁ ଯେତିକି ଥିଲା ସେତିକି ରହୁ । ବର୍ତ୍ତମାନ ଅସୁବିଧା ସମୟ ଲୋକଙ୍କ ପାଖରେ ପଇସା ନାହିଁ । ତେଣୁ ରାଜ୍ୟ ସରକାର ଭଡ଼ା ବୃଦ୍ଧି ପ୍ରସ୍ତାବକୁ ପୁନଃବିଚାର କରନ୍ତୁ ବୋଲି କହିଛନ୍ତି ପ୍ରଦୀପ୍ତ । ପ୍ରତିକ୍ରିୟାରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବସ୍‌ ଚାଲିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।ଅଧା ପଇସା ସରକାର ସବସିଡ୍‌ ଆକାରରେ ଦିଅନ୍ତୁ । କିନ୍ତୁ ବସ୍‌ ଭଡ଼ା ବୃଦ୍ଧି କରିବା ଠିକ ନୁହେଁ ।

ସେପଟେ ବସ୍‌ ଭଡ଼ା ଦୁଇ ଗୁଣା ପ୍ରସଙ୍ଗରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବସ୍‌ ଭଡ଼ା ବୃଦ୍ଧି ନେଇ ବିରୋଧୀ ଭାବିବା ଦରକାର । ଭଡ଼ା ବାଧିବ ନାହିଁ, ଆବଶ୍ୟକ ଥିଲେ ଲୋକେ ଯାତ୍ରା କରିବେ । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଗାଡ଼ି ଚାଲିବ । ସେଥିପାଇଁ ବସ ମାଲିକଙ୍କ କ୍ଷତିପୂରଣ ପାଇଁ ଏପରି ବ୍ୟବସ୍ଥା ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave a Reply