ଲକ୍ଡାଉନ୍ ପାଇଁ ତାମିଲନାଡୁରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଫେରାଇ ଆଣିବାକୁ କଲେ ସରକାରଙ୍କୁ ନିବେଦନ
ଭୁବନେଶ୍ୱର: ତାମିଲନାଡୁ ତିରୁପୁରରେ ଫସିଛନ୍ତି ଓଡିଆ । ଜଗତସିଂହପୁର ନାଉଗାଁ ଅଞ୍ଚଳର କିଛି ଓଡିଆ ଶ୍ରମିକ ତିରୁପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଲକ୍ଡାଉନ୍ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିବାରୁ ସେମାନେ ସମସ୍ୟା ଭୋଗୁଛନ୍ତି । ଏଭଳି ସ୍ଥିତିରେ ଘରକୁ ଫେରାଇ ଆଣିବା ପାଇଁ ସେମାନେ ଭିଡିଓ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ସେପଟେ ବୌଦ୍ଧ ହରଭଙ୍ଗାର ୨୦ ଶ୍ରମିକ ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି ।
ଲକ୍ଡାଉନ୍ ପାଇଁ ଟ୍ରେନ୍ ବସ ବନ୍ଦ ରହିଥିବାରୁ ସେମାନେ ଘରକୁ ଫେରି ପାରୁନାହାନ୍ତି। ପାଖରେ ପଇସା ସରିଯାଇଥିବାରୁ ଖାଇବା ପାଇଁ ସମସ୍ୟା ଭୋଗୁଛନ୍ତି। ତାମିଲନାଡୁ ମଦୁରାଇରେ ଫସିଛନ୍ତି ୪୦ରୁ ଅଧିକ ଓଡିଆ ଶ୍ରମିକ। ଏମାନେ ନୟାଗଡ଼, ଖୋର୍ଦ୍ଧା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର। ମଦୁରାଇ ପେରିଆରରେ ନିର୍ମାଣ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ତେବେ ଲକ୍ଡାଉନ୍ ଯୋଗୁଁ ସେମାନେ ସେଠାରେ ଫସିରହିଛନ୍ତି।