ପାଳନ କରାଯିବ ଓଡ଼ିଆ ଭାଷା ସପ୍ତାହ, ପୁରୁଣା ବିଶ୍ବବିଦ୍ୟାଳୟକୁ ମିଳିବ ଐତିହ୍ୟ ମାନ୍ୟତା

1 min read

ଭୁବନେଶ୍ବର: ମାତୃଭାଷା ଦିବସ ସହ ପାଳନ କରାଯିବ ଓଡ଼ିଆ ଭାଷା ସପ୍ତାହ । ରାଜ୍ୟର ଶହେ ବର୍ଷ ପୁରାତନ ବିଦ୍ୟାଳୟଗୁଡ଼ିକୁ ମିଳିବ ଐତିହ୍ୟ ବିଦ୍ୟାଳୟ ମାନ୍ୟତା । ଲୋକସେବା ଭବନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପ୍ରସ୍ତୁତି ସମୀକ୍ଷା ଅବସରରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି  । ଆସନ୍ତା ଫେବ୍ରୁଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ । ଏହାର ସମୀକ୍ଷା କରିଛନ୍ତି 5T ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ  । ଅକ୍ଷର ଭୂମିକୁ ସମ୍ମିଳନୀର ପ୍ରଥମ ଦିନରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉକ୍ତ ସମ୍ମିଳନୀ ଅବସରରେ ସମସ୍ତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ । ସମ୍ମିଳନୀରେ ଭାଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁଗୁଡ଼ିକୁ ନେଇ ୧୬ଟି ଓ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସ୍ବତନ୍ତ୍ର ଅଧିବେଶନ ଆୟୋଜନ କରାଯିବ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଲୋଗୋକୁ ଚୟନିତ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କର ପ୍ରମୁଖ ସ୍ଥାନ ଓ କାନ୍ଥରେ ଚିତ୍ରଣ କରାଯିବ । ଏହି ଲୋଗୋକୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯିବା ସହିତ ସମସ୍ତ ସରକାରୀ ଗାଡ଼ିରେ ଷ୍ଟିକରିଂ କରାଯାଇ ସମ୍ମିଳନୀର ପ୍ରଚାର ପ୍ରସାର କରାଯିବ । ସମ୍ମିଳନୀର ପ୍ରଚାର ପ୍ରସାର ନିମନ୍ତେ ବିଷୟଭିତ୍ତିକ ସଙ୍ଗୀତ ପ୍ରସ୍ତୁତ କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଏହି ସମ୍ମିଳନୀର  ପ୍ରଚାର ପ୍ରସାର ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମ ଗୁଡ଼ିକର ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ଉଭୟ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମର ବ୍ଯବହାର କରାଯିବ । ଓଡ଼ିଶା ପରିବାର ତରଫରୁ ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆ ସଂଗଠନମାନଙ୍କୁ ଲାଇଭ ଓ୍ବେବକାଷ୍ଟ ଦ୍ବାରା ଯୋଡ଼ାଯାଇ ସମ୍ମିଳନୀର ଉଦଘାଟନ ଓ ଉଦଯାପନ ଉତ୍ସବରେ ବାସ୍ତବ ଓ ଆଭାସୀ ଉପସ୍ଥିତି ନିମନ୍ତେ ଉତ୍ସାହିତ କରାଯିବ । ସେମାନଙ୍କର ମତାମତର କ୍ୟାଟଲଗ ମଧ୍ୟ ପ୍ରସ୍ତୁତ କରାଯିବ । ସମ୍ମିଳନୀ ଉପଲକ୍ଷେ ସମ୍ମିଳନୀ ସମ୍ବନ୍ଧୀୟ ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ତଥ୍ୟପୁସ୍ତିକା ମାଧ୍ୟମରେ ପ୍ରକାଶ କରାଯିବ ।ପ୍ରତିବର୍ଷ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସପ୍ତାହ ପାଳନ କରାଯିବା ସହିତ ରାଜ୍ୟ ମାତୃଭାଷା ଦିବସ ପାଳନ କରାଯିବ । ମାତୃଭାଷାର ବହୁଳ ବ୍ୟବହାର ନିମନ୍ତେ ବିଭିନ୍ନ ନିଗମ କାର୍ଯ୍ଯାଳୟ,  ସରକାରୀ କାର୍ଯ୍ଯାଳୟ, ବେସରକାରୀ କାର୍ଯ୍ଯାଳୟ, ଅନୁଷ୍ଠାନମାନଙ୍କରେ ଓଡ଼ିଆ ଭାଷାର ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ । ରାଜ୍ୟ ବାହାରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟ ବାହାରେ ଓ ବିଦେଶରେ ରହୁଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଶିଖିବା ନିମିତ୍ତ ଉଭୟ ଡିଜିଟାଲ ଓ କଠିନ ପୁସ୍ତକ ଯୋଗାଇ ଦିଆଯିବ । ସେମାନଙ୍କୁ ସପ୍ତମ ଶ୍ରେଣୀ ସ୍ତରର ଓଡ଼ିଆ ଉତ୍ତୀର୍ଣ୍ଣ ପ୍ରମାଣପତ୍ର ପ୍ରଦାନ ନିମିତ୍ତ ଏକ ପରୀକ୍ଷା ପ୍ଲାଟଫର୍ମ ମଧ୍ୟ ଉପଲବ୍ଧ କରାଯିବ ।  ରାଜ୍ୟରେ ଶହେ ବର୍ଷରୁ ପୁରୁଣା ୧୦୯ଟି ପ୍ରାଥମିକ ବିଦ୍ୟାଳୟ ଏବଂ ୪୫ଟି ଉଚ୍ଚ ବିଦ୍ୟାଳୟକୁ ଐତିହ୍ୟ ଭାବେ ଘୋଷଣା କରାଯିବା ସହ ଉକ୍ତ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବରପୁତ୍ରମାନଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମ୍ମିଳନୀ ଅବସରରେ ସମ୍ମିଳନୀ ସ୍ଥଳ ଏବଂ ଭୁବନେଶ୍ୱର ମହାନଗରକୁ ଆଲୋକମାଳାରେ ସୁସଜ୍ଜିତ କରାଯିବ ।