ତୋଷାଳି ମେଳା ବୁଲି ଦେଖିଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଭୁବନେଶ୍ୱର: ସ୍ଥାନୀୟ ଜନତା ମୈଦାନ ଠାରେ ମାର୍ଚ୍ଚ ୨୮ ତାରିଖ ଠାରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି । ଏହି ମେଳାରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ ହେଉଛି । ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ଆଜି ଓଡ଼ିଶା ଉଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଏସ୍ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୁଷ୍ପ ପ୍ରଦାନ କରି ଆଜି ସନ୍ଧ୍ୟାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ଶୁଭାଶର୍ମା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ମେଳା ଭ୍ରମଣ କରାଇଥିଲେ ।

ଆଜି ସନ୍ଧ୍ୟାରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, କେସିଙ୍ଗା, କଳାହାଣ୍ଡିର କଳାକାରମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ତତସହିତ ପାୟଲ ଅନୁଷ୍ଠାନ, କଟକର କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ଓ ସମ୍ୱଲପୁରୀ ନୃତ୍ୟ ସଙ୍ଗେ ସଙ୍ଗେ ଶ୍ରୀମତୀ ସୁଚିସ୍ମିତା ବେହେର ଓ ସାଥିଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା ।

ଷୋଡ଼ଙ୍ଗ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ନବମ ସନ୍ଧ୍ୟାରେ ଜନତା ମୈଦାନରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା । ପରିଦର୍ଶକମାନେ ନିଜ ମନ ପସନ୍ଦର ହସ୍ତଶିଳ୍ପ ଓ ହସ୍ତଶିଳ୍ପ ସାମଗ୍ରୀର କିଣାବିକା କରିବା ସହିତ ସୁସ୍ୱାଦୁ ଖାଦ୍ୟ ତଥା ପାରମ୍ପରିକ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ । ଏ ପର୍ଯ୍ୟନ୍ତ ଏହି ମେଳାରେ ଖୁବ୍ ଭଲ କାରବାର ହେଉଥିବାରୁ କାରିଗର ତଥା ବୁଣାକାରମାନଙ୍କ ମଧ୍ୟରେ ଖୁବ୍ ଉତ୍ସାହ ପରିଲକ୍ଷିତ ହେଉଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳା ପ୍ରତ୍ୟହ ଅପରାହ୍ଣ ୨ଘଣ୍ଟିକା ଠାରୁ ରାତ୍ର ୧୦ଘଣ୍ଟିକା ପର୍ଯ୍ୟନ୍ତ ଖୋଲା ରହୁଛି । ତୋଷାଳି ଜାତୀୟ ହସ୍ତଶିଳ୍ପ, ମେଳା ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।