ନବ ନିଯୁକ୍ତ ଶିକ୍ଷକଙ୍କୁ ନବୀନଙ୍କ ମନ୍ତ୍ର: ଶିକ୍ଷକ ରାଷ୍ଟ୍ର ନିର୍ମାତା, ଜାତିର ଗୌରବ

1 min read

ଭୁବନେଶ୍ୱର: ଶିକ୍ଷା ରୂପାନ୍ତରଣରେ ଯୋଡି ହେଲା ନୂଆ ଏକ ଫର୍ଦ୍ଦ । କଳିଙ୍ଗ ଷ୍ଟାଡିୟମରେ ହୋଇଛି ବିଭିନ୍ନ ମାଧ୍ୟମିକ ସ୍କୁଲର ନବ ନିଯୁକ୍ତ ଶିକ୍ଷକଙ୍କ ଓରିଏଣ୍ଟସନ କାର୍ଯ୍ୟକ୍ରମ । ଏଥିରେ ନିଯୁକ୍ତ ପାଇଥିବା ୬ ହଜାର ୮୯୧ ଜଣ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି । ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷକତାର ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ବିଭାଗୀୟ ସଚିବ ଓ ଅଧୀକାରୀମାନେ ଯୋଗ ଦେଇଛନ୍ତି ।

ନବ ନିଯୁକ୍ତ ଶିକ୍ଷକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ସେହିପରି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ,  ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଟୁକୁନି ସାହୁ, ଉଚ୍ଚଶିକ୍ଷା ମନ୍ତ୍ରୀ  ରୋହିତ ପୂଜାରୀ ଉପସ୍ଥିତ ରହିଥିଲେ  । ଗଣଶିକ୍ଷା ସଚିବ ଏବଂ 5T ସଚିବ ମଧ୍ୟ ଉପସ୍ଥିତ ରହିଥିଲେ  ।  ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମକୁ ପ୍ରବେଶ ବେଳେ ଶିକ୍ଷକମାନେ କେବଳ ମୋବାଇଲ, ଆଧାର କାର୍ଡ, ପର୍ସ ଓ ପରିଚୟ ପତ୍ର ସାଙ୍ଗରେ ନେଇପାରିବେ । ହାଇସ୍କୁଲ ରୂପାନ୍ତରଣ ଭିତ୍ତିଭୂମିର ବିକାଶ ପରେ ଏବେ ଶିକ୍ଷକଙ୍କ ନିଯୁକ୍ତିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି, ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ବାସ, ମୋ ଓଡିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜଳ କରିବାରେ ଆପଣମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ କଳିଙ୍ଗ ହକି ଷ୍ଟାଡିଅମ ଠାରେ ନବନିଯୁକ୍ତ ଶିକ୍ଷକ ମାନଙ୍କୁ ଉଦବୋଧନ ଦେଇ ଏହି ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷକ ନିଯୁକ୍ତି କାର୍ଯ୍ୟକ୍ରମ ଜୋରଦାର ରେ ଜାରି ରହିଛି । ଗତ ୩ ବର୍ଷ ମଧ୍ୟରେ ୧୪ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ପାଇଛନ୍ତି ବୋଲି ସେ କହିଥିଲେ । ଶିକ୍ଷକତା ପରି ଏକ ମହାନ ବୃତ୍ତିରେ ଯୋଗ ଦେଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରନିର୍ମାତା । ଜାତିର ଗୌରବ। ଦେଶର ଭବିଷ୍ୟତ ପୀଢିକୁ ଗଢିବାର ପବିତ୍ର ଦାୟିତ୍ବ ଆପଣମାନେ ନେଉଛନ୍ତି । ଶିକ୍ଷା ହିଁ କେବଳ ଗୋଟିଏ ବ୍ୟକ୍ତି ବା ପରିବାର ବା ସମାଜ ନୁହେଁ, ଶିକ୍ଷା ଗୋଟିଏ ଜାତିର ଭାଗ୍ୟ ପରିବର୍ତ୍ତନ କରିଦିଏ ବୋଲି ସେ ମତବ୍ୟକ୍ତ କରିଥିଲେ।

 

ସରକାରଙ୍କ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଲେ ଯେ ଶିକ୍ଷା ହେଉଛି ରୂପାନ୍ତରର ଶକ୍ତିଶାଳୀ ମାର୍ଗ । ସ୍ବଚ୍ଛତା, ପ୍ରଯୁକ୍ତିବିଦ୍ୟା, ଟିମ୍‌ ୱାର୍କ, ସମୟ ଓ ରୂପାନ୍ତର ହେଉଛି ଆମ ପ୍ରଶାସନିକ ବ୍ୟବସ୍ଥାର ମନ୍ତ୍ର ବୋଲି ସେ କହିଥିଲେ । ସ୍କୁଲ ରୂପାନ୍ତର ବିଷୟରେ ସୂଚନା ଦେଇ ସେ କହିଲେ ଯେ ଏ ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ୪୦୦୦ ସ୍କୁଲର ରୂପାନ୍ତର କାମ ସରିଲାଣି। ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଚାରି ହଜାର ଆଠ ଶହ ସ୍କୁଲ ରୂପାନ୍ତର କରାଯିବ ।