ବଢ଼ିବ ଶିକ୍ଷାର ମାନ: ଡିଗ୍ରି କଲେଜରେ ୨୭୪ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

1 min read

ଭୁବନେଶ୍ୱର: ରାଜ୍ୟରେ ବଢିବ ଶିକ୍ଷାର ମାନ । ଗୁଣାତ୍ମକ ଶିକ୍ଷାର ରୂପାନ୍ତରଣ ପାଇଁ ଆଉ ପାଦେ ଆଗକୁ ବଢିଲେ ରାଜ୍ୟସରକାର । ଆଜି ରାଜ୍ୟର ଅନୁଦାନପ୍ରାପ୍ତ ବିଭିନ୍ନ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ଦିଆଯାଇଛି ନିଯୁକ୍ତି । ଇଂରାଜୀରେ ୧୫୬ , ରାଜନୀତି ବିଜ୍ଞାନ ୧୧୭ ଏବଂ ଗଣିତରେ ଜଣକୁ ନିଯୁକ୍ତି ଦିଆଯାଇଛି । ଲୋକସେବା ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଓରିଏଣ୍ଟେସନ୍‍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ଦିଗ୍‍ଦର୍ଶନ ଦେଇଥିଲେ । ସମାଜର ପରିବର୍ତ୍ତନ ପାଇଁ ଓଡ଼ିଶାକୁ ଦାୟିତ୍ୱବାନ ଯୁବବର୍ଗ ଆବଶ୍ୟକ ।କେବଳ ପୁସ୍ତକ ପାଠ୍ୟକ୍ରମ ମଧ୍ୟରେ ପିଲାଙ୍କୁ ସୀମିତ ନରଖିବାକୁ ନବନିଯୁକ୍ତ ଅଧ୍ୟାପକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମାଜିକ- ରାଜନୈତିକ ପ୍ରସଙ୍ଗ ନେଇ ପିଲାଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ।

କଲେଜ ଶିକ୍ଷା କ୍ଷେତ୍ରରେ ଅଧ୍ୟାପକଙ୍କ ବଡ଼ ଭୂମିକା: ରହିଥିବା କହିଛନ୍ତି ନବୀନ । ଇଂରାଜୀ ଜ୍ଞାନ ଥିଲେ ଆନ୍ତର୍ଜାତିକ ପ୍ରସଙ୍ଗ ବୁଝିପାରିବେ ପିଲା । ଏନେଇ ଇଂରାଜୀ ଭାଷା ଶିକ୍ଷାରେ ଗୁଣବତ୍ତାକୁ ଗୁରୁତ୍ୱ ଦିଆଯାଇଛି । ଏହା ଦ୍ୱାରା ବିଶ୍ୱରେ ଆମ ଅର୍ଥନୀତିର ଅଭିବୃଦ୍ଧି ହୋଇପାରିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଓଡ଼ିଶା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।