ସଂଗଠନକୁ ନୂଆରୂପ ଦେବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ କସରତ ଜାରି
1 min readଭୁବନେଶ୍ବର : ସବୁ ଦଳକୁ ସଂଗଠନ ଚିନ୍ତା । ଜାରି ରହିଛି ୩ ରାଜନୈତିକ ଦଳର ନବକଳେବର ପ୍ରକ୍ରିୟା । ବିଜେଡ଼ି କହିଲା ଖୁବଶୀଘ୍ର ନୂଆ ଟିମ । ଅଧା ଟିମ ଗଢିଛି ବିଜେପି । ୭ମାସ ହେବ ମୁଖିଆ ପାଉନି କଂଗ୍ରେସ ।.ବିଜେଡ଼ି-ବିଜେପି ଓ କଂଗ୍ରେସକୁ ଘାରିଛି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ସବୁ ଛାମୁଆ ସଂଗଠନକୁ ଭାଙ୍ଗିବା ସହ ତୃଣମୂଳ ସ୍ତରରୁ ରାଜ୍ୟ କାର୍ଯ୍ୟକାରଣୀ ନିର୍ବାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି । ଦଳର ନିର୍ବାଚନୀ ଅଧିକାରୀ ଭାବେ ବିଧାୟକ ପ୍ରତାପ ଦେବକୁ ନିଯୁକ୍ତି ଦେଇଛନ୍ତି ନବୀନ । ଦଳର ବିଧାୟକମାନେ କହିଛନ୍ତି ଯେ ବିଜେଡି ତାର ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ କରିଛି । ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ସଂଗଠନର ନବକଳେବର ହେଉଛି । ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଥରେ ଦଳ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା କରାଯାଉଛି । ନୂଆଟିମରେ କାହାକୁ ସ୍ଥାନ ଦିଆଯିବ ତାହାକୁ ନେଇ ଦଳ ଭିତରେ ଚାଲିଛି ବିଚାରବିମର୍ଶ । ବିଜୁ ଜନତା ଦଳ ଟିମ ସହ, ଛାମୁଆ ସଂଗଠନ ମହିଳା, ଯୁବ, ଛାତ୍ର ,ଶ୍ରମିକ ସାମ୍ମୁଖ୍ୟ , ଲିଗାଲ ସେଲ ପରି ସଂଗଠନକୁ ନବକଳେବର କରିବ । ବିଜେଡ଼ି ନୂଆରୂପରେ ଆସି ଓଡ଼ିଶାବାସୀଙ୍କ ସେବା ପାଇଁ ଦିନରାତି ଏକ କରି କାମ କରିବେ ବୋଲି ଦଳୀୟ ବିଧାୟକମାନେ କହିଛନ୍ତି ।
ସେପଟେ ଶାସକ ବିଜେପିରେ ମଧ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଏଯାଏ ଦଳ ୨୩ଟି ଜିଲ୍ଲା ସଭାପତି ଘୋଷଣା କରିଥିବା ବେଳେ ୧୪ ଟି ସାଂଗଠନିକ ଜିଲ୍ଳାରେ ଜିଲ୍ଲାସଭାପତି ଚୟନ କରିପାରୁନାହିଁ । ୧୪ଟି ଜିଲ୍ଲାରେ ସଭାପତି ରେସରେ ଏକାଧିକ ପ୍ରାର୍ଥୀ ଥିବାରୁ ଦଳ ଅଧାଗଢା ଟିମ ଗଠନ କରିଛି ।ଅନ୍ୟପଟେ ୭ ମାସ ଧରି କଂଗ୍ରେସର ମୁଖିଆ ଚୟନ ଅଭିଯାନ ଜାରି ରହିଛି । ଦଳର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଦିଲ୍ଲୀ ନିର୍ବାଚନରେ ପରେ ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ପିସିସି ସଭାପତି । ଏହାପରେ ଦଳ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇ ଜିଲ୍ଲାରୁ ରାଜ୍ୟ ଯାଏ ସଂଗଠନର ନବକଳେବର କରାଯିବ । ୨୦୨୪ ନିର୍ବାଚନ ପରେ ୨୦୨୭ ପାଇଁ ଏବେଠାରୁ ୩ ପ୍ରମୁଖ ରାଜନୈତିକ ଦଳ ସଂଗଠନକୁ ନୂଆରୂପ ଦେଇ ତୃଣମୂଳ ସ୍ତରରୁ ନିଜକୁ ମଜଭୁତ କରିବାକୁ ଫୋକସ କରିଛନ୍ତି । ୩ ପ୍ରମୁଖ ଦଳର ନୂଆଟିମକୁ ନେଇ ଦଳ ଭିତରେ ଉତ୍ସାହ ରହିଥିବା ବେଳେ ନେତାଙ୍କୁ ଦାୟିତ୍ବ ବଣ୍ଟନ କରିବା ଶୀର୍ଷ ନେତୃତ୍ବ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।