ବଢ଼ିବ ବିଜୁଳି ଦର ! କମ୍ପାନୀ ଚାପରେ ମୁଣ୍ଡ ବିକି ଦେବେ କି ରାଜ୍ଯ ସରକାର ?

ଭୁବନେଶ୍ବର: ବଢ଼ିବ ବିଜୁଳି ଦର  ! ଓଇଆରସିରେ ଚଳିତବର୍ଷ ବିଜୁଳି ଦର ସଂକ୍ରାନ୍ତ ଜନ ଶୁଣାଣି ସରିବା ପରେ ଏମିତି ସମ୍ଭାବନା ଦେଖାଦେଇଛି । ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇ ଯଦି ସରକାର ଦର ବୃଦ୍ଧି କରନ୍ତି ତେବେ ଏହାକୁ ଦୃଢ ବିରୋଧ କରାଯିବ । ଯାହାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି ।

ଓପିଜିସି, ଓଏଚପିସି, ଗ୍ରୀଡକୋ ସହ ଅଧିକାଂଶ ବିତରଣ ଓ ଆବଣ୍ଟନ କମ୍ପାନୀ ବିଜୁଳି ଦର ବୃଦ୍ଧି କରିବାକୁ ଓଇଆରସି ଜନ ଶୁଣାଣିରେ ପ୍ରସ୍ତାବ ରଖିଛନ୍ତି ।  ସୂଚନା ଅନୁସାରେ ସରକାରଙ୍କ ଅଧୀନରେ ଥିବା ଏହି ଦୁଇ ସଂସ୍ଥା ଦରବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ।  ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ବିଜୁଳି ଶୁକ୍ଳ ବୃଦ୍ଧି ପାଇଁ ଜନ ଶୁଣାଣିରେ ନିଜର ପକ୍ଷ ରଖିବା ପରେ ତେଜିଛି ରାଜନୀତି । କମ୍ପାନୀଙ୍କ ଲାଭ ପାଇଁ ସରକାର ବିଜୁଳି ଦର ବୃଦ୍ଧି କରିବାକୁ ଯୋଜନା କରିଛନ୍ତି । ବିଜୁଳି ଦର ପାଖାପାଖି ୧ ଟଙ୍କା ୧୨ ପଇସା ବୃଦ୍ଧି କରିବାକୁ ଯୋଜନା କରାଯାଇଛି । ପଇସାଟିଏ ବିଜୁଳି ଦର ବୃଦ୍ଧି ହେଲେ ସାରା ଓଡ଼ିଶାରେ କଂଗ୍ରେସ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି । ଶିଳ୍ପପ୍ରତିଙ୍କୁ ଋଣ ଛାଡ କରି ଲୋକଙ୍କ ଉପରେ ବୋଝ ବଢ଼ାଇବାକୁ ସରକାର ଯୋଜନା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କିଏ କେତେ ଦୂର ବୃଦ୍ଧି ପାଇଁ କରିଛି ଦାବି ?

ଆସନ୍ତୁ ନଜର ପକାଇବା କିଏ କେତେ ଦର ବୃଦ୍ଧି କରିବାକୁ କରିଛନ୍ତି ଦାବି । ଓଏଚପିସି ୟୁନିଟ ପିଛା ୨୬ ପଇସା, ଓପିଜିସି ୪୦ ପଇସା, ଗ୍ରୀଡକୋ ୫୪ ପଇସା, ଓପିଟିସିଏଲ୍ ୧୨ ପଇସା, ଟିପିଏସଓଡିଏଲ ୭୩ ପଇସା ଓ ଟିପିସିଓଡିଏଲ୍ ୧୨ ପଇସା ବିଜୁଳି ଦର ବଢ଼ାଇବାକୁ ଦାବି କରିଛନ୍ତି । ମୋଟ ବିଜୁଳି ୟୁନିଟ୍ ପିଛା ୧ ଟଙ୍କା ୮ ପଇସା ବୃଦ୍ଧି କରିବାକୁ ଦାବି ହୋଇଛି । ସେପଟେ ବିଜୁଳି ଦର ବୃଦ୍ଧି ପ୍ରସ୍ତାବକୁ ଦୃଢ ବିରୋଧ କରିଛି ବିଜେଡି । ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ଓଡିଶା ଲୋକଙ୍କୁ ବିଜେପି ସରକାର ଭଣ୍ଡାଇବା ବନ୍ଦ କରନ୍ତୁ । ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର ଗଠନ କରିଛି ବିଜେପି । ମାଗଣାରେ ୩୦୦ ୟୁନିଟ୍ ବିଜୁଳି ଦେବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ବ୍ୟୋମକେଶ । ବିଜୁଳି ଦର ବୃଦ୍ଧି ହେଲ ଦଳ ଏହାକୁ ଦୃଢ ବିରୋଧ କରିବ । ସେପଟେ ଉପଭୋକ୍ତା ସଂଘ ମଧ୍ୟ କହିଛି, ବିଜୁଳି ଦର ବୃଦ୍ଧି ହେଲେ ଏହାକୁ ବିରୋଧ କରାଯିବ ।

ମାର୍ଚ୍ଚ ୧ରେ ବସିବ ରାଜ୍ୟ ଉପଦେଷ୍ଟା କମିଟି ବୈଠକ । ଏଥିରେ ଦର ବୃଦ୍ଧି ନେଇ କମ୍ପାନୀମାନେ ଦେଇଥିବା ପ୍ରସ୍ତାବ ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏପ୍ରିଲରୁ ନୂଆ ବିଜୁଳି ଦର ଲାଗୁ ହେବ । ଶେଷ ୨ ବର୍ଷ ହେଲା ବିଜୁଳି ଦର ବୃଦ୍ଧି କରି ନଥିଲେ ପୂର୍ବ ସରକାର । ନବୀନ ପଟ୍ଟନାୟକଙ୍କ ସମୟରେ ୟୁନିଟ ପିଛା ୧୦ ପଇସା କମିଥିଲା । ହେଲେ ନୂଆ ସରକାର ଆସୁ ଆସୁ ଲଦିଛନ୍ତି ବୋଝ ।