spot_img

Latest Posts

ଫଳ ବିକାଳିରୁ ପଦ୍ମ ପୁରସ୍କାର ବିଜେତା, ଜାଣନ୍ତୁ ହରେକଲା ହାଜବ୍ବା କିଏ? କାହିଁକି ତାଙ୍କୁ କୁହାଯାଏ ‘ଶିକ୍ଷା ସନ୍ଥ’?

ନୂଆଦିଲ୍ଲୀ: ସାଧାସିଧା ଧୋତି ଓ ସର୍ଟ ପିନ୍ଧି ଖାଲିପାଦରେ  ଯେତେବେଳେ ସେ ଆଗକୁ ପାଦ ପକାଇ ରାଷ୍ଟ୍ରପତିଙ୍କ ଆଡକୁ ଅଗ୍ରସର ହେଉଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା । ରାଷ୍ଟ୍ରପତି ଭବନର ପ୍ରୋଟକଲ ଭିତରେ ବେଖାପ୍ ଲାଗୁଥିବା ସେହି ବ୍ୟକ୍ତି ଜଣକ  ଜଣେ ଫଳ ବିକ୍ରେତା । ଦେଶର ପ୍ରଥମ ନାଗରିକ ତାଙ୍କୁ ସମ୍ମାନିତ କରୁଥିଲେ । ସାଧାସିଧା ବେଶରେ ଥିବା ସେହି ବ୍ୟକ୍ତି ଶିକ୍ଷା ସନ୍ଥ ଭାବେ ପରିଚିତ । ନିଜେ ଅଶିକ୍ଷିତ ହୋଇ ମଧ୍ୟ ଶିକ୍ଷାର ମହତ୍ୱ ବୁଝିଥିବା ସେହି ଅସାଧରଣ ବ୍ୟକ୍ତିଙ୍କ ନାମ ହେଉଛି ହରେକଲା ହାଜବ୍ବା । ହରେକଲା ହଜବ୍ବା… ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଲାଗି ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଜଣେ ଫଳ ବିକାଳି। କର୍ଣ୍ଣାଟକ ମାଙ୍ଗାଲୁରୁରେ ଘର। ବୟସ ୬୮ ।

ବଜାରବାଦର ଯୁଗରେ ଯେତେବେଳେ ସମସ୍ତେ ଟଙ୍କା ପଛରେ ଦୌଡୁଛନ୍ତି,ସେତେବେଳେ ଏହି ସାଧରଣ ବ୍ୟକ୍ତି ଜଣକ ନିଜ ପେଟକୁ ମାରି ଗାଁ’କୁ ଦେଇଛନ୍ତି ସ୍କୁଲ । ଅନେକ ପିଲାଙ୍କୁ ଦେଖାଇଛନ୍ତି ଭବିଷ୍ୟତର ରାସ୍ତା । ହାଜବ୍ବାଙ୍କ ଜୀବନ ଏମିତି ଯାହା ଅବିଶ୍ୱସନୀୟ,ଅକଳ୍ପନୀୟ ଓ ଅନେକ ଆଶାର କାହାଣୀ…

କମଳା ବିକି ଦୈନିକ ୧୦୦ ରୁ ୧୫୦ ଟଙ୍କା ଆୟ କରୁଥିବା ହାଜବ୍ବା ନିଜ ଆୟରେ ନିଉପଡପୁ ଗାଁରେ ପିଲାଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କରିଛନ୍ତି। ସେହି ଗ୍ରାମରେ ପାଖାପାଖି ୧୮୦ ପିଲା ଶିକ୍ଷାରୁ ବଞ୍ଚିତ ଥିଲେ।  ହାଜବ୍ବାଙ୍କ ପ୍ରୟାସରେ ସେଠାରେ ସ୍କୁଲ ପ୍ରତିଷ୍ଠା ହୋଇଥିବା ବେଳେ ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ଅବଦାନ ପାଇଁ ରାଷ୍ଟ୍ରପତି ତାଙ୍କୁ ଦେଶର ଚତୁର୍ଥ ବୃହତ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ତେବେ ଆପଣ ଜାଣନ୍ତି ହଜବ୍ବାଙ୍କୁ ସ୍କୁଲ ତିଆରି ପାଇଁ ପ୍ରେରଣା କେଉଁଠୁ ମିଳିଲା । ଏବଂ ଏତେ କମ୍ ଆୟ ସତ୍ୱେ ସେ କାହିଁକି ନିଜ ଖର୍ଚ୍ଚରେ ସ୍କୁଲ ନିର୍ମାଣ କଲେ? ଆସନ୍ତୁ ଏ ବିଷୟରେ ଜାଣିବା……

୧୯୭୭ ମସିହାରୁ ମାଙ୍ଗାଲୁରୁ ବସ୍ ଡିପୋରେ କମଳା ବିକ୍ରି କରୁଥିବା ହାଜବା  ଆଦୌ ପାଠ ପଢ଼ିନାହାନ୍ତି । ସେ କେବେ ସ୍କୁଲ ଯାଇ ନାହାନ୍ତି । ୧୯୭୮ ମସିହାରେ ଜଣେ ବିଦେଶୀ ନାଗରିକ ତାଙ୍କୁ କମଳାର ଦାମ୍ ପଚାରିଥିଲେ । ଇଂରାଜୀ କିମ୍ବା ହିନ୍ଦୀ ଜାଣି ନଥିବାରୁ ସେ କିଛି ବୁଝିପାରିନଥେଲେ। ପାଠ ପଢ଼ି ନଥିବାରୁ ବାହାର ଲୋକଙ୍କ ସହ କଥାବାର୍ତ୍ତା ହେବାରେ ତାଙ୍କୁ ଅନେକ ଅସୁବିଧା ହେଉଥିଲା। ଯାହାକୁ ତାଙ୍କୁ ଚିନ୍ତାରେ ପକାଇଦେଇଥିଲା ଓ ଶିକ୍ଷାର ଅସଲ ମହତ୍ତୱ ସେ ବୁଝିପାରିଥିଲେ । ବାସ୍ ସେବେଠୁ ସେ ନିଷ୍ପତ୍ତି ନେଇଥିଲେ ଯେ ନିଜ ଭଳି ସେ ନିଜ ଗାଁ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ ହେବାକୁ ଦେବେନାହିଁ । ସେ ନିଜ ଗାଁରେ ଏକ ପ୍ରାଇମେରି ସ୍କୁଲ ତଆରି କରିବେ ।

କମଳା ବିକ୍ରି କରି ଯାହା ରୋଜଗାର କରିଥିଲେ ସେହି ଟଙ୍କାରେ ସ୍କୁଲ ଆରମ୍ଭ କରିଥିବା ବେଳେ ତତ୍କାଳୀନ ବିଧାୟକ ସ୍କୁଲ ଗୃହ ନିର୍ମାଣ ପାଇଁ ସହଯୋଗ କରିଥିଲେ। ଆଜି ସେ ତିଆରି କରିବା ସ୍କୁଲକୁ ସରାକରୀ ମାନ୍ୟତା ମିଳିସାରିଛି। ଏହି ସ୍କୁଲଟି ‘ହଜବା ବିଦ୍ୟାଳୟ’ ନାମରେ ଜଣାଶୁଣା । ଏଥିରେ ପ୍ରାୟ ୧୭୫ ଛାତ୍ରଛାତ୍ରୀ ପାଢ଼ୁଛନ୍ତି। ବର୍ତ୍ତମାନ ନିଜ ଗାଁରେ ଏକ ଜୁନିୟର କଲେଜ ଖୋଲିବା ପ୍ରତିଷ୍ଠା କରିବା ମଧ୍ୟ ତାଙ୍କ ସ୍ୱପ୍ନ । ହଜବ୍ବାଙ୍କୁ ତାଙ୍କ ଅଞ୍ଚଳରେ ‘ଶିକ୍ଷା ସନ୍ଥ’ କୁହାଯାଏ । ସାମାଜିକ କର୍ମୀ ଇସମାତ୍ ପାଜିର ତାଙ୍କ ଉପରେ ‘ହରେକାଲା ହଜବ୍ବାବା ଜୀବନ ଚାରିତ୍ର’ ନାମକ ଏକ ପୁସ୍ତକ ଲେଖିଛନ୍ତି। ନିଜେ ଯିଏ କେବେ ସ୍କୁଲ ମାଟି ମାଡି ନାହାନ୍ତି  ତାଙ୍କ ଜୀବନର କାହାଣୀ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ହୋଇଛି ।

ଜାନୁଆରୀ ୨୦୨୦ ରେ ମୋଦୀ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା କରିଥିଲେ। କିନ୍ତୁ, କରୋନା ସଂକ୍ରମଣ ହେତୁ ସେହି ବର୍ଷ ଏହି କାର୍ଯ୍ୟକ୍ରମ ହୋଇପାରିଲା ନାହିଁ। ସେଥିପାଇଁ, ୨୦୨୦ ଏବଂ ୨୦୨୧ ପାଇଁ ପଦ୍ମ ପୁରସ୍କାରର କାର୍ଯ୍ୟକ୍ରମ ଗତକାଲି ଆୟୋଜିତ କରାଯାଇଥିଲା।  ହଜ୍ଜବାଙ୍କୁ ବର୍ତ୍ତମା ସୁଦ୍ଧା ୫୦୦ ସଂସ୍ଥାରୁ ସମ୍ମାନିତ କରାସରିଛି। ତେବେ ସେ କୁହନ୍ତି ଯେ ନିଜର ଛୋଟିଆ ଘରେ ସେ ଏହି ପୁରସ୍କାର ଗୁଡ଼ିକ ସହ ପଦ୍ମ ପୁରସ୍କାର କୁ ବି ସଜାଇ ରଖିବେ ।

Latest Posts

Don't Miss