ଲଘୁଚାପ ପ୍ରଭାବରେ ଆଜି ପ୍ରବଳ ବର୍ଷିବ, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହାସହ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଆଜି ଲଘୁଚାପର ରହିବ ସର୍ବାଧିକ ପ୍ରଭାବ। ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ କୋରାପୁଟ, ମାଲକାନଗିରି, ଗଂଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହପିରି ପ୍ରବଳ ବର୍ଷା ପାଇଁ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ରହିବ। ବିଶେଷକରି ଦକ୍ଷିଣ ଓଡ଼ିଶା ସହ କେନ୍ଦ୍ରୀୟ ଓ ଉପକୂଳ ଓଡିଶାରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ। ୨୧ ଯାଏ ବର୍ଷା ଲାଗି ରହିବା ସହ ୨୩ରେ ବର୍ଷାର ପରିମାଣ ସାମାନ୍ୟ କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲଘୁଚାପର ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ କାଲି ଠାରୁ ୨୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି। ଚଳିତ ସିଜିନରେ ଜୁନ ୧ ତାରିଖରୁ ଏଯାଏଁ ୨୮୮.୩୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ଏବେ ବି ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି ।