ସାରା ରାଜ୍ୟରେ ନିଆଁ ବର୍ଷା, କାଲି ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ନିଆଁ ବର୍ଷା । ସୂର୍ଯ୍ୟ ଉଇଁଲେ ଉପାନ୍ତରୁ ଉପକୂଳ ସବୁଠି ଜାରି ହେଉଛି ତାତିର ଅଘୋଷିତ କର୍ଫ୍ୟୁ । ସକାଳୁ ସକାଳୁ ରାଜଧାନୀରେ ପ୍ରବଳ ଗୁଳୁଗୁଳି । ସକାଳ ୫.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୬ ଡ଼ିଗ୍ରୀ ଏବଂ ଆଦ୍ରତା ୯୦% ରେକର୍ଡ ହୋଇଛି । ଲଗାତାର ୧୫ ଦିନରୁ ଅଧିକ ସମୟ ଧରି ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।  ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ୍ ପାଇଁ ପଶ୍ଚିମ ଓଡ଼ିଶାକୁ ସତର୍କତା ଜାରି ହୋଇଥିବା ବେଳେ ୧୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଆଜି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସୋନପୁର, ବୌଦ୍ଧ, ଦେବଗଡ଼, କେନ୍ଦୁଝର, କଟକ, ନୟାଗଡ଼, ଖୋର୍ଦ୍ଧା ଏବଂ ବଲାଙ୍ଗୀରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ସ୍ବାଭାବିକଠାରୁ ୬.୫ ଡିଗ୍ରୀରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ । ସିଭିୟର ହିଟଓ୍ବେଭ୍ ସମୟରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିକ୍ ଆଓ୍ବାର ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ୨୧ ତାରିଖ ପରେ ରାଜ୍ୟରେ ବଦଳିପାରେ ପାଗ ।