ଓପିଏସସି ବିଜ୍ଞପ୍ତିକୁ ନେଇ ଉଠିଲା କେଁ, ସିଭିଲ ସର୍ଭିସ ପରୀକ୍ଷାରେ ସଂରକ୍ଷଣରେ ଅସଂଗତି ଅଭିଯୋଗ

1 min read

ଭୁବନେଶ୍ୱର : ୨୦୨୫ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବିଜ୍ଞପ୍ତିକୁ ନେଇ କେଁ । ସଂରକ୍ଷିତ ବର୍ଗଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ପଦବୀ ରହୁଛି ସଂରକ୍ଷିତ । ଯାହାକି ସୁପ୍ରିମକୋର୍ଟଙ୍କ ଦ୍ବାରା ଧାର୍ଯ୍ୟ ନିୟମ ଓ ୧୯୭୫ ଓଆର୍ଭି ଆଇନ ଧାରା ୭ର ଖୋଲା ଉଲ୍ଲଂଘନ । ଏ ନେଇ ଅଭିଯୋଗ କରିଛନ୍ତି ସଚିବାଳୟ ସେବା କ୍ୟାଡରର ପୂର୍ବତନ ଅଧିକାରୀ । ଚଳିତ ବର୍ଷ OAS, OFS,OCS ଓ ORS ସେବାର ୨୦୦ ପଦବୀ ପୂରଣ ପାଇଁ ଓଡ଼ିଶା ଲୋକସେବା ଆୟୋଗ ୨୦୨୫ ସିଭିଲ ସର୍ଭିସ ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲେ । ସେଥିରେ ସଦ୍ୟ ଖାଲି ପଦବୀ ସହିତ ଏକସଙ୍ଗେ ବଳକା ସଂରକ୍ଷିତ ବର୍ଗଙ୍କ ପାଇଁ ଖାଲି ପଦବୀ ପ୍ରକାଶ କରିଛନ୍ତି । ଯାହାକି ନିୟମ ବିରୁଦ୍ଧ ।

ପୂର୍ବତନ ଅଧିକାରୀଙ୍କ ମତରେ ସିଭିଲ ସର୍ଭିସ ମେଧା ଚୟନ ବିଜ୍ଞପ୍ତିରେ ସାଧାରଣ ବର୍ଗ ଓ ସଂରକ୍ଷିତ ବର୍ଗ ବି ସାମିଲ । କିନ୍ତୁ କୌଣସି ବି ସ୍ଥିତିରେ ଗୋଟିଏ ବିଜ୍ଞପ୍ତିରେ ବ୍ୟାକ ଲଗ୍ ଖାଲି ପଦବୀ ପୂରଣ ନେଇ ପରୀକ୍ଷା କରାଯାଇପାରିବନି । ଏପରି କଲେ ସଂରକ୍ଷିତ ବର୍ଗଙ୍କ ପାଇଁ ସ୍ବତନ୍ତ୍ର ନିଯୁକ୍ତି ଡ୍ରାଇଭର ଅର୍ଥ କଣ ରହିବ ? ଏହାଦ୍ବାରା ସରକାରୀ ପଦୋନ୍ନତି କ୍ଷେତ୍ରରେ ଅସଂଗତି ସୃଷ୍ଟି ହେବ । ପିଛିଲା ବର୍ଷର ସଂରକ୍ଷିତ ପଦବୀକୁ ଚଳିତବର୍ଷ ସଂରକ୍ଷିତ ପଦବୀ ସହିତ ମିଶାଇ ହିସାବ କରିବା ପରିବର୍ତ୍ତେ ତାକୁ ପୃଥକ ଭାବେ ହିସାବ କରାଯାଇଛି । ପ୍ରକାଶିତ ବିଜ୍ଞପ୍ତିରେ ଶବ୍ଦକୁ ଏପଟସେପଟ କରି ବ୍ୟାକ୍ ଲଗ୍ ଖାଲି ପଦବୀ ପୂରଣ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିବା ଅଭିଯୋଗ ହୋଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଓଏଏସର ୩୦ ପଦବୀ ମଧ୍ୟରୁ ୧୫ ପଦବୀ ବଦଳରେ ମାତ୍ର ୬ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ରହିଛି । ଓଏଫଏସ ୪୬ ପଦବୀରୁ ୨୩ଟି ପଦବୀ ସାଧାରଣ ବର୍ଗଙ୍କ ପାଇଁ ରହିବା ବଦଳରେ ମାତ୍ର ୧୭ଟି ରଖାଯାଇଛି । ସେହିପରି ଓଡ଼ିଶା ରାଜସ୍ବ ସେବାରେ ମଧ୍ୟ ଅସଂଗତି ରହିଥିବା ଅଭିଯୋଗ ହୋଇଛି । ଖୋଦ ସାଧାରଣ ବର୍ଗର ଆଶାୟୀ ପ୍ରାର୍ଥୀଙ୍କ ଅଭିଯୋଗ ଏବର ସରକାରଙ୍କ ସମୟରେ ସାଧାରଣ ବର୍ଗର ପ୍ରାର୍ଥୀ ପ୍ରତିଯୋଗିତା ମୂଳକ ନିଯୁକ୍ତି ପରୀକ୍ଷା ପାଇଁ ବର୍ଷ ତମାମ ପ୍ରସ୍ତୁତ ହେଉଥିବାବେଳେ ସେମାନଙ୍କ ପାଇଁ ନିଯୁକ୍ତି ପଦବୀ କମ୍ ପ୍ରକାଶ ପାଉଛି । ଏ ଦିଗଟିକୁ ସରକାର ବିଚାର କରିବା ଆବଶ୍ୟକ ।