ଆସାମରେ ରାହୁଲ ଗାନ୍ଧୀଙ୍କୁ ବିରୋଧ: ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କୁ ବିରୋଧ କରିବ କଂଗ୍ରେସ

ବ୍ୟୁରୋ ରିପୋର୍ଟ : ଆସାମରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ବିରୋଧ। ଆସାମର ନୂଆଗାଁଓ ଅଞ୍ଚଳରେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରାଯାଇଛି।  କିଛି ଲୋକେ ପୋଷ୍ଟର ଓ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରିବା ସହ ଗୋ ବ୍ୟାକ ସ୍ଲୋଗାନ ଦେଇଛନ୍ତି। ଆଜି ନୂଆଗାଁଓରେ ରାହୁଲ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ ଯେ, ଆସାମରେ ବିଜେପିର କର୍ମୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବା ସଦସ୍ୟଙ୍କୁ ଆକ୍ରମଣ କରିଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ରୋକିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଅପରପଟେ, ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତାଙ୍କୁ କଂଗ୍ରେସ ବିରୋଧ କରିବ। ରାହୁଲ ଗାନ୍ଧୀଙ୍କ ନ୍ୟାୟଯାତ୍ରାକୁ ବିଜେପି ଭଣ୍ଡୁର କରିବାକୁ ଚାହୁଁଛି। ବିଭିନ୍ନ ଜାଗାରେ ଗଣ୍ଡଗୋଳ କରୁଛି । ଏହାର ପ୍ରତିବାଦରେ ବିଜେପିର କୌଣସି ନେତାଙ୍କୁ କଂଗ୍ରେସ ଓଡ଼ିଶାରେ ପୂରାଇ ଦେବ ନାହିଁ ବୋଲି ଦଳର ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ରାହୁଲ ଗାନ୍ଧୀଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତବ୍ୟର କଡା ଜବାବ ଦେଇଛନ୍ତି ସୁର। ସେ କହିଛନ୍ତି, ରାହୁଲ ଓ ନେହରୁ ପରିବାର ପ୍ରତି ହିମନ୍ତ ଶର୍ମା ଦେଇଥିବା ମନ୍ତବ୍ୟ ଲଜ୍ଜାଜନକ । ହିମନ୍ତ ଶର୍ମା ଓଡ଼ିଶାକୁ ଆସିଲେ ଆମେ ତାଙ୍କୁ କଡ଼ା ଜବାବ ଦେବୁ । ହିମନ୍ତ ଶର୍ମା ପୂର୍ବରୁ କଂଗ୍ରେସରେ ଥିଲେ । ତେଣୁ ରାହୁଲ ଗାନ୍ଧୀଙ୍କୁ ଏମିତି କହିବା ଠିକ୍  ନୁହେଁ ବୋଲି ସୁର କହିଛନ୍ତି  ।