ଆଫସ୍ପାକୁ ନେଇ ଅମିତ ଶାହାଙ୍କ ମିଥ୍ୟା ବିବୃତିକୁ ବିରୋଧ; ନାଗାଲାଣ୍ଡରେ ତେଜିଲା ଆଫସ୍ପା ହଟାଅ ଆନ୍ଦୋଳନ

କୋହିମା: ବିବାଦୀୟ ସଶସ୍ତ୍ର ବାହିନୀ ସ୍ବତନ୍ତ୍ର କ୍ଷମତା ଆଇନ ବା ଆଫସ୍ପା ବିରୋଧରେ ନାଗାଲାଣ୍ଡରେ ବିଦ୍ରୋହ । ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ମିଥ୍ୟା ବିବୃତି ଦେଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ । ନିଜର ମିଥ୍ୟା ବୟାନ ଯୋଗୁ କେନ୍ଦ୍ର ଗୃହମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି ଆନ୍ଦୋଳନକାରୀ । ସଂସଦରେ ପୁଣି ଥରେ ଗୃହମନ୍ତ୍ରୀ ସଂଶୋଧିତ ବୟାନ ଦେବାକୁ ଆନ୍ଦୋଳନକାରୀ ଦାବି କରିଛନ୍ତି । ମନ୍ ଜିଲ୍ଲାରେ କୋନ୍ୟକ ୟୁନିଅନ ପକ୍ଷରୁ ଡାକରା ଦିଆଯାଇଥିବା ଏହି ରାଲିରେ ଆବାଳ ବୃଦ୍ଧବନୀତା ସାମିଲ ହୋଇଥିଲେ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

ୟୁନିଅନ ଉପସଭାପତି ହୋନାଙ୍ଗ କୋନ୍ୟକ କହିଛନ୍ତି ସେମାନେ ନ୍ୟାୟ ଚାହିଁଛନ୍ତି । ସେମାନେ କାହାର ଦୟାର ପାତ୍ର ନୁହନ୍ତି । କେନ୍ଦ୍ର ନିକଟରେ ଉପସ୍ଥାପିତ କରାଯାଇଥିବା ଦାବି ପୂରଣ  ହୋଇନାହିଁ । ଯେ ପର୍ଯ୍ୟନ୍ତ ଏହି ଦାବି ପୂରଣ ହୋଇନାହିଁ ସେଯାଏଁ ଏହି ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି । ସେପଟେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ରାଜ୍ୟରେ ଆଫସ୍ପାକୁ ହଟାଇ ଦିଆଯିବ ବୋଲି ଘୋଷଣା କରିଛି ମଣିପୁର କଂଗ୍ରେସ । ଏନେଇ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରାଯାଉଛି ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave a Reply