ସାମ୍ବାଦିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ
1 min readବାଂଲାଦେଶ : ବାଂଲାଦେଶରେ ଗତ ଅଗଷ୍ଟରେ ଘଟିଥିବା ଆନ୍ଦୋଳନରେ ସାମ୍ବାଦିକଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ପ୍ରତିବାଦ । ବହିଷ୍କୃତ ହୋଇଥିବା ୫ ବରିଷ୍ଠ ଟିଭି ସାମ୍ବାଦିକଙ୍କୁ ପୁନଃଅବସ୍ଥାପିତ କରିବାକୁ ମହମ୍ମଦ ୟୁନୁସ ସରକାରଙ୍କ ଉପରେ ଚାପ ପକାଇଲେ ବିଭିନ୍ନ ଅନ୍ତର୍ଜାତୀୟ ସାମ୍ବାଦିକ ସଂଗଠନ । ଫରେନ କରସ୍ପଣ୍ଡେଣ୍ଟ କ୍ଲବ ଅଫ ସାଉଥ ଏସିଆ ବା FCCSA, ଦି ପ୍ରେସ କ୍ଲବ ଅଫ ଇଣ୍ଡିଆ, ଦି ଇଣ୍ଡିଆନ ଆସୋସିଏସନ ଅଫ ଫରେନ ଆଫାୟାର୍ସ କରସ୍ପଣ୍ଡେଣ୍ଟ୍ସ ପକ୍ଷରୁ ଏହି ଦାବି କରାଯାଇଛି । ଅଗଷ୍ଟ ଆନ୍ଦୋଳନରେ ଏହି ସାମ୍ବାଦିକମାନଙ୍କୁ ବହିଷ୍କାର କରିବା ଲାଗି ଛାତ୍ର ସଂଗଠନଗୁଡିକ ପକ୍ଷରୁ ଦାବି କରାଯିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଗଣମାଧ୍ୟମର ସ୍ବାଧୀନତା ରକ୍ଷାକୁ ଗୁରୁତ୍ବ ଦିଆଯାଉବୋଲି ୟୁନୁସ ସରକାରଙ୍କ ନିକଟରେ ଦାବି ରଖିଛି FCCSA । ଦେଶର ସର୍ବବୃହତ ଚାନେଲ କୁହାଯାଉଥିବା ସମୟ ଟିଭିକୁ ଗତ ଡିସେମ୍ବର ୧୭ରେ ଛାତ୍ର ସଂଗଠନ ନେତା ହସନତ ଅବଦୁଲ୍ଲା ଗସ୍ତ କରିଥିଲେ ଏବଂ ଏହି ସାମ୍ବାଦିକମାନଙ୍କୁ ବହିଷ୍କାର କରିବା ଲାଗି ଦାବି କରିଥିଲେ । ତାଙ୍କର ଦାବି ଅନୁସାରେ ସମୟ ଟିଭିରେ ଦଶନ୍ଧିରୁ ଅଧିକ ଦିନ ଧରି କାର୍ଯ୍ୟରତ୫ ସାମ୍ବାଦିକଙ୍କୁ ବହିଷ୍କାର କରାଯାଇଥିଲା । ବହିଷ୍କୃତ ସାମ୍ବାଦିକମାନେ ହେଲେ ଚିଫ୍ ଇନପୁଟ ଏଡିଟର ଓମାର ଫାରୁକ, ଚିଫ ଆଉଟପୁଟ ଏଡିଟର ଅରିଫଲ ସଜ୍ଜାଦ, ଡିଜିଟାଲ ହେଡ କମଲ ଶାହରିଅର, ଆସିଷ୍ଟାଣ୍ଟ ସ୍ପେଶାଲ ପ୍ରେଜେଣ୍ଟର ଦେବାଶିଷ ରାୟ, ସିନିୟର ରିପୋର୍ଟର ବୁଲବୁଲ ରେଜା । ଅବଦୁଲ୍ଲାଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ସମୟ ଟିଭି ମ୍ଯାନେଜମେଣ୍ଟ ଗତ ଡିସେମ୍ବର ୨୨ ତାରିଖରେ ଏହି ସାମ୍ବାଦିକଙ୍କୁ ବହିଷ୍କାର କରିଥିଲେ । ଅବଦୁଲ୍ଲା ଅଭିଯୋଗ କରିଥିଲେ ଯେ ଚାନେଲ ପକ୍ଷରୁ ତାଙ୍କ ବିବୃତିକୁ ବିଭ୍ରାନ୍ତିମୂଳକ ଭାବେ ପ୍ରସାରଣ କରାଯାଇଥିଲା ଏବଂ ପତନ ଘଟିଥିବା ଏକ ରାଜନୈତିକ ଦଳ ଲାଗି ଆଭିମୁଖ୍ଯ ରଖାଯାଇଥିଲା । ୟୁନୁସ ସରକାର ଗଠନ ପରଠାରୁ ଭାରତ ଓ ବାଂଲାଦେଶ ମଧ୍ଯରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଗତ ଅଗଷ୍ଟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଆଶ୍ରୟ ନେଇଥିବାବେଳେ ତାଙ୍କୁ ପ୍ରତ୍ୟର୍ପଣ ଲାଗି ବାଂଲାଦେଶ ପକ୍ଷରୁ ଦାବି ହୋଇଛି ।