ଭାଗଚାଷୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତାରଣା, ତାତିଲେ ବିରୋଧୀ

ଭୁବନେଶ୍ବର: ଅଦିନିଆ ବର୍ଷାରେ ହୋଇଥିବା ଫସଲହାନୀ ବାବଦକୁ କ୍ଷତିପୂରଣ ଭାଗଚାଷୀଙ୍କୁ ମିଳିବ ନାହିଁ । ସରକାରଙ୍କ ଏଭଳି ଆଭିମୁଖ୍ୟକୁ ସମସ୍ତ ବିରୋଧୀ ଦଳ ତୀବ୍ର ସମାଲୋଚନା କରିଛନ୍ତି । ଭାଗଚାଷୀଙ୍କୁ ସରକାର ମାରିଦେବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସରକାର ପ୍ରତିଶ୍ରୁତି ଦେଇ ଭାଗଚାଷୀଙ୍କ ସହିତ ପ୍ରତାରଣା କରୁଛି ବୋଲି ବିଜେଡି କହିଛି । ଆଇନରେ ସଂଶୋଧନ କରି ସରକାର ତୁରନ୍ତ ଭାଗଚାଷୀଙ୍କୁ କ୍ଷତିପୂରଣ ନ ଦେଲେ ବାମ ଦଳ ଓ କୃଷକ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବକୁ ଦେଇଛନ୍ତି ଚେତାବନୀ । ଭାଗଚାଷୀଙ୍କ ପାଇଁ କୌଣସି ଆଇନ ନଥିବା ବାହାନା କରୁଛି ବିଜେପି ।

ଭାଗଚାଷୀଙ୍କୁ ସରକାର କରୁଛନ୍ତି ହତାଦର। ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା । ସରକାରଙ୍କ ନିଷ୍ପତ୍ତିକୁ ସବୁ ଦଳର କଡ଼ା ସମାଲୋଚନା । ଭାଗଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇବାକୁ ଚେତବନୀ ଦେଇଛି ବାମଦଳ । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରି ଫସଲହାନୀର କ୍ଷତିପୂରଣ ଘୋଷଣା କରିଛନ୍ତି ସରକାର । ହେଲେ ଏଥିରୁ ବାଦ୍ ପଡ଼ିଛନ୍ତି ଭାଗଚାଷୀ । ସରକାରଙ୍କ ଏପରି ନିଷ୍ପତ୍ତି ପରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ କରିଥିବା ଭାଗଚାଷୀ ହତାଶ । ଏମାନଙ୍କୁ କ୍ଷତିପୂରଣ ମିଳିବ ନାହିଁ ବୋଲି ସରକାରଙ୍କ ନାସ୍ତିବାଣୀ ପରେ ସମସ୍ତ ବିରୋଧୀ ଦଳ ତିତିଛନ୍ତି । ନବ ନିର୍ମାଣ କୃଷକ ସଙ୍ଗଠନ ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ଭାଗଚାଷୀଙ୍କ କଥା କିଛି ନଶୁଣିଲେ ବାମଦଳ ଓ କୃଷକ ସଙ୍ଗଠନ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ପ୍ରତିଶ୍ରୁତି ଦେଇ ଏବେ ଭାଗଚାଷୀଙ୍କ କଥା ନ ବୁଝିବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେଡି ।

ଭାଗଚାଷୀଙ୍କ କଥା ସରକାର ବୁଝିବା ଦରକାର କହିଛି କଂଗ୍ରେସ । ଆଇନ ନାହିଁ ବୋଲି ଯଦି ସରକାର କହୁଛନ୍ତି, ତା’ହେଲେ ସରକାର ନୂଆ ଆଇନ ଆଣନ୍ତୁ । ଭାଗଚାଷୀ, ନାମମାତ୍ର ଚାଷୀ ବି ବିପର୍ଯ୍ୟୟର ଶିକାର ହେଉଛନ୍ତି । ସେମାନଙ୍କ କଥା ସରକାର ତୁରନ୍ତ ବୁଝନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି । ଭାଗଚାଷୀଙ୍କୁ ମାରି ଦେବାକୁ ସରକାର ଯୋଜନା କରୁଛନ୍ତି । ବିପର୍ଯ୍ୟୟ ବେଳେ ସରକାର ତାଙ୍କ ହାତ ଛାଡ଼ି ଦେଇଛନ୍ତି । ଏହାଦ୍ୱାରା ଭାଗଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ । ସରକାର କହିବେ ପ୍ରେମଜନିତ ହତ୍ୟା । ସରକାର ତୁରନ୍ତ ଭାଗଚାଷୀଙ୍କୁ ଅଦିନିଆ ବର୍ଷା ଫସଲହାନି ଜନିତ କ୍ଷତିପୂରଣ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି । ହେଲେ ବିଜେପି ଭାଗଚାଷୀଙ୍କ ପାଇଁ ଆଇନ ନଥିବାର ବାହାନା ନେଇଛି ।

୧୬ ଜିଲ୍ଲାରେ ୬ ଲକ୍ଷ ୬୬ ହଜାର ୭୨୦ ଜଣ ଚାଷୀଙ୍କ ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ କ୍ଷତି ହୋଇଛି । ଏଥିପାଇଁ ଏସଡିଆରଏଫ ଫଣ୍ଡରୁ ୨୯୧ କୋଟି ୫୯ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ଘୋଷଣା କରିଥିବା ବେଳେ ଭାଗଚାଷୀଙ୍କୁ ଏଥିରୁ ବଞ୍ଚିତ କରାଯାଇଛି ।