ରାଜଭବନରେ ରାଜନୀତି: ପାଲଟିଛି ଝାଡ଼ଖଣ୍ଡ ନିର୍ବାଚନୀ ୱାର୍ ରୁମ୍ !

ଭୁବନେଶ୍ବର: ବିବାଦରେ ଓଡ଼ିଶାର ରାଜଭବନ। ଏଠାରେ ପ୍ରସ୍ତୁତ ହେଉଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ରଣନୀତି । ଏପରିକି ରାଜଭବନ ନିର୍ବାଚନୀ ୱାର୍ ରୁମ୍ ପାଲିଟଛି ବୋଲି ଅଭିଯୋଗ କରୁଛନ୍ତି ବିରୋଧୀ । ରାଜ୍ୟପାଳଙ୍କ ପଦ ମର୍ଯ୍ୟାଦା ଉପରେ ବି ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ତ କହିଲାଣି, ରାଜଭବନରେ ରାଜନୈତିକ କାର୍ଯ୍ୟକ୍ରମ କରାଯାଉଥିବାରୁ, ରାଷ୍ଟ୍ରପତିଙ୍କ ନିକଟରେ ଫେରାଦ ହେବ । ରାଜ୍ୟପାଳ ପଦ ମର୍ଯ୍ୟାଦା ରଖନ୍ତୁ ବୋଲି ବିଜେଡି କହିଥିବା ବେଳେ ବିରୋଧୀଙ୍କ ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି ।

ବିଜେଡି ପ୍ରଥମେ ଏହି ସଙ୍ଗୀନ ଅଭିଯୋଗ ଆଣିବା ପରେ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ରାଜଭବନ ପରିସରରେ ନିର୍ଦ୍ଦିଷ୍ଟ ଦଳ ପାଇଁ ନିର୍ବାଚନୀ ରଣନୀତି ପ୍ରସ୍ତୁତ ହେବା ନିନ୍ଦନୀୟ । ଝାଡ଼ଖଣ୍ଡ ବିଜେପିର ରାଜନୈତିକ ମୁରବୀ ସାଜିଛନ୍ତି ରାଜ୍ୟପାଳ । ଏନେଇ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦେବ । ରାଜନୀତି କରୁଥିବାରୁ ଓଡ଼ିଶାର ରାଜ୍ୟପାଳ ନିଜ ପଦରେ ରହିବା ଉଚିତ ନୁହେଁ ବୋଲି କହିଛନ୍ତି ରାମଚନ୍ଦ୍ର କାଡ଼ାମ । ତାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ବିଧାୟକ ଭାସ୍କର ମଢ଼େଇ କହିଛନ୍ତି, ରାଜ୍ୟପାଳ ଓ ରାଜଭବନକୁ ନେଇ ଯେଉଁ ଅଭିଯୋଗ ବିରୋଧୀ କରୁଛନ୍ତି, ତାର ସତ୍ୟତା ନାହିଁ ।

ରାଜଭବନରେ ରାଜନୈତିକ କାର୍ଯ୍ୟକ୍ରମ ଚାଲିଥିବା ଅଭିଯୋଗ କରି ବିଜେଡି ଆଗରୁ ପ୍ରଶ୍ନ ଉଠାଇଥିଲା । ରାଜ୍ୟପାଳ ଏଥିରେ ସଂପୃକ୍ତ ଅଛନ୍ତି କି ନାହିଁ, ସ୍ପଷ୍ଟୀକରଣ ମାଗିଥିଲା । ଦଳ ଅଭିଯୋଗ କରିଥିଲା, ଓଡ଼ିଶାର ରାଜଭବନ ଗତ କିଛି ମାସ ଧରି ରାଜନୈତିକ ହବ ସାଜିଛି । ବିଜେଡି ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି, ରାଜ୍ୟପାଳ ନିରପେକ୍ଷ ହେବା ଦରକାର । ସେ ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ, ନହେଲେ ତାଙ୍କୁ ବିରୋଧ କରାଯିବ ।

କିଛି ଦିନ ତଳେ ରାଜଭବନ ଆସି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ଏହା ପରେ ମୋହନ ମାଝୀ ପ୍ରଚାର କରିବାକୁ ଝାଡ଼ଖଣ୍ଡ ଯାଇଥିଲେ । ଏହି ଦୁଇ ଘଟଣାରେ କିଛି ସିଧାସଳଖ ସଂପର୍କ ଅଛି କି ବୋଲି ପ୍ରଶ୍ନ ଉଠାଇଥିଲେ ବିରୋଧୀ । ସେହିପରି ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ବି କିଛି ଦିନ ତଳେ ରାଜଭବନରେ ରହିଥିଲେ । ଏମିତି ବି ଚର୍ଚ୍ଚା ହେଉଛି ଯେ, ରାଜ୍ୟପାଳ ରଘୁବର ଦାସ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି । ଏସବୁକୁ ନେଇ ତେଜୁଛି ରାଜନୀତି ।