ଇ-କେଓ୍ବାଇସି ଆଳରେ ଗରିବଙ୍କ ରାସନ କାର୍ଡ କାଟିବା ପଡ଼ିବ ମହଙ୍ଗା
1 min read
ଭୁବନେଶ୍ବର: ଇ-କେଓ୍ବାଇସି ଆଳ ଦେଖାଇ ଗରିବ ଲୋକଙ୍କ ରାସନ କାଟୁଛନ୍ତି ସରକାର । ରାସନରେ ଭୂତ କାର୍ଡ କହି ଲୋକଙ୍କୁ ଭଣ୍ଡାଇବାରେ ଲାଗିଛନ୍ତି ସରକାର । ବାରମ୍ବାର ଲୋକଙ୍କୁ ଭୂତ କାର୍ଡ କଥା ନକହି ଯୋଗ୍ୟ ହିତାଧିକାରୀ କିପରି ରାସନ ପାଇବେ ତାହା ଉପରେ ସରକାର ଗୁରୁତ୍ବ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି । ସେପଟେ ବିଜେପିର ଯୁକ୍ତି ହେଉଛି ଇ-କେଓ୍ବାଇସିରେ ଭୂତ କାର୍ଡଧାରୀ ଚିହ୍ନଟ ହୋଇଛନ୍ତି । ଇ-କେୱାଇସି ପ୍ରକ୍ରିୟାରେ ସେମାନଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ।
ଭୂତ ରାସନ କାର୍ଡ ଆଳରେ ହିତାଧିକାରୀଙ୍କୁ ଚାଉଳ ନଦେବା ପାଇଁ ଯୋଜନା କରିଛନ୍ତି ସରକାର । ଇ-କେୱାଇସି ଓ ଭୂତ ନାଁରେ ବହୁତ ଯୋଗ୍ୟ ଲୋକଙ୍କୁ କାଟି ଦେଉଛନ୍ତି ସରକାର । କିଏ ଭୂତ ହିତାଧିକାରୀ ତାଙ୍କ ନାଁ ସରକାର ପ୍ରକାଶ କରନ୍ତୁ । ପଞ୍ଚାୟତ କାର୍ଯ୍ୟାଳୟରେ ତାଲିକା ମାରନ୍ତୁ, ଲୋକ ଜାଣନ୍ତୁ ସେମାନେ କାହିଁକି ଅଯୋଗ୍ୟ ବିବେଚିତ ହେଲେ । ଯେଉଁମାନେ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ରାସନ କାର୍ଡ ମିଳୁ ବୋଲି କଂଗ୍ରେସ ବିଧାୟକ ଅଶୋକ ଦାସ ଦାବି କରିଛନ୍ତି ।
ବିଜେଡି ବିଧାୟକ ଧୃବ ସାହୁ ଅଭିଯୋଗ କରିଛନ୍ତି, ସାଧାରଣ ଲୋକ ଇ-କେୱାଇସି ପ୍ରକ୍ରିୟା ଦ୍ବାରା ବାଦ ପଡିଛନ୍ତି । ପାନ ଦୋକାନୀ, ଚା ଦୋକାନୀଙ୍କ ସହ ବହୁ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ରାସନ କାର୍ଡରୁ ବାଦ ଦେଇଛନ୍ତି । ବାରମ୍ବାର ବିଭାଗୀୟ ମନ୍ତ୍ରୀ ଯେଉଁ ତଥ୍ୟ ଦେଉଛନ୍ତି ସେଥିରେ ତାଳମେଳ ରହୁନାହିଁ । ଏସବୁ ସମାଧାନ କରି ନୂଆ ହିତାଧିକାରୀଙ୍କୁ ସାମିଲ କରିବାକୁ ବିଜେଡି ଦାବି କରିଛି । ଗଳାବାଟରେ ଦଳୀୟ ଭିତ୍ତିରେ ଅଯୋଗ୍ୟ ହିତାଧିକାରୀ ସାମିଲ କରିବାକୁ ସରକାର ଏପରି ଯୋଜନା କରୁଛନ୍ତି ବୋଲି ଦୁଇ ବିରୋଧୀ ଅଭିଯୋଗ କରିଛନ୍ତି ।
ନୂଆ ରାସନ କାର୍ଡ ପାଇଁ ଆଜିଠୁ ପୋର୍ଟାଲ ଖୋଲିଥିବା ବେଳେ ରାଜ୍ୟର ତିନି ରାଜନୈତିକ ଦଳ ରାସନ ବିବାଦକୁ ନେଇ ମୁହାମୁହିଁ ହୋଇଛନ୍ତି । ରାସନ କାର୍ଡ କାଟିବାକୁ ନେଇ ଗ୍ରାଉଣ୍ତରେ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ବିଜେପି ବିଧାୟକ ପୂର୍ଣ୍ଣ ସେଠି କହିଛନ୍ତି ପୂର୍ବରୁ ରାସନ କାର୍ଡରେ ଅନେକ ଭୂତ ହିତାଧିକାରୀ ଥିଲେ । ନୂଆ ସରକାରଙ୍କ ଇ-କେୱାଇସି ପ୍ରକ୍ରିୟାରେ ସେମାନଙ୍କୁ ବାଦ ଦେଇ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ।
ଭୂତ ରାସନ କାର୍ଡ କଥାରେ ବାରମ୍ବାର ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ମାର୍ଚ୍ଚ ୩୧ ତାରିଖ ଇ-କେଓ୍ବାଇସିର ଶେଷ ତାରିଖ । ତେଣୁ ଯେମିତି କେହି ଯୋଗ୍ୟ ହିତାଧିକାରୀ ରାସନ କାର୍ଡରୁ ବାଦ ନପଡ଼ିବେ ତାହାକୁ ନେଇ ସରକାରଙ୍କୁ ଚେତାଇ ଦେଇଛନ୍ତି ବିରୋଧୀ ।