ଦିଲ୍ଲୀ ଷ୍ଟେସନ ଦଳାଚକଟା: ପ୍ରଶ୍ନ ଅନେକ… ଯାତ୍ରୀଙ୍କ ଜୀବନ ସହ ଖେଳ କାହିଁକି ?

ଭୁବନେଶ୍ବର: ମହାକୁମ୍ଭ ଆରମ୍ଭ ପରଠାରୁ ଅଘଟଣ ପରେ ଅଘଟଣ । ପ୍ରୟାଗରାଜରେ ଦଳାଚକଟା । ମହାକୁମ୍ଭରେ ଲାଗିଲା ନିଆଁ । ଆଉ ଏବେ ଦିଲ୍ଲୀରେ ଦଳାଚକଟା । ୧୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁତ ଆହତ ହୋଇଛନ୍ତି । ହଜାର ହଜାର ସଂଖ୍ୟାରେ ଯାତ୍ରୀ ପ୍ରୟାଗରାଜ ଯିବାକୁ ଷ୍ଟେସନ ମୁହାଁ ହେଉଥିବା ବେଳେ ରେଳବାଇର ଖାମଖିଆଲି ମନୋଭାବକୁ ନେଇ ଉଠିଛି ପ୍ରଶ୍ନ । କେବଳ ରେଳ ବିଭାଗ ନୁହେଁ, ବିଜେପି ସରକାର ବି କାଠଗଡ଼ାରେ । ଦିଲ୍ଲୀ ଅଘଟଣକୁ ନେଇ ସାରା ରାଜ୍ୟରେ ରାଜନୀତି ଉଷ୍ମ ହୋଇଥିବା ବେଳେ ବିରୋଧୀଙ୍କ ଟାର୍ଗେଟରେ ରହିଛି ବିଜେପି ।
ଦିଲ୍ଲୀ ଦଳାଚକଟା ଅନେକ ପ୍ରଶ୍ନ ଛିଡ଼ା କରିଛି । ଧାର୍ମିକ ଭାବନାକୁ ନେଇ କାହିଁକି ଚାଲିଛି ଖେଳ ? ତଦନ୍ତ ନିର୍ଦ୍ଦେଶ ଓ କ୍ଷତିପୂରଣ ଘୋଷଣା କରିଦେଲେ ସରିଯାଉଛି କି ଦାୟିତ୍ବ ? ପ୍ରବଳ ଭିଡ଼ ହେବା ଜାଣି ବି ପରିଚାଳନାରେ ବିଫଳତା କାହିଁକି ? ଦେଶର ସର୍ବବୃହତ ଓ ସବୁଠାରୁ ବ୍ଯସ୍ତବହୁଳ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ମୃତ୍ଯୁକୁ ନେଇ ଏମିତି ପ୍ରଶ୍ନ ଉଠିବାରେ ଲାଗିଛି । ଗତ ଜାନୁଆରୀ ୨୯ରେ ପ୍ରୟାଗରାଜ ଦଳାଚକଟାରେ ୩୦ ଜଣଙ୍କ ମୃତ୍ଯୁ ପରେ ଗତକାଲି ଦିଲ୍ଲୀ ରେଳ ଷ୍ଟେସନରେ ୧୮ ଜଣଙ୍କ ମୃତ୍ଯୁ ଘଟଣା ସମସ୍ତଙ୍କୁ କରିଛି ସ୍ତମ୍ଭୀଭୂତ କରିଦେଇଛି ।
ପ୍ରୟାଗରାଜ ଯିବାକୁ ଦିଲ୍ଲୀ ରେଳ ଷ୍ଟେସନରେ ପ୍ରବଳ ଗହଳି ରହୁଛି । ପ୍ରୟାଗରାଜ ପାଇଁ ଘଣ୍ଟାକୁ ହାରାହାରି ୧୫୦୦ ଟିକେଟ ବିକ୍ରି ହେଉଥିବା ଦର୍ଶାଉଛି, ଲୋକଙ୍କ ମଧ୍ୟରେ ମହାକୁମ୍ଭକୁ ନେଇ କେତେ ଉତ୍କଣ୍ଠା ରହିଛି । ହେଲେ ରେଳ ବିଭାଗ କେବଳ ଟିକେଟ୍ କାଟିବାରେ ବ୍ୟସ୍ତ ରହୁଥିବା ବେଳେ ଭିଡ଼ ସୁପରିଚାଳନା ପାଇଁ କୌଣସି ବ୍ୟବସ୍ଥା କରୁ ନଥିବା ହେଉଛି ଅଭିଯୋଗ । ସେପଟେ ପ୍ରବଳ ଗହଳି ସ୍ବତ୍ତ୍ବେ ଫୁଟ ଓଭରବ୍ରିଜରେ କୌଣସି ନିୟନ୍ତ୍ରଣ ବ୍ଯବସ୍ଥା ନରହିବା ପରିଚାଳନାଗତ ଅପାରଗତାକୁ ଦର୍ଶାଉଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସମାନ ନାଁରେ ଦୁଇଟି ଟ୍ରେନ୍ ଗୋଟିଏ ସମୟରେ କିପରି ଆସିଲା । ପ୍ରୟାଗରାଜକୁ ଟ୍ରେନ୍ ସଂଖ୍ୟା ସୀମିତ ଥିଲେ ବି ଘଣ୍ଟାକୁ ୧୫୦୦ ହାରରେ ରେଳବାଇ ଟିକେଟ୍ ବିକ୍ରି କରିବା ଦର୍ଶଉଛି, ରେଳ ବିଭାଗ କେବଳ ନିଜ ପୁଣା ଭରିବାରେ ବ୍ୟସ୍ତ ରହୁଛି, ଯାତ୍ରୀଙ୍କ ସୁରକ୍ଷା ପ୍ରତି ବୁଜି ଦେଇଛି ଆଖି । ଯଦି ରେଳ ବିଭାଗ ଯାତ୍ରୀଙ୍କ ସୁରକ୍ଷା କଥା ଚିନ୍ତା କରୁଥାନ୍ତି ଘଣ୍ଟାକୁ ଯେମିତି ୧୫୦୦ ଟିକେଟ ବିକ୍ରି କରୁଥିଲା, ସେହି ହିସାବରେ ଟ୍ରେନତ ସଂଖ୍ୟା ବି ବଢ଼ାଇ ପାରିଥାନ୍ତି । ହେଲେ, ବିଭାଗ ପକ୍ଷରୁ ଏମିତି କିଛି କରାଯାଇ ନଥିଲା ।
କୁହାଯାଉଛି ସ୍ବତନ୍ତ୍ରତା ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ ବିଳମ୍ବ ଥିବାରୁ ଏହି ୨ ଟ୍ରେନର ଯାତ୍ରୀ ପ୍ଲାଟଫର୍ମ ନଂ ୧୨, ୧୩ ଓ ୧୪ରେ ଥିଲେ । ସେପଟେ ପ୍ରୟାଗରାଜ ଏକ୍ସପ୍ରେସ ନାମରେ ୨ଟି ଟ୍ରେନ ଏକା ସାଙ୍ଗରେ ଷ୍ଟେସନକୁ ଆସିଯାଇଥିଲା । ଏହାପରେ ନିଜ ନିଜ ଟ୍ରେନ୍ ଧରିବାକୁ ଯାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଧାଁ ଦୌଡ଼ । ଆଉ ଏଇଠୁ ଆରମ୍ଭ ହୋଇଗଲା ଦଳାଚକଟା ।
ଘଟଣାର ତଦନ୍ତ ଲାଗି ୨ ଜଣିଆ ଟିମ୍ ଗଠିତ ହୋଇଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଓ ଆହତଙ୍କୁ ଅଢେଇ ଲକ୍ଷ ଲେଖାଏଁ ଟଙ୍କାର ସହାୟତା ଘୋଷଣା କରାଯାଇଛି । ବାରମ୍ବାର ଅଘଟଣ ଘଟୁଥିବା ବେଳେ ସରକାର ମୃତାହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରି ଦେଇ ନିଜ କାମ ସରିଗଲା ବୋଲି ଭାବୁଛନ୍ତି । ଲୋକଙ୍କ ଜୀବନର ସୁରକ୍ଷା ପ୍ରତି କ’ଣ ସରକାର ଉତ୍ତରଦାୟୀ ନୁହଁନ୍ତି ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।
ସେପଟେ ଦଳାଚକଟା ଘଟଣାକୁ ନେଇ ବଢିଛି ରାଜନୀତି । ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଏଆଇିସସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଆପ ନେତା ଅରବିନ୍ଦ କେଜ୍ରିଓ୍ବାଲ, ଦିଲ୍ଲୀର ପୂର୍ବତନ ମୁଖ୍ଯମନ୍ତ୍ରୀ ଆତିଶୀ, କଂଗ୍ରେସ ନେତା ଭୂପେଶ ବଘେଲ ପ୍ରମୁଖ ବିଜେପିକୁ ଟାର୍ଗେଟ କରିଛନ୍ତି । ଶ୍ରଦ୍ଧାଳୁଙ୍କ ଜୀବନ ପ୍ରତି ସରକାର ଗୁରୁତ୍ବ ଦେଉ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଉତ୍ତର ପ୍ରଦେଶରେ ରେଳବାଇ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ଦଳାଚକଟାରେ ୧୮ ଜଣଙ୍କ ଜୀବନ ଚାଲି ଯାଇଥିଲେ ବି ନା ରେଳ ବିଭାଗ, ନା ସରକାର କିଛି ଶିକ୍ଷା ଲାଭ କରିବା ଭଳି ମନେ ହେଉନାହିଁ । ଆଜି ପୁଣି ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟିବା ଘଟଣା ସାମ୍ନାକୁ ଆସିଛି । ଷ୍ଟେସନର ୮ ନମ୍ବର ପ୍ଲାଟଫର୍ମରେ ଦଳାଚକଟା ସ୍ଥିତି ଉପୁଜି ଥିବା ଜଣାପଡିଛି ।