ବିପର୍ଯ୍ୟସ୍ତ ଆଇନଶୃଙ୍ଖଲାକୁ ନେଇ ସରକାର ଉପରେ ବର୍ଷିଲେ ବିରୋଧୀ
ନନ୍ଦିଘୋଷ ବ୍ୟୁରୋ: ବିଜେପି ସରକାରରେ ହାଜତ ମୃତ୍ୟୁ ସହ ଭିଡହିଂସା ବଢିବଢି ଚାଲିଛି । ନିରୀହ ଲୋକଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରି ଜନ ଅସନ୍ତୋଷ ସୃଷ୍ଟି କରିଛି । କବିସୂର୍ଯ୍ୟନଗର, ବାରଙ୍ଗଠାରୁ ଆରମ୍ଭ କରି ବାଲିଅନ୍ତା ଯାଏଁ ଘଟଣା ପ୍ରମାଣିତ କରିଛି ଓଡିଶାରେ ଆଇନଶୃଙ୍ଖଳା ଆଦୌ ନାହିଁ । କବିସୂର୍ଯ୍ୟନଗର ହାଜତ ମୃତ୍ୟୁକୁ ନେଇ ଗୁରୁବାର ଓଡିଶା ଜନତା କଂଗ୍ରେସ କରିବ ଡିଜି ଅଫିସ ଘେରାଉ । କଂଗ୍ରେସ ବିଚାର ବିଭାଗୀୟ ତଦନ୍ତ ସହ ମୃତ୍ୟୁ ଯୁବକଙ୍କ ପରିବାରକୁ ୨କୋଟି ଦେବାକୁ ଦାବି । ମୁଖ୍ୟ ବିରୋଧୀ ବିଜେଡି ଏହାକୁ ନେଇ ସରକାରଙ୍କ ଉପରେ ଖୁବ ବର୍ଷିଛି ।
ହୁଗୁଳା ଶାସନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ସୀମା ଟିପିଛି ହାଜତ ମୃତ୍ୟୁ ଓ ଭିଡ଼ ହିଂସା । ୨ ବର୍ଷର ବିଜେପି ଶାସନରେ ଓଡିଶାର କ୍ରାଇମ ୟୁପି-ବିହାରକୁ କାଟିଛି । ଅପରାଧ ରାଜ୍ୟ ତାଲିକାରେ ଦେଶରେ ଆଗକୁ ବଢୁଛି ଓଡ଼ିଶା । ହତ୍ୟା, ମାରପିଟ, ଭିଡ଼ ହିଂସା ସାଙ୍ଗକୁ ରାସ୍ତାଉପରେ ଖୋଲିଖୋଲି ବୁଲୁଛି ଭୁଜାଲି ଓ ଫୁଟୁଛି ଗୁଳି । ପୋଲିସ ପ୍ରତି କାହାର ଡର ନାହିଁ । ଆଇନଶୃଙ୍ଖଳାକୁ ସଜାଡିବା ବଦଳରେ ପୋଲିସ ନିରୀହ ଲୋକଙ୍କୁ ଥାନରେ ଥାର୍ଡ ଡିଗ୍ରି ଦେଇ ଜୀବନ ନେଉଛି । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ହାଜତ ମୃତ୍ୟୁକୁ ନେଇ ମୋହନ ସରକାରଙ୍କୁ ଏପରି ନିଶାଣ କରିଛନ୍ତି ବିରୋଧୀ । ଗୁରୁବାର ଓଡିଶା ଜନତା କଂଗ୍ରେସ ଡିଜି ଅଫିସ ଘେରାଉ କରିବ । କଂଗ୍ରେସ କବିସୂର୍ଯ୍ୟନଗର ହାଜତ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାର ଉପରେ ବର୍ଷିବା ସହ ମୃତ ଯୁବକଙ୍କ ପରିବାରକୁ ୨କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ଦାବି କରିଛି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବିରୋଧୀ ଶାସକ ଦଳକୁ ଟାର୍ଗେଟ କରିଥିବା ବେଳେ ବିଜେପି ଏହାକୁ ହାଲକା ଭାବେ ନେଇଛି ।
ବିଜେପି ସରକାର ଦୁଇବର୍ଷ ପୂର୍ତ୍ତି ନେଇ ସଫଳତା ବଖାଣୁଥିବା ବେଳେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ମୁଖ୍ୟ ବିରୋଧୀ ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କରିଛି । ରାଜ୍ୟରେ ଜଙ୍ଗଲରାଜ ଶାସନ ଚାଲିଛି । ବିଜେପି ସରକାର ଆସିବା ପରଠାରୁ ଓଡିଶାରେ ଲୋକମାନେ ଅସୁରକ୍ଷିତ ଓ ଭୟଭୀତ । ଉତ୍ତରପ୍ରଦେଶ, ବିହାର ପରି ଓଡିଶାରେ ଅପରାଧ ବଢିବଢି ଚାଲିଛି । ଅପରାଧୀଙ୍କ ପୃଷ୍ଠପୋଷକ ସାଜିଛି ଓଡିଶା । ତୁରନ୍ତ ରାଜ୍ୟ ସରକାର ଆଇନଶୃଙ୍ଖଳାକୁ ନିୟନ୍ତ୍ରଣକୁ ଆଣିବାକୁ ବିଜେଡି ଦାବି କରିଛି ।
କେବଳ ଏତିକି ନୁହେଁ କବିସୂର୍ଯ୍ୟନଗର ହାଜତ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ବିରୋଧୀ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ବିଜେପି ସରକାରକୁ ଦାୟୀ କରି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବିରୋଧୀ । ଗୃହବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଥିବାରୁ ଶାସକ ଦଳକୁ ଏହା ଚିନ୍ତାରେ ପକାଇଛି ।

