ବାଲେଶ୍ବର ଘଟଣା ସୁଶାସନ ନା କୁଶାସନ ?

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାବାସୀଙ୍କୁ ସୁଶାସନ ଦେବାରେ ବିଫଳ ବିଜେପି । ୧୩ ମାସର ଶାସନରେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ପୂରା ଭୁଶୁଡି ଗଲାଣି ଶାସନ ବ୍ୟବସ୍ଥା । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବାଲେଶ୍ବର ଘଟଣା ସୁଶାସନ ନା କୁଶାସନ ତାହା ସରକାର ଜାଣିଛନ୍ତି କି ବୋଲି ପ୍ରଶ୍ନ କରି ଶାସକ ଦଳ ଉପରେ ବର୍ଷିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । କଂଗ୍ରେସ ମଧ୍ୟ ବିଜେପି ସରକାରର ସୁଶାସନ ଦିବସକୁ କଟାକ୍ଷ କରିଛି ।

ସୁଶାସନ ଦିବସ ପାଳନ ବେଳେ ଫେଲ ମାରିଛି ବ୍ୟବସ୍ଥା । ରାଜ୍ୟରେ ବିଜେପି ସରକାରକୁ ଆସିବା ପରଠୁ ସଂପୂର୍ଣ୍ଣ ଦିଗହରା ଶାସନ ବ୍ୟବସ୍ଥା । ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିଲା ବିଜେପି । ହେଲେ ୧୩ ମାସରେ ଓଡ଼ିଆଙ୍କ ମନରେ ଦେଲେଣି କଠୋର ଆଘାତ । ଯାହାକୁ ନେଇ ଶାସକ ବିଜେପିକୁ ସିଧା ନିଶାନା କରିଛି ବିଜେଡି । ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିଲେ । ମାଣ୍ଡିପଙ୍କା ଗାଁରେ ଅଖାଦ୍ୟ ଖାଇ ଲୋକଙ୍କ ଜୀବନ ଗଲା । ଆଉ ରଥଯାତ୍ରାରେ ସାରା ରାଜ୍ୟ ଦେଖିଲା ବିଭ୍ରାଟ । ଖାଲି ସେତିକି ନୁହେଁ, ଗୋପାଳପୁରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ହେଉ କି ବାଲେଶ୍ବରରେ ଛାତ୍ରୀ ମୃତ୍ୟୁ, ସବୁଠି ସୀମା ଟପିଲାଣି ନାରୀ ନିର୍ଯାତନା । ଏତେ ସବୁ ପରେ ବିଜେପି କେଉଁ ସୁଶାସନ ଦିବସ ପାଳନ କରୁଛି ବୋଲି ପ୍ରଶ୍ନ କରିଛି ବିଜେଡି । ବିଧାୟକ ସାରଦା ଜେନା କହିଛନ୍ତି, ବିଜେପି ସରକାର ଏକ ବିଫଳ ସରକାର । କେବଳ ବାହାଦୁରୀ ମାରିବାରେ ମାହିର । ରାଜ୍ୟରେ ମହିଳା, ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ଅସୁରକ୍ଷିତ ଥିବା ବେଳେ, ସରକାର କେବଳ ଘୋଷଣାରେ ସୀମିତ ବୋଲି ଅଭିଯୋଗ କରିଛି ବିଜେଡି ।

ସେହିପରି କଂଗ୍ରେସ ମଧ୍ୟ ବିଜେପି କି ପ୍ରକାର ସୁଶାସନ ଦେଇଛି, ତାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସାରା ରାଜ୍ୟକୁ ବିଶ୍ବ ଦରବାରରେ ଲଜ୍ଜିତ କଲାଣି ବିଜେପି । ତ୍ରାହୀ ତ୍ରାହୀ ଡାକିଲେଣି ମହିଳା । ଏତେ ସବୁ ପରେ କେଉଁ ମୁହଁରେ ବିଜେପି ସୁଶାସନ ଦିବସ ପାଳନ କରୁଛି, ତାକୁ ନେଇ କଟାକ୍ଷ କରିଛି କଂଗ୍ରେସ ।

ବରିଷ୍ଠ ରାଜନେତା ବିଜୟ ମହାପାତ୍ର ବି ଶାସକ ଦଳର ସୁଶାସନ ଦିବସକୁ ତାତ୍ସଲ୍ୟ କରିଛନ୍ତି । ବାଲେଶ୍ବର ଘଟଣା ସୁଶାସନ ନା କୁଶାସନ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

ବିଜେପି ଶାସନକୁ ଆସିବା ଦିନଠୁ ବିଭିନ୍ନ ପ୍ରସଙ୍ଗରେ ଜାତୀୟସ୍ତରରେ ବଦନାମ ହେଲାଣି ଓଡ଼ିଶା । ଧିମେଇ ଗଲାଣି ବିକାଶ କାମ । ଶୀର୍ଷରେ ପହଞ୍ଚିଲାଣି ନାରୀ ନିର୍ଯାତନା । ଏସବୁ ପ୍ରସଙ୍ଗକୁ ନେଇ ଏବେ ଉଷ୍ମ ହୋଲାଣି ରାଜ୍ୟ ରାଜନୀତି ।