୬ ମାସ ହେଲା ଚାଉଳ ପାଇନାହାନ୍ତି ରାଜ୍ୟବାସୀ: ଭୂତ ରାସନ କାର୍ଡ ମନ୍ତବ୍ୟ ପାଇଁ ଯୋଗାଣ ମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ
1 min readଭୁବନେଶ୍ବର: ମାଣ୍ଡିପଙ୍କା ଆମ୍ଵ ଟାକୁଆ ମୃତ୍ୟୁ ଘଟଣାରୁ କିଛି ଶିଖିଲେନି ସରକାର। ରାସନ କାର୍ଡରେ ଅନେକ ଭୂତ କାର୍ଡ କହି ଏବେ ବି ଲୋକଙ୍କୁ ଭୂତାଉଛନ୍ତି। ୬ ମାସ ହେବ ସରକାର ଇକେଓ୍ବାଇସି ଆଳ ଦେଖାଇ ଚାଉଳ ଦେଉ ନାହାନ୍ତି। ରାଜ୍ୟ ବାହାରେ ଥିବା ଲୋକମାନେ ଇକେୱାଇସି କରିନାହାନ୍ତି । ଯାହାକୁ ଭୂତ କାର୍ଡ଼ ବୋଲି ସରକାର ଆଖ୍ୟା ଦେବା ଉଚିତ ନୁହେଁ ବୋଲି ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ କହିଛନ୍ତି । ଅନ୍ୟପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ପ୍ରାୟ 41 ଲକ୍ଷ ଏବେବି ଆବେଦନ କରିନାହାନ୍ତି । EKYC ସରିବା ଯାଏ ସ୍ପଷ୍ଟ ହେବ କେତେ ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି।
୩ ମାସ ରାସନ ନ ଦେବାରୁ କନ୍ଧମାଳ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ନିରୀହ ଆଦିବାସୀଙ୍କ ଜୀବନ ଗଲା । ରାସନ ଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ଯୋଗାଣ ବିଭାଗର ପୋଲ୍ ଖୋଲିଛନ୍ତି ବିରୋଧୀ । ବିଜେଡିର ଅଭିଯୋଗ- ଭୂତ କାର୍ଡ କହି ଲୋକଙ୍କୁ ଭୂତାଉଛନ୍ତି ରାଜ୍ୟ ସରକାର । ସାରଦା ଜେନା ଯୁକ୍ତି ବାଢିଛନ୍ତି ରାସନ୍ କାର୍ଡ, ଆଧାର କାର୍ଡ ସହିତ ସଂଯୋଗ ହୋଇଛି । ଭାରତ ସରକାର ଆଧାର କାର୍ଡକୁ ସୀକୃତି ଦେଇଛନ୍ତି । ଆଧାର କାର୍ଡ ମିଛ କି ? ଯଦି ଆଧାର କାର୍ଡ ରାସନ୍ ସହ ସଂଯୋଗ ହୋଇଛି, ତେବେ ଭୂତ କାର୍ଡ ଆସିଲା କେଉଁଠି। ଇକେୱାଇସି ଆଳ ଦେଖାଇ ୬ ମାସ ହେଲା ରାଜ୍ୟ ସରକାର ଗରିବ ଲୋକଙ୍କୁ ରାସନ ଦେଉ ନାହାନ୍ତି । ବାହାର ରାଜ୍ୟରେ ଥିବା ଲୋକେ ଇକେୱାଇସି କରିନାହାନ୍ତି । ଯଦି ସେମାନେ ଇକେୱାଇସି ପାଇଁ ଆସିବେ ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେହି ହିତାଧିକାରୀଙ୍କୁ ଭୂତ କହି ଭୂତାଉଛନ୍ତି ମନ୍ତ୍ରୀ। ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରିଛନ୍ତି, ବାରମ୍ବାର ମିଛ କହୁଛନ୍ତି ଯୋଗାଣ ମନ୍ତ୍ରୀ। ଭୂତ ରାସନ କାର୍ଡ ଆଳରେ ହିତାଧିକାରୀଙ୍କୁ ଚାଉଳ ନ ଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ସରକାର। ଆଳୁ, ଧାନ ପରେ ରାସନ ନେଇ ଯୋଗାଣ ମନ୍ତ୍ରୀ କଣ କହୁଛନ୍ତି ନିଜେ ବୁଝି ପାରୁ ନାହାନ୍ତି। ବାହାରେ ଥିବା ହିତାଧିକାରୀ ଇକେୱାଇସି କରି ନାହାନ୍ତି । ସେମାନଙ୍କୁ ଭୂତ ବୋଲି କହିବା ଠିକ୍ ନୁହେଁ।
ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ପ୍ରାୟ 41 ଲକ୍ଷ ଲୋକ ଏବେ ବି ଆବେଦନ କରିନାହାନ୍ତି । ଇକେୱାଇସି ସରିବା ପରେ ସ୍ପଷ୍ଟ ହେବ କେତେ ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି। କିନ୍ତୁ ଭୂତ ହିତାଧିକାରୀ ଅଛନ୍ତି। ଯୋଗ୍ୟ ହିତାଧିକାରୀ ଆଦୌ କଟିବେ ନାହିଁ। EKYC ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ଆମ ପାଖକୁ ତଥ୍ୟ ଆସିଛି ପ୍ରାୟ 4 ଲକ୍ଷ ହିତାଧିକାରୀ ଏମିତି ଅଛନ୍ତି ଯେଉଁମାନେ କି ଆୟକର ଦେଉଛନ୍ତି। ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରକୃତ ସତ୍ୟ ବାହାର କରିବେ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେପଟେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି ଯେ ବିଜେପି ୱାନ ନେସନ୍ ୱାନ ରାସନ କଥା କହୁଛି । ତେବେ ବାହାର ରାଜ୍ୟରେ ଥିବା ଲୋକ EKYC କରିନଥିବାରୁ ସେମାନଙ୍କୁ ଭୂତ ହିତାଧିକାରୀ ଠିକ ନୁହେଁ ବୋଲି କଂଗ୍ରେସ କହିଛି। ରାସନ କାର୍ଡର ଇକେୱାଇସି କଣ୍ଟରେ ସାଧାରଣ ଲୋକେ ଯେମିତି ହଇରାଣ ନ ହୁଅନ୍ତି କି ଯୋଗ୍ୟ ହିତାଧିକାରୀ ଭୂତ କାର୍ଡ ରାଜନୀତିରେ ଯେମିତି ବଳି ନ ପଡ଼ନ୍ତି, ସେଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ ।