ସରକାର ଭାଗଚାଷୀଙ୍କ ପାଇଁ ଆଇନ ଆଣନ୍ତୁ: କଂଗ୍ରେସ

ଭୁବନେଶ୍ବର: ଭାଗଚାଷୀଙ୍କୁ ଅଦିନିଆ ବର୍ଷା କ୍ଷତିପୂରଣ ଦିଆଯିବାକୁ ଆଇନ ନଥିବା ସରକାର କହିଥିବା ବେଳେ ଏହାକୁ ନେଇ ବର୍ଷିଛନ୍ତି ବିରୋଧୀ । ସରକାରଙ୍କ ଏପରି ମନ୍ତବ୍ୟକୁ ବିରୋଧୀ କଡ଼ା ଭାଷାରେ ନିନ୍ଦା କରିଛନ୍ତି । ଭାଗଚାଷୀଙ୍କ ପାଇଁ ଯଦି ଆଇନ ନାହିଁ ତେବେ ସରକାର ଆଇନ ଆଣନ୍ତୁ । ଭାଗଚାଷୀଙ୍କ କଥା ବୁଝିବା ସରକାରଙ୍କ ଦାୟିତ୍ବ କହିବା ସହ ଭାଗଚାଷୀଙ୍କୁ ସେମାନଙ୍କ ହକ ଦେବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ।

ସେ କହିଛନ୍ତି, ଅଦିନିଆ ବର୍ଷା ବିପର୍ଯ୍ୟୟ ସମସ୍ତଙ୍କ ପାଇଁ ଆସିଛି । ଭାଗଚାଷୀ, ନାମମାତ୍ର ଚାଷୀ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଇଛନ୍ତି । ସେମାନଙ୍କ କଥା ସରକାର ତୁରନ୍ତ ବୁଝିବା ଆବଶ୍ଯକ । ଗତକାଲି ଭାଗଚାଷୀଙ୍କୁ ଅଦିନିଆ ବର୍ଷାଜନିତ କ୍ଷତିପୂରଣ ଦିଆଯିବନି । ସେମାନଙ୍କ ପାଇଁ ଆଇନ ନାହିଁ ବୋଲି କହିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଯାହାକୁ ଆଜି କଡା ସମାଲୋଚନା କରିବା ସହିତ ଭାଗଚାଷୀଙ୍କ ପାଇଁ ଆଇନ ଆଣି ତୁରନ୍ତ ସହାୟତା ଯୋଗାଇ ଦେବାକୁ କାଡ଼ାମ ଦାବି କରିଛନ୍ତି ।

ସେହିପରି ଭାଗଚାଷୀମାନଙ୍କୁ ସରକାର ମାରି ଦେବାକୁ ଯୋଜନା କରୁଛନ୍ତି ବୋଲି ଆକ୍ଷେପ କରିଛନ୍ତି ଅନ୍ଯତମ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ବିପର୍ଯ୍ୟୟ ବେଳେ ସରକାର ତାଙ୍କ ହାତ ଛାଡ଼ି ଦେଇଛନ୍ତି । ସରକାର ତୁରନ୍ତ ଭାଗଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ବୋଲି ତାରା ଦାବି କରିଛନ୍ତି ।

ଏହି ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ମଧ୍ଯ ଟାର୍ଗେଟ କରିଛି । ଦଳ ପକ୍ଷରୁ କୁହାଯାଇଛି, ଭାଗଚାଷୀଙ୍କୁ କ୍ଷତିପୂରଣ ଦେବାରୁ ବଞ୍ଚିତ କରିବା ଦୁର୍ଭାଗ୍ୟଜନକ । ସରକାର ପ୍ରତିଶ୍ରୁତି ଦେଲେ ସମସ୍ତଙ୍କୁ କ୍ଷତିପୂରଣ ଦେବେ, ଏବେ ବାହାନା କରିବା ଠିକ ନୁହେଁ । ଏହାକୁ ଦଳ ଦୃଢ଼ ଭାବେ ନିନ୍ଦା କରୁଛି । ସରକାର ଯେତେ ଶୀଘ୍ର ହେବ, ଭାଗଚାଷୀଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ବିଜେଡି ବିଧାୟକ ମନୋହର ରନ୍ଧାରୀ ଦାବି କରିଛନ୍ତି ।

ସିପିଆଇଏମ ପକ୍ଷରୁ କୁହାଯାଇଛି, ଭାଗଚାଷୀ ହେଉଛନ୍ତି ପ୍ରକୃତ ଚାଷୀ । ଅଦିନିଆ ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଭାଗଚାଷୀ । କୃଷି, ରାଜସ୍ବ, ସମବାୟ ବିଭାଗ ମିଳିତ ଭାବେ ସର୍ଭେ କରି ଭାଗଚାଷୀଙ୍କୁ ଚିହ୍ନଟ କରନ୍ତୁ । ସରକାର ଭାଗଚାଷୀଙ୍କ କଥା ନବୁଝିଲେ ସମସ୍ତ ବାମଦଳ ଓ କୃଷକ ସଙ୍ଗଠନ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବୀନ ଦେଇଛି ସିପିଆଇଏମ ।