ବିରୋଧୀଙ୍କ ମେଳି ପରେ ବିଜେପି ଛାନିଆ, ୨୦୨୪ରେ ହେବ ପ୍ରକୃତ ଲଢ଼େଇ

1 min read

ପାଟନା: ଆସନ୍ତା ୨୩ରେ ପାଟନାରେ ହେବାକୁ ଯାଉଥିବା ବିରୋଧୀଙ୍କ ମେଳିକୁ ନେଇ ଅଙ୍କକଷା । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଲ କହିଛନ୍ତି- ଏହି ମହାମେଳିରେ ସାମିଲ ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି- ଏହି ମେଳିକୁ ନେଇ ବିଜେପି ଛାନିଆ ହୋଇଛି । ୨୦୨୪ରେ ପ୍ରକୃତ ଲଢେଇ ହେବାକୁ ଯାଉଛି ବୋଲି ବିଜେପି ଜାଣିସାରିଲାଣି । ଦେଶକୁ ଧ୍ବଂସପଥକୁ ନେଉଥିବା ବିଜେପି ପରି ଶକ୍ତି ବିରୋଧରେ ଲଢିବା ଲାଗି ବିରୋଧୀ ଦଳ ଆବଶ୍ୟକତା ଉପଲବ୍ଧି କରିଛନ୍ତି ।

ଏହି ମହାସମାବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରମୁଖ ସାମିଲ ହେବା ସମ୍ଭାବନା ରହିଛି । ସେହିପରି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଜେଡିୟୁ ସଭାପତି ରାଜୀବ ରଞ୍ଜନ, ଶିବସେନା ନେତା ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାଓ୍ବାର ପ୍ରମୁଖ ଯୋଗଦେବା ଆଶା ରହିଛି । ଏହି ସମାବେଶରେ ଆସନ୍ତା ଲୋକସଭା ନିର୍ବାଚନରେ ଏକତ୍ର ଲଢେଇ କରିବା ଲାଗି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସମ୍ଭାବନା ରହିଛି ।