ବିରୋଧୀ ମାନିଲେ: ନବୀନଙ୍କ ଲୋକପ୍ରିୟତା ଆଗରେ ସବୁ ତୁଚ୍ଛ

ଭୁବନେଶ୍ବର: ନବୀନ କ୍ରେଜରେ ବିରୋଧୀ ଫ୍ଲାଟ୍ । ନବୀନଙ୍କ ବିକଳ୍ପ କିଏ ? କିଏ ହେବ ଦଳ ନମ୍ବର ଟୁ ? ପଞ୍ଚାୟତ ନିର୍ବାଚନରେ ପ୍ରତ୍ୟାଖ୍ୟାନ ପରେ ବିରୋଧୀଙ୍କ ଶିବିରରେ ଏବେ ଏଇ ଗୋଟିଏ ଚର୍ଚ୍ଚା ଓ ନେତୃତ୍ବକୁ ନେଇ ଟଣାଓଟରା । ନବୀନଙ୍କ ଲୋକପ୍ରିୟତା ଆଗରେ ସବୁ ତୁଚ୍ଛ ଏକଥା ମୁଖ୍ୟ ବିରୋଧୀ ବିଜେପି ମଧ୍ୟ ସ୍ବୀକାର କରି ସାରିଛି । ବିଜେପି ଉପନେତା ବିଷ୍ଣୁ ସେଠୀ ନବୀନ ମାନିଆ ପାଇଁ ଦଳ ହାରିଥିବା କଥା ସ୍ବୀକାର କରିଛନ୍ତି । ସେହିପରି ଦଳୀୟ ଅନ୍ତର୍ଦ୍ବନ୍ଦ୍ବ ଓ ରଣନୀତି ଅଭାବ ଯୋଗୁଁ କଂଗ୍ରେସ ପରାଜିତ ହେଲା ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପୌର ନିର୍ବାଚନର ମତାଦାନ ପୂର୍ବରୁ ବିରୋଧୀ ଦଳର ମଙ୍ଗୁଆଳଙ୍କ ନିରାଶ ବୟାନ ଶାସକ ବିଜେଡିକୁ କରିଛି ଅଧିକ ଉତ୍ସାହିତ । ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଜେଡିକୁ ବିଜୟ ଟୀକା ପିନ୍ଧାଉଛି ବୋଲି କହିଛି ଶାସକ ଦଳ ।

ପଞ୍ଚାୟତରେ ଲୋକଙ୍କ ଦ୍ବାରା ଝଟକା ପାଇବା ପରେ ହତାଶ ବିରୋଧୀ । ଏବେ ବି ଚାଲିଛି ପରାଜୟର ପୋଷ୍ଟମର୍ଟମ । କାହିଁକି ବାରମ୍ବାର ରାଜ୍ୟବାସୀ ଦୁଇ ଜାତୀୟ ଦଳକୁ କରୁଛନ୍ତି ପ୍ରତ୍ୟାଖାନ ସେ ନେଇ ଦଳର ମଙ୍ଗୁଆଳମାନେ କରୁଛନ୍ତି ଆତ୍ମସମୀକ୍ଷା । ଓଡିଶାରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନିଆ । ବିଜେଡିର ସୁଚିନ୍ତିତ ନିର୍ବାଚନ ମ୍ୟାନେଜମେଣ୍ଟ ପାଇଁ ବିଜେପ ହାରୁଥିବା ସ୍ବୀକାର କରିଛନ୍ତି ବିଜେପି ଉପନେତା ବିଷ୍ଣୁ ସେଠୀ । ବିଜେପିରେ ଏକକ ନେତୃତ୍ବର ଆବଶ୍ୟକ ଅଛି ବୋଲି ସେ କହିଛନ୍ତି । ସେହିପରି ସବୁ ନିର୍ବାଚନରେ ଲଗାତର କଂଗ୍ରେସର ଶୋଚନୀୟ ପରାଜୟର କାରଣ ପିସିସି ସଭାପତି ସମ୍ପାଦକୀୟ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି । କଂଗ୍ରେସ ଦଳରେ ଅନ୍ତଃକନ୍ଦଳ ଓ ରଣନୀତିର ଅଭାବ ପରାଜୟର କାରଣ ବୋଲି ନିରଞ୍ଜନ ନିଜ ଲେଖାରେ ଉଲ୍ଲେଖ କରିଛନ୍ତି । ଏହାସହ ରାଜ୍ୟ ବିଜେପିକୁ ମଧ୍ୟ ନିଜର ଲେଖାରେ ଟାର୍ଗେଟ କରିଛନ୍ତି ପିସିସି ସଭାପତି ।

ଏପଟେ ବିରୋଧୀଙ୍କ ହତାଶ ପ୍ରତିକ୍ରିୟା ଶୁଣି ଶାସକ ଦଳର ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି । ଦୁଇ ଜାତୀୟ ଦଳର ହେଭିୱେଟ ନେତାଙ୍କ ବୟାନ ଶାସକ ବିଜେଡିକୁ ବେଶ ସୁହାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ସ୍ବଚ୍ଛ ଶାସନ ରାଜ୍ୟବାସୀଙ୍କ ପାଇଁ ପାଲଟିଛି ପ୍ରଥମ ପସନ୍ଦ । ବିଶେଷ କରି ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଜୁ ଜନତା ଦଳ ଏକାଧିକ ଜନ କଲ୍ୟାଣ ଯୋଜନା ହାତକୁ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଜନକଲ୍ୟାଣ ଯୋଜନା ଦଳକୁ ସଫଳତା ଦେଇଥିବା କହିଛି ବିଜେଡି ।

ପଞ୍ଚାୟତ ଫଳାଫଳ ପୌରରେ ପ୍ରତିଫଳିତ ହେବ ବୋଲି ଶାସକ ଦଳ କହୁଛି । ଆଉ ଠିକ ଏହି ସମୟରେ ବିରୋଧୀ ଶିବିରରେ ବିକଳ୍ପ ଚିନ୍ତା ଓ ନବୀନ ମାନିଆ ପ୍ରସଙ୍ଗ ଉଠିବା ଶାସକ ଦଳକୁ ପୌର ଦଖଲ ସହଜ କରିବ ନିଶ୍ଚୟ ।