ସମ୍ବିଧାନର ସୁରକ୍ଷା ଲାଗି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଆହ୍ବାନ
ନୂଆଦିଲ୍ଲୀ: ଲୋକସଭାରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ଏମଏସପି, ଆଦାନୀ, ସମ୍ଭଲ, ହାଥରସ ପ୍ରସଙ୍ଗରେ କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସେପଟେ ୱାୟନାଡ ପ୍ରତି କେନ୍ଦ୍ର ସରକାର ସହାୟତା ଦେଉ ନଥିବା ପ୍ରତିବାଦରେ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ କରାଯାଇଛି ନାରାବାଜି ।
ଚାଲିଛି ବିରାର ଧାରାର ଲଢେଇ । ବିଚାରଧାରାର ସମାହାର ହେଉଛି ସମ୍ବିଧାନ । ଦେଶବାସୀଙ୍କ ସାମ୍ବିଧାନିକ ଅଧିକାର ଛଡ଼ାଇ ନିଆଯାଉଛି । ସମ୍ବିଧାନ ଉପରେ ୨୪ ଘଣ୍ଟା ଆକ୍ରମଣ ଚାଲିଛି । ଏପରି କହି କେନ୍ଦ୍ରକୁ ଶାଣିତ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ଲୋକସଭାରେ ରାହୁଲ କହିଛନ୍ତି, କେନ୍ଦ୍ର ସରକାର ଚଳାଇଛନ୍ତି ଆଦାନୀ ପ୍ରୀତି । ଆଦାନୀ ହାତରେ ଟେକି ଦିଆଯାଉଛି ବିମାନବନ୍ଦରଠାରୁ ପ୍ରତିରକ୍ଷା କ୍ଷେତ୍ର । ଦେଶରେ ବାରମ୍ବାର ଘଟି ଚାଲିଛି ପେପର ଲିକ୍ ଘଟଣା । ଏମଏସପି ଦାବି କରୁଥିବା ଚାଷୀଙ୍କ ଉପରେ ହେଉଛି ଲାଠିମାଡ଼ । ହାଥରସ ଓ ସମ୍ଭଲ ପ୍ରସଙ୍ଗରେ ବି କରିଥିଲେ ଗର୍ଜନ ।
ଉଦବୋଧନରେ ଭି.ଡି. ସଭରକରଙ୍କୁ ବି ଟାର୍ଗେଟ କରିଥିଲେ ରାହୁଲ । ସମ୍ବିଧାନ ବଦଳରେ ମନୁସ୍ମୃତିକୁ କାର୍ଯ୍ୟକାରୀ କରିବା ଲାଗି ସଭରକର ଚାହିଁଥିଲେ । ସେ ବ୍ରିଟିଶ ସହ ସାଲିସ କରିଥିଲେ ବୋଲି କହିଥିଲେ ରାହୁଲ । ସେପଟେ ରାହୁଲଙ୍କ ମନ୍ତବ୍ଯକୁ ବିରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ସଭରକରଙ୍କୁ ଇନ୍ଦିରା ଗାନ୍ଧି କରିଥିବା ପ୍ରଶଂସାର ପ୍ରମାଣପତ୍ର ଉପସ୍ଥାପିତ କରିଥିଲେ ରିଜିଜୁ । ଏହାସହ ରାହୁଲଙ୍କ ସମ୍ବିଧାନ ସମ୍ପର୍କିତ ବିବୃତିକୁ ସେ କରିଥିଲେ କଡା ସମାଲୋଚନା ।
ସେପଟେ ୱାୟନାଡକୁ କେନ୍ଦ୍ର ସରକାରଙ୍କ ଆଡ଼ ଆଖିକୁ ବିରୋଧ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ ସାଂସଦମାନେ ପାର୍ଲାମେଣ୍ଟ ବାହାରେ ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । ଗତ ଜୁଲାଇ ୩୦ରେ ପ୍ରକୃତିର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପ୍ରାଣ ହରାଇଥିଲେ ୨୩୦ରୁ ଅଧିକ ଲୋକ । ବର୍ତ୍ତମାନ ସୁଦ୍ଧା ୱାୟନାଡବାସୀଙ୍କୁ ସହାୟତା ମିଳି ନଥିବାରୁ ତାତିଥିଲେ ବିରୋଧୀ । ପ୍ରଦର୍ଶନରେ ସାମିଲ ହୋଇଥିଲେ କଂଗ୍ରେସ ସାଂସଦ କେ.ସି. ଭେନୁଗୋପାଲଙ୍କ ସମେତ ଅନ୍ଯ ସାଂସଦ ।
ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ଆଜି ଶେଷ ହୋଇଛି ଲୋକସଭାରେ ଆଲୋଚନା । ଆସନ୍ତା ସୋମବାର ଓ ମଙ୍ଗଳବାର ରାଜ୍ଯସଭାରେ ହେବ ଆଲୋଚନା ।