ଆଳୁ ସଙ୍କଟ: ନବୀନଙ୍କ ହସ୍ତକ୍ଷେପ, ମମତାଙ୍କୁ ଲେଖିଲେ ଚିଠି

1 min read

ଭୁବନେଶ୍ବର: ରାଜ୍ୟରେ ଆଳୁ ଦାର ଆକାଶଛୁଆଁ ହୋଇଥିବା ବେଳେ ପଶ୍ଚିମବଙ୍ଗ ଓଡ଼ିଶା ସୀମାରୁ ଆଳୁ ଟ୍ରକ୍ ଫେରାଇ ନେଇଛି । ରାଜ୍ୟ ସରକାର କ’ଣ କରିବେ ଚିନ୍ତା କରୁଥିବା ବେଳେ ସଙ୍କଟମୋଚକ ଭାବେ ଉଭା ହୋଇଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ଆଳୁ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଆଉ ଓଡ଼ିଶାକୁ ଆଳୁ ପଠାଇବାକୁ ଚିଠିରେ ଅନୁରୋଧ କରିଛନ୍ତି ନବୀନ ।

ପଶ୍ଚିମବଙ୍ଗରୁ ପର୍ଯ୍ଯାପ୍ତ ଆଳୁ ଆସୁନଥିବାରୁ ରାଜ୍ଯରେ ଆଳୁର କୃତ୍ରିମ ଅଭାବ ଦେଖାଦେଇଛି । ଫଳରେ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି । ଓଡିଶା-ପଶ୍ଚିମବଙ୍ଗ ସୀମାରେ ୫୦ରୁ ଅଧିକ ଆଳୁ ବୋଝେଇ ଟ୍ରକ ଗତକାଲି ରାତିରୁ ଅଟକି ରହିଛି । ପୂର୍ବରୁ ମଧ୍ଯ ଅନେକ ଥର ଓଡିଶାରେ ଆଳୁ ସଙ୍କଟର ସମାଧାନ ନେଇ ପଶ୍ଚିମବଙ୍ଗ ସହଯୋଗ କରିଛି । ଦୁଇ ରାଜ୍ଯ ମଧ୍ଯରେ ସାଂସ୍କୃତିକୁ ସମ୍ପର୍କ ଥିବା ବେଳେ ଦୁଇ ରାଜ୍ଯର ବିସିନ୍ଦା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ । ଏହି ଦୃଷ୍ଟରୁ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି । ରାଜ୍ଯବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଡିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତାଙ୍କୁ ଅପିଲ କରିଛନ୍ତି ନବୀନ ।

ବିରୋଧୀ ଦଳ ନେତା ମମତାଙ୍କୁ ଚିଠି ଲେଖିବା ରାଜ୍ଯବାସୀଙ୍କ ପ୍ରତି ତାଙ୍କ ପ୍ରତିଶୃତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା । ରାଜ୍ଯବାସୀଙ୍କ ପାଇଁ ଯେବେ ବି କିଛି ସମସ୍ୟା ଆସୁଥିଲା, ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ନିଜ ବ୍ୟକ୍ତିଗତ ସମ୍ପର୍କ ଆଧାରରେ ଅନ୍ୟ ରାଜ୍ୟ ସହ ଆଲୋଚନା କରୁଥିଲେ । ହେଲେ ବର୍ତ୍ତମାନର ସରକାରଙ୍କ ନିଘା ନାହିଁ ।