ବିଗିଡ଼ି ଗଲାଣି ଇକୋ ସିଷ୍ଟମ, ସରକାର ଚୁପ: ସବୁ ବର୍ଗର ଲୋକ ଏକାଠି ହୋଇ ଲଢ଼େଇ କରିବାକୁ ଆହ୍ବାନ

ନନ୍ଦିଘୋଷ ବ୍ୟୁରୋ: ମହାନଦୀ ଶୁଖିଲା ପଡିଛି । ଚାଷ ଉଜୁଡି ଯାଉଛି । ଲୋକେ ପିଇବାକୁ ପାଣି ପାଉ ନାହାଁନ୍ତି । ଦୟା ନଦୀ ଦୂଷିତ । ଏହାର ପାଣି ବ୍ୟବହାର କରି ଲୋକେ ମରୁଛନ୍ତି । ଇକୋ ସିଷ୍ଟମ ନଷ୍ଟ ହେଉଛି । ହେଲେ ସରକାର ଚୁପ ବୋଲି ଅଭିଯୋଗ କରିଛନ୍ତି ବିଭିନ୍ନ ଜନସଂଗଠନ । ଯାହା ବିରୋଧରେ ଓଡ଼ିଶାରେ ଏକାଠି ହୋଇଛନ୍ତି ରାଜନୈତିକ ଦଳ ସମେତ ଜନ ସଂଗଠନ ଓ ବୁଦ୍ଧିଜୀବୀ । ସରକାରଙ୍କ ଏଭଳି ନୀତି ବିରୋଧରେ ରାଜ୍ୟର ସବୁ ବର୍ଗର ଲୋକେ ଏକାଠି ହୋଇ ଲଢେଇ କରିବାକୁ ଦେଇଛନ୍ତି ଡାକରା ।
ରାଜନୈତିକ ଦଳ ଠାରୁ ଆରମ୍ଭ କରି ଜନ ସଂଗଠନ । କୃଷକ ନେତାଙ୍କଠୁ ଆରମ୍ଭ କରି ଜଳ ପାଇଁ ସଂଗ୍ରାମ କରୁଥିବା ସଂଗଠନ । ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ । ସମସ୍ତେ ଗୋଟିଏ ମଞ୍ଚରେ । ରାଜ୍ୟ ସରକାର ରାଜ୍ୟର ନଦୀ, ଜଳ ଓ ପ୍ରାକୃତିକ ସମ୍ପଦଗୁଡିକ ପ୍ରତି କରୁଥିବା ଅନ୍ୟାୟ ଓ ଶୋଷଣ ପ୍ରତିବାଦ ପାଇଁ ସମସ୍ତେ ନେଇଛନ୍ତି ସଂକଳ୍ପ । ଏଥିରେ ପରିବେଶବିତ ମେଧା ପାଟକର ମଧ୍ୟ ହେଲେ ସାମିଲ । ସରକାରଙ୍କ ବିରୋଧରେ ଲଢେଇ ପାଇଁ ପ୍ରସ୍ତୁତ ହୋଇଛି ରଣନୀତି । ସେପଟେ ମହାନଦୀ ବଞ୍ଚାଅ ଆନ୍ଦୋଳନର କହିବା କଥା ଓଡିଶା ଆଜି ସଂକଟରେ । ଓଡିଶାର ନଦନଦୀ, ଜଳ, ଆଦିବାସୀ ସମସ୍ତେ ସଙ୍କଟରେ । ରାଜ୍ୟର ପ୍ରାକୃତିକ ବିଭବ ହରିଲୁଟ ହେଉଛି । ତେଣୁ ସମସ୍ତଙ୍କୁ ଏକାଠି କରିବାକୁ ମେଧା ପାଟକରଙ୍କ ଉପସ୍ଥିତିରେ ଉଦ୍ୟମ ହୋଇଛି । ସମସ୍ତେ ଏକାଠି ହୋଇ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ବର୍ତ୍ତମାନ ରାଜ୍ୟ ସରକାରଙ୍କ ନୀତି ବିରୋଧରେ ବର୍ଷିଛନ୍ତି ପୂର୍ବତନ ଆଇଏଏସ ଅଧିକାରୀ । ସରକାର ଅସ୍ମିତା କଥା କହୁଛନ୍ତି, କିନ୍ତୁ ଅସ୍ତିତ୍ୱ କଥା କହୁ ନାହାନ୍ତି । ସରକାରଙ୍କ ବର୍ତ୍ତମାନ ଆଭିମୁଖ୍ୟକୁ ସମର୍ଥନ କରିହେବ ନାହିଁ । ସରକାର ଲୋକଙ୍କର ଆବଶ୍ୟକତାକୁ ପ୍ରାଥମିକତା ଦେବା କଥା । ଲୋକଙ୍କ ସ୍ୱରକୁ ଶୁଣିବା ଓ ସୁରକ୍ଷା ଦେବା କଥା । ବିକାଶ ନାଁରେ ଲୋକଙ୍କୁ ଭ୍ରମିତ କରାଯାଉଛି ବୋଲି ବଡ଼ ଅଭିଯୋଗ ଆଣିଛନ୍ତି ପରିବେଶବିତ ମେଧା ପାଟକର । ଓଡ଼ିଶାର ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଉଦ୍ୟମ କରୁଥିବାର ବଡ଼ ଅଭିଯୋଗ ଆଣିଛି ଲୋକଶକ୍ତି ଅଭିଯାନ । ଆଗକୁ ଏକାଠି ହୋଇ ଆନ୍ଦୋଳନକୁ ମଜଭୁତ କରାଯିବା ସହ ଜନ ଆନ୍ଦୋଳନ କରାଯିବ ।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟର ଖଣି, ପାଣି, ଜଙ୍ଗଲ ଓ ଆଦିବାସୀ ମାନେ ସଂକଟରେ ଥିବା ଅଭିଯୋଗ ହେବା ସହ ସେମାନଙ୍କ ଉପରେ ଅତ୍ୟାଚାର ସାମ୍ନାକୁ ଆସୁଛି । ପଡୋଶୀ ରାଜ୍ୟଗୁଡିକ ମଧ୍ୟ ଓଡିଶା ଉପରେ ଆକ୍ରମଣକୁ ଶାଣିତ କରିଛନ୍ତି । ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାର କିଭଳି ମ୍ୟାନେଜ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।