ଆଦାନୀ ଗ୍ରୁପର ନିଷ୍ପତ୍ତି ପରେ ସଂସଦରେ ହଙ୍ଗାମା

ନୂଆଦିଲ୍ଲୀ : ଦେଶର ଅ୍ୟତମ ପ୍ରମୁଖ ଶିଳ୍ପପତି ଗୌତମ ଆଦାନୀଙ୍କ ସାମ୍ରାଜ୍ୟ ତାସ୍ ଘର ପରି ଭୁଷୁଡ଼ିବାରେ ଲାଗିଛି । ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନବର୍ଗର ରିପୋର୍ଟ ପରଠାରୁ ଆଦାନୀ ଗ୍ରୁପକୁ ୧୦୦ ବିଲିୟନ୍ ଡଲାରର କ୍ଷତି ସହିବାକୁ ପଡ଼ିଲାଣି । ଆଦାନୀଙ୍କ ସଂପତ୍ତିର ୫୩ ପ୍ରତିଶତ ମାର୍କେଟ କ୍ୟାପିଟାଲ୍ ହ୍ରାସ ପାଇଥିବା ବେଳେ ୩ ବର୍ଷ ତଳକୁ ଖସିଆସିଛି କଂପାନୀର ସେୟାର ମୂଲ୍ୟ ।

ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟ, ଆଦାନୀ ଗ୍ରୀନ, ଆଦାନୀ ପାଓ୍ବାର, ଆଦାନୀ ଓ୍ବିଲମର, ଆଦାନୀ ଟ୍ରାନସମିସନ୍ ପ୍ରଭୃତି ସେୟାରରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିଛି । କଂପାନୀ ବେଆଇନ୍ ଓ ଅନୈତିକ ଉପାୟରେ ନିଜର ସଂପତ୍ତି ବଢ଼ାଇଥିବା ହିଣ୍ଡେନବର୍ଗ ରିପୋର୍ଟରେ ପ୍ରକାଶ କରିଥିଲା । ଆଦାନୀଙ୍କ ପରିବାରର ଏକାଧିକ ସଦସ୍ୟ କଂପାନୀର ପରିଚାଳନାରେ ନିୟୋଜିତ ଥିବା ବେଳେ ବହୁ ଛୋଟ ଛୋଟ ସଂସ୍ଥାକୁ ହଜାର ହଜାର କୋଟି ଟଙ୍କାର ଅଡିଟ୍ ପାଇଁ ନିୟୋଜିତ କରାଯାଇଥିଲା । ଏ ଅଡିଟ୍ ସଂସ୍ଥା ଗୁଡିକର ଓ୍ବେବସାଇଟ୍ ନଥିବା କଂପାନୀ ଦର୍ଶାଇଥିଲା ।

କଂପାନୀର ସ୍ବଚ୍ଛତା ପ୍ରତିପାଦିତ କରିବାକୁ ୮୮ଟି ପ୍ରଶ୍ନ କରିଥିଲା ଆମେରିକୀୟ ସଂସ୍ଥା । ୪୩୦ ପୃଷ୍ଠାର ଉତ୍ତର ଆଦାନୀ ଗ୍ରୁପ୍ ପକ୍ଷରୁ ଦିଆଯାଇଥିଲେ ବି ଏହା ନିବେଶକଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଆମେରିକୀୟ ସର୍ଟ ସେଲର ଲଗାତର କଂପାନୀରୁ ଟଙ୍କା କାଢୁଛନ୍ତି । ଏପଟେ ଆଦାନୀ ଗ୍ରୁପ ଉପରେ ନଜର ରଖିବାକୁ ଆରବିଆଇକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।