ଯୋଗାଣ ମନ୍ତ୍ରୀଙ୍କ ବେଫିକର ବୟାନକୁ ବିରୋଧୀଙ୍କ କଡ଼ା ସମାଲୋଚନା
ଭୁବନେଶ୍ବର : ଫସଲ ଉଜୁଡ଼ି ଯାଇଛି। ଚାଷୀ ଜୀବନ ହାରିଛି।ହେଲେ ଯୋଗାଣ ମନ୍ତ୍ରୀ କହୁଛନ୍ତି ଚାଷୀର ହୋଇଛି ସ୍ବାଭାବିକ ମୃତ୍ୟୁ। ଯାହାକୁ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ। ସରକାର ବୀମା ଆଧାରରେ କ୍ଷତିପୂରଣ ଦେବା ଦୁଃଖଦାୟକ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ଦିଶାରୀ। ସବୁ ଚାଷୀ ବୀମା କରିନାହାଁନ୍ତି। ଚାଷୀ ଆତ୍ମହତ୍ୟା କଲେଣି। ଏଯାଏ ସରକାର ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉନାହାନ୍ତି।ଏହାକୁ ନେଇ ଚାଷୀ ଆଶଙ୍କାରେ।ଏପରି ସ୍ଥିତିରେ ମନ୍ତ୍ରୀଙ୍କ ବେଫିକର ବୟାନ ଦୁଭାର୍ଗ୍ୟଜନକ। ବିଜେପି କହୁଛି ନବୀନ ବାବୁ କିଛି କରିନାହାଁନ୍ତି। ଯଦି କୃଷି ପାଇଁ କିଛି କରିନାହାଁନ୍ତି କେନ୍ଦ୍ର ସରକାର କିପରି କୃଷି କର୍ମଣ ପୁରସ୍କାର ଦେଲେ।ନବୀନ ବାବୁଙ୍କ ଗସ୍ତ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ତରବରିଆ ଭାବେ ଗ୍ରାଉଣ୍ଡ ଜିରୋକୁ ଗଲେ। ସରକାର ଦଳ ଏବେ ଭୟଭୀତ। ଅନ୍ୟପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଜିଲ୍ଲାଗସ୍ତକୁ ସମାଲୋଚନା କରିଛନ୍ତି। ଯୋଗାଣ ମନ୍ତ୍ରୀ ଜିଲ୍ଲାଗସ୍ତ କଲେ, ହେଲେ ଜୀବନ ହାରିଥିବା ଚାଷୀ ପରିବାର ପାଖରେ ପହଞ୍ଚିପାରିଲେନି। ବିଜେପି ସରକାର ଚାଷୀ ବିରୋଧୀ ସରକାର ବୋଲି ଅଭିଯୋଗ କରିଛି କଂଗ୍ରେସ। ଚାରିଆଡ଼ୁ ବିରୋଧ ପରେ ଏବେ ସ୍ଵର ବଦଳାଇଛନ୍ତି ଯୋଗାଣ ମନ୍ତ୍ରୀ ।
ସେପଟେ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଦେଇଛନ୍ତି କଡା ଜବାବ। ବୀମା କମ୍ପାନୀ ସହ ବୈଠକ ସରକାର କରିଛନ୍ତି କି ? ୬ ଟି ଜୋନ୍ ପାଇଁ ବୀମା କମ୍ପାନୀ ଅଛନ୍ତି।କେଉଁ ଜୋନ୍ ପାଇଁ କେଉଁ ବୀମା କମ୍ପାନୀ ନିଯୁକ୍ତ ହୋଇଛନ୍ତି କୁହନ୍ତୁ ? କ୍ଵିଣ୍ଟାଲ ପିଛା ଚାଷୀଙ୍କୁ ୩୧୦୦ ଟଙ୍କା କେବେ ଦେବେ ଘୋଷଣା କରନ୍ତୁ। ଧାନ ସଂଗ୍ରହ ଧିମେଇ ଯାଇଛି। ଏହାର ପ୍ରଭାବ ରବିଋତୁରେ ପଡ଼ିବ। ରାଜନୀତି ନକରି ଚାଷୀଙ୍କ କଥା ସରକାର ବୁଝନ୍ତୁ ବୋଲି କହିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଜବାବରେ ରାଜସ୍ଵ ମନ୍ତ୍ରୀ କହିଛନ୍ତି ଚାଷୀଙ୍କୁ ଠକି ପାରିବେନି ବୀମା କମ୍ପାନୀ । ରାଜ୍ୟରେ ଚାଷୀ ଦୁଃଖରେ ଥିବାବେଳେ ବିଜେଡ଼ି ଚାଷୀଙ୍କ ସ୍ବର ସାଜି ସରକାରଙ୍କ ସହ ଲଢୁଛି। ବିରୋଧୀ ଦଳ ନେତା ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କ ଦୁଃଖ ବୁଝିବା ପରେ ଉଷ୍ମ ହୋଇଛି ରାଜନୀତି।