ଖର୍ଚ୍ଚ ହୋଇପାରୁନି ବିଭିନ୍ନ ସରକାରୀ ଯୋଜନାର ଅର୍ଥ, ଆଗଉନି ଯୋଜନା ହେଉନି କାମ

ନନ୍ଦିଘୋଷ ବ୍ୟୁରୋ: ଖର୍ଚ୍ଚ ହୋଇପାରୁନି ବିଭିନ୍ନ ସରକାରୀ ଯୋଜନାର ଅର୍ଥ । ଯୋଜନା ଆଗଉନି କି କାମ ବି ହେଉନି । ଖୋଦ ସରକାରଙ୍କ ସମୀକ୍ଷାରୁ ଆସିଛି ଏଭଳି ସାଙ୍ଘାତିକ ତଥ୍ୟ । କିଛି ବିଭାଗର ୨ ପ୍ରତିଶତ ବି ଅର୍ଥ ଖର୍ଚ୍ଚ ହୋଇନାହିଁ । ଏଭଳି ସ୍ଥିତିକୁ ନେଇ ବିଭିନ୍ନ ବିଭାଗକୁ ତାଗିଦ କରାଯାଇଛି । ସେପଟେ ରାଜ୍ୟରେ ସବୁ ଠପ ହୋଇପଡିବା ଓ ବିଭାଗକୁ ଏଭଳି ନିର୍ଦ୍ଦେଶ ଦିଆଯିବା ପରେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ । ସରକାରଙ୍କ ସ୍ଥାଣୁତା ଉପରେ ପ୍ରଶ୍ନ ଉଠାଇଛନ୍ତି ଗଣ ସଂଗଠନ ଓ ପୂର୍ବତନ ପ୍ରଶାସକ ।
ଅଗଷ୍ଟ ୧୨ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚ ୧୬.୧ ପ୍ରତିଶତ । କ୍ରୀଡା ଯୁବ ସେବା ବିଭାଗରେ ଜୁଲାଇ ୩୧ ସୁଦ୍ଧା ୧୧୨୦ କୋଟି ଖର୍ଚ୍ଚ ବ୍ୟବସ୍ଥା ମଧ୍ୟରୁ ଖର୍ଚ୍ଚ ହୋଇଛି ମାତ୍ର ୧.୭୬ ପ୍ରତିଶତ । ଏ ହେଉଛି କେବଳ ଦୁଇଟି ଉଦାହରଣ ମାତ୍ର । ରାଜ୍ୟରେ ଶାସନ ବ୍ୟବସ୍ଥା କିଭଳି ଚାଲିଛି ତାହା ଏହି ଦୁଇଟି ବିଭାଗର ଖର୍ଚ୍ଚକୁ ଦେଖିଲେ ସ୍ପଷ୍ଟ ହେଉଛି । ସରକାରଙ୍କ ବିଭିନ୍ନ ବିଭାଗର ସ୍କିମ ଓ ପ୍ରୋଗ୍ରାମର ଅର୍ଥ ଖର୍ଚ୍ଚ ନ ହୋଇ ପଡି ରହିଛି । ଯାହାକୁ ନେଇ ଖୋଦ ବିଭାଗ ଗୁଡିକୁ ତାଗିଦ କରାଯାଇଛି । ବିଭାଗ ଗୁଡିକର ପ୍ରମୁଖ ସ୍କିମର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କେନ୍ଦ୍ରୀୟ ଭାଗ କିଭଳି ମିଳିବ ସେଥିପାଇଁ ସମନ୍ୱୟ ରକ୍ଷା ପାଇଁ ମଧ୍ୟ କୁହାଯାଇଛି । ଏପରିକି କ୍ରୀଡା ଯୁବ ସେବା ବିଭାଗକୁ କେଉଁ ଭିତ୍ତିଭୂମି ପ୍ରକଳ୍ପରେ ଖର୍ଚ୍ଚ କରିହେବ ସେ ନେଇ ତଦାରଖ କରିବାକୁ ତାଗିଦ କରାଯାଇଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ କାମ ସବୁ ଠପ ହୋଇଯାଇଛି ବୋଲି ଯେଉଁ ଅଭିଯୋଗ ହେଉଛି ତାର ସତ୍ୟକୁ ସରକାରଙ୍କ ଏହି ତଥ୍ୟ ପର୍ଦ୍ଦାଫାଶ କରିଛି । ସେପଟେ ଏହାକୁ ନେଇ ପ୍ରମୁଖ ରାଜନୈତିକ ଦଳ ଓ ଗଣ ସଂଗଠନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ଓ କଂଗ୍ରେସ । ସେପଟେ ସିଟିଜେନ୍ସ ଫୋରମର କହିବା କଥା ବର୍ଷେ ଶାସନ ମଧ୍ୟରେ ସବୁ ଜଣାପଡିଗଲା । ଏବେ ଅର୍ଥ ଖର୍ଚ୍ଚ କରି ବିକାଶ କର ନଚେତ ଗାଦି ଛାଡ଼ ବୋଲି ଦାବି କରିଛି ଫୋରମ ।
ସେପଟେ ପୂର୍ବତନ ପ୍ରଶାସକମାନେ ମଧ୍ୟ ସରକାରଙ୍କ କାର୍ଯ୍ୟ କରିବା ଶୈଳୀ ଓ କାର୍ଯ୍ୟର ମନ୍ଥରତା ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ପ୍ରଗତିମୂଳକ କାର୍ଯ୍ୟ ଠପ ଓ ଅର୍ଥ ଖର୍ଚ୍ଚ ନ ହେବାର କାରଣ ହେଉଛି ସହଯୋଗ ଓ ସମନ୍ୱୟ ଅଭାବ । ଏପରିକି ଯାହା କାର୍ଯ୍ୟ ହେଉଛି ୟୁସି ଦିଆଯାଇ ନଥିବାରୁ କାର୍ଯ୍ୟ ଆଗେଇ ପାରୁନି । ମନ୍ତ୍ରୀମାନେ ଏ ନେଇ ତତ୍ପର ହେବାକୁ କୁହାଯାଇଛି । ସେପଟେ ଶାସକ ଦଳର କହିବା କଥା ବିଭାଗ କାର୍ଯ୍ୟ ସଠିକ ଢଙ୍ଗରେ ହେଉଛି ।
ରାଜ୍ୟରେ ବିଜେପି ସରକାର ଆସିବା ପରେ ବିକାଶ ମୂଳକ କାର୍ଯ୍ୟ ଠପ ହୋଇଥିବା ଅଭିଯୋଗ ହୋଇ ଆସୁଛି । ଏବେ ଖୋଦ ବିଭାଗ ଗୁଡିକର ଚିତ୍ର ଆସିବା ପରେ ଏ କଥା ସ୍ପଷ୍ଟ ହେଉଥିବା ଚର୍ଚ୍ଚା ହେଉଛି ।