ଓଟିଇଟି ପ୍ରଶ୍ନପତ୍ର ମାମଲାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ରକ୍ଷକ ସାଜୁଛି ଭକ୍ଷକ । ଓଟିଇଟି ପ୍ରଶ୍ନପତ୍ର ମାମଲାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ସରକାରଙ୍କୁ ମନେପକାଇ ଦେଇ ବିଜେଡି କହିଛି, ପୂର୍ବରୁ ସରକାର ଘୋଷଣା କରିଥିଲେ ପ୍ରଶ୍ନପତ୍ର ପ୍ରଘଟ ହେଲେ କୋଟିଏ ଟଙ୍କାର ଜରିମାନା ସହ ସଶ୍ରମ କାରାଦଣ୍ଡ ଦିଆଯିବ । ଉପସଭାପତି ନିହାର ମହାନ୍ତିଙ୍କ କାରନାମାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ । ସେପଟେ ଏହି ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି । ହେଲେ ପ୍ରଶ୍ନପତ୍ର ଲିକର ଚେର ପାଖରେ ପହଞ୍ଚିବାର ରହିଛି ଆବଶ୍ୟକତା ।
ବୋର୍ଡର ଉପସଭାପତିଙ୍କ ପାସଓ୍ବାର୍ଡ କେମିତି ପାଇଲେ ଅଭିଯୁକ୍ତ ଶିକ୍ଷକ ? କେମିତି ଲିକ୍ ହେଲା ଓଟିଇଟି ପ୍ରଶ୍ନପତ୍ର । ଏସବୁ ଗୋଲକଧନ୍ଦା ଭିତରେ କିଏ ? ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଆଜି ଆଉ ଜଣେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀଙ୍କ ଦାବି କାହାରିକୁ ଛଡ଼ାଯିବ ନାହିଁ । ଇଂରାଜୀ ପ୍ରଶ୍ନପତ୍ରକୁ ଓଡ଼ିଆରେ ଅନୁବାଦ କରି ଗିରଫ ହୋଇଛନ୍ତି କଳାହାଣ୍ଡିର ଶିକ୍ଷକ ପ୍ରଶାନ୍ତ ଖମାରୀ । ପ୍ରଶାନ୍ତ ଓଡ଼ିଆ ଅନୁବାଦ କରିବା ପରେ ଏହାକୁ ହାତରେ ଲେଖି ଅନ୍ୟ ଜଣେ ଅଭିଯୁକ୍ତ ବିଜୟ ମିଶ୍ରଙ୍କୁ ପଠାଇବା ସହ ୯୯ ହଜାର ଟଙ୍କା ଅନଲାଇନରେ ପଠାଇଥିଲେ । ପ୍ରଶାନ୍ତକୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ବେଳେ, ବୋର୍ଡର ସମସ୍ତ କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି ।
ସରକାରଙ୍କ ଏପରି ଅକ୍ଷମଣୀୟ ତ୍ରୁଟିକୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ବୋର୍ଡର ଉପସଭାପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରାଶାସନିକ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଉପସଭାପତି ନିହାର ମହାନ୍ତିଙ୍କ ଲାପଟପକୁ ପ୍ରଶ୍ନପତ୍ର କିପରି ଆସିଲା ? ରାଜ୍ୟର ବିଭିନ୍ନ ପରୀକ୍ଷାର ଦାୟିତ୍ବ ନେଇଥିବା ଚାରୁ ମାଇଣ୍ଡ ସଂସ୍ଥା ଲଜିଷ୍ଟିକ ଓ ବିଭିନ୍ନ ସରକାରୀ ପରୀକ୍ଷା ପରିଚାଳନା କରିଥାଏ । ଏହି ସଂସ୍ଥା ନିହାର ମହାନ୍ତିଙ୍କ ପୁଅ ଓ ବୋହୂଙ୍କର ବୋଲି ଚର୍ଚ୍ଚା ହେଉଛି । ଯଦି ଏହା ସତ ହୋଇଥାଏ ତା’ହେଲେ ସାଂଘାତିକ । ତଦନ୍ତ ପରିସର ହୋଇଥିବା ଅଧିକାରୀଙ୍କୁ ସରକାର ତୁରନ୍ତ କାମରୁ ଅପସାରଣ କରନ୍ତୁ ବୋଲି ବିଜୟ ଦାବି କରିଛନ୍ତି । କଂଗ୍ରେସ ଓ ବିଜେଡି ମଧ୍ୟ ଏହି ମାମଲାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ହେଲେ କୋଟିଏ ଟଙ୍କାର ଜରିମାନା ସହ ସଶ୍ରମ କରାଦଣ୍ଡ କଥା ସରକାର କହୁଥିବା ବେଳେ, କାର୍ଯ୍ୟାନୁଷ୍ଠାନ କାହିଁ ବୋଲି ବିଜେଡି ପ୍ରଶ୍ନ କରିଛି ।
ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ ବା ଓଟିଇଟି ପରୀକ୍ଷାରେ ବିଫଳ ହେଲେ କାର୍ଯ୍ୟରତ ହାଇସ୍କୁଲ ଶିକ୍ଷକମାନେ ଚାକିରି ହରାଇବାର ବ୍ୟବସ୍ଥା ରହିଛି । ଶିକ୍ଷକଙ୍କ ପରୀକ୍ଷାରେ ଏଭଳି ତ୍ରୁଟି ସାଙ୍ଗକୁ ଲକ୍ଷ ଲକ୍ଷ ପିଲାମାନଙ୍କ ପରୀକ୍ଷା କରୁଥିବା ବୋର୍ଡର ଦକ୍ଷତା ଓ ସ୍ବଚ୍ଛତା ଉପରେ ଉଠିଛି ପ୍ରଶ୍ନ ।