ଓମଫେଡକୁ ବିକି ଓଡ଼ିଶାର ଦୁଗ୍ଧ ଚାଷୀଙ୍କୁ ତଳି ତଳାନ୍ତ କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ !

ଭୁବନେଶ୍ବର: ପ୍ରଥମେ ଓମଫେଡ କ୍ଷୀର ପ୍ୟାକେଟକୁ ଗେରୁଆ ରଙ୍ଗ କରି ପରିମାଣ କମାଇବା ସହ ଦର ବଢାଇଲେ । ଆଉ ଏବେ ଚୁକ୍ତି କରି ଏନଡିଡିବି ହାତକୁ ଟେକି ଦେଲେ । ଓଡ଼ିଶାର ଲାଭଜନକ ଦୁଗ୍ଧ ସମବାୟ ସଂସ୍ଥା ଓମଫେଡକୁ ଏଭଳି ସ୍ଥିତିରେ ପହଞ୍ଚାଇବା ପ୍ରସଙ୍ଗକୁ ନେଇ ଓଡିଶା ଦୁଗ୍ଧ ଚାଷୀ ମହାସଂଘ କରିଛି ଜୋରଦାର ବିରୋଧ । ଏହାଦ୍ୱାରା ରାଜ୍ୟର ଦୁଗ୍ଧ ଚାଷୀମାନେ ବ୍ୟାପକ କ୍ଷତିଗ୍ରସ୍ତ ହେବେ ବୋଲି ମହାସଂଘ ଅଭିଯୋଗ କରିଛି । ଏହାସହ ତୁରନ୍ତ ସରକାର ନିଷ୍ପତ୍ତିରୁ ଓହରିବାକୁ ମହାସଂଘ ଦାବି କରିଛି । ସେପଟେ ବିଜେପି ସରକାର ନାଁ ଓ ରଙ୍ଗ ବଦଳା ସହ ଏବେ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଅଭିଯୋଗ କରି ବ୍ୟାପକ ଆନ୍ଦୋଳନର ଚେତାବନୀ ଦେଇଛି ।

ଓଡ଼ିଶାର ଦୁଗ୍ଧ ଚାଷୀ ଓ ଗ୍ରାହକଙ୍କ କ୍ଷୀର ଆବଶ୍ୟକତା ମେଣ୍ଟାଉଥିବା ଓମଫେଡକୁ ନେଇ ଏବେ ବିବାଦ ତୀବ୍ର ହେବାରେ ଲାଗିଛି । ଜାତୀୟ ଡାଏରୀ କଲ୍ୟାଣ ପରିଷଦ ଏନଡିଡିବି ସହ ଓମଫେଡର ଚୁକ୍ତି ଯୋଗୁଁ ରାଜ୍ୟର ଦୁଗ୍ଧ ଚାଷୀଙ୍କର ହେବ ବ୍ୟାପକ କ୍ଷତି । ଶୀଘ୍ର ଏହି ନିଷ୍ପତ୍ତିରୁ ନ ଓହରିଲେ ରାଜ୍ୟବ୍ୟାପୀ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛି ମହାସଂଘ । ପୂର୍ବରୁ ମଧ୍ୟ କର୍ଣ୍ଣାଟକର ବିଜେପି ସରକାର ନନ୍ଦିନୀ ବ୍ରାଣ୍ଡକୁ ଏନଡିଡିବି ହାତରେ ଟେକି ଦେଉଥିଲେ । କିନ୍ତୁ ବ୍ୟାପକ ଚାଷୀ ଆନ୍ଦୋଳନ ପରେ ଏହି ନିଷ୍ପତ୍ତିରୁ ଓହରିଥିଲେ ସରକାର । ଏପିରିକି ମହାରାଷ୍ଟ୍ରର ମହାଆନନ୍ଦ ଡାଏରି କ୍ଷୀର ବ୍ରାଣ୍ଡକୁ ମଧ୍ୟ ଏନଡିଡିବି ହାତରେ ଟେକି ଦେଇଛନ୍ତି । ଏବେ ଓମଫେଡର ପାଳି ପଡିଛି ।

ସେପଟେ ଏନଡିଡିବି ସହ ଓମଫେଡର ଚୁକ୍ତି ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଦୃଢ଼ ନିନ୍ଦା କରିଛି ଓଡିଶା ସିଟିଜେନସ ଫୋରମ । ଓଡ଼ିଶାର ବିକାଶ ଓ ଅଗ୍ରଗତି ପାଇଁ ଲୋକେ ଭୋଟ ଦେଇଥିଲେ । କିନ୍ତୁ ବିଜେପି ସରକାର ରଙ୍ଗ ଓ ନାମ ପରିବର୍ତ୍ତନ ସହ ବିକ୍ରି ଉପରେ ଗୁରୁତ୍ୱ ଦେଉଥିବା ଫୋରମ ପକ୍ଷରୁ ଅଭିଯୋଗ ହୋଇଛି । ବିକ୍ରି ପ୍ରକ୍ରିୟା ଏବେ ଆରମ୍ଭ ହୋଇଯାଇଛି । ଗୋପାଳପୁର ବନ୍ଦର, ଓମଫେଡ, ଏୟାରପୋର୍ଟ ଓ ଆଗକୁ କୋଣାର୍କ ମନ୍ଦିରକୁ ବି ବିକ୍ରି କରିଦେବେ ବୋଲି ଫୋରମ ଆଶଙ୍କା କରିଛି । ଏପିରିକି ସମୁଦ୍ର ପାଣି ବିକ୍ରି ପାଇଁ ମଧ୍ୟ ଡିଲ କରିଦେଇ ଥିବେ ଆଉ ଲୋକେ ଜାଣି ନ ଥିବେ ବୋଲି କଟାକ୍ଷ କରି କହିଛି ଓଡିଶା ସିଟିଜେନସ ଫୋରମ ।

ନିର୍ବାଚନ ବେଳେ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବାକୁ ଇସ୍ତାହାରରେ କୁହିଥିଲା ବିଜେପି, ହେଲେ ଦେଲେନି । ସେହିଭଳି ଭତ୍ତା ୩୫୦୦ ଦେବାକୁ କହି ଓଡ଼ିଶବାସୀଙ୍କୁ ଭୂଆଁ ବୁଲାଇଛି ବିଜେପି । ତେଣୁ ବିଜେପି ସରକାର ସୁଚିନ୍ତିତ ଢଙ୍ଗରେ ଓଡିଶାବାସୀଙ୍କୁ ଠକୁଥିବା ଅଭିଯୋଗ କରିଛନ୍ତି ଉଭୟ ସଙ୍ଗଠନ ।