କଳା ଟଙ୍କାକୁ ଫିଲ୍ମରେ ଲଗାଉଥିଲେ କୁବେର ଅଫିସର ପ୍ରତାପ, ପତ୍ନୀ ସାଜୁଥିଲେ ପ୍ରଯୋଜିକା

ଭୁବନେଶ୍ୱର: ପାପ ସମ୍ପତ୍ତିର ମାଲିକ ପ୍ରତାପଙ୍କ ନୂଆ ଠିକଣା ଏବେ ଝାରପଡ଼ା ଜେଲରେ। ସଂପତ୍ତି ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାରୁ ବନ୍ଧା ହୋଇଛନ୍ତି ଓପିଏଚଡବ୍ଲୁସିର ଉପପ୍ରବନ୍ଧକ ପ୍ରତାପ ସାମଲ। ତେବେ ପ୍ରତାପଙ୍କର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଟଙ୍କା ବିନିଯୋଗ ନେଇ ସୁରାକ ମିଳିଛି। ଯାହାକୁ ନେଇ ଅଧିକ ତନାଘନା ଚଲାଇଛି ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ ଓଡ଼ିଶା ପୋଲିସ ହାଉସିଂ ଓ୍ବେଲଫେୟାର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଫିଲ୍ମ ଲିଙ୍କ ଥିବା ଏବେ ଜଣାପଡିଛି । ପ୍ରତାପ ନିଜ କଳା ଧନରେ ଦୁଇଟି ଓଡ଼ିଆ ସିନେମା ତିଆରି କରିଛନ୍ତି। ଆଉ ଏହି ଦୁଇଟି ସିନେମାରେ ପତ୍ନୀ ସସ୍ମିତା ସାମଲ ପ୍ରଯୋଜିକା ଅଛନ୍ତି। କବଳ ସସ୍ମିତା ନୁହଁନ୍ତି ଗୋଟିଏ ସିନେମାରେ ପ୍ରତାପ ମଧ୍ୟ କାର୍ଯ୍ୟକାରୀ ପ୍ରଯୋଜକ ମଧ୍ଯ ଥିଲେ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ  ପ୍ରତାପକୁ ଗିରଫ କରି ଜେଲ ପଠାଇଛି। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଭିଜିଲାନ୍ସ ମାମଲା ରୁଜୁ କରିଛି । ୩୩ ବର୍ଷର ଚାକିରି କାଳ ମଧ୍ୟରେ ତାଙ୍କର ଆୟ ୧ ହଜାର ୨୧ ଗୁଣା ବୃଦ୍ଧି ପାଇଛି । ସରକାରୀ ଭାବେ ତାଙ୍କ ପାଖରେ ମୋଟ ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି। ଭୁବନେଶ୍ୱର ଓ ଭଦ୍ରକରେ ୩ କୋଟି ୪୧ ଲକ୍ଷ ମୂଲ୍ୟର ୨୫ଟି ପ୍ଲଟ, ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କାର ୫ଟି ଫ୍ଲାଟ ରହିଛି । ପ୍ରତାପଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରାଯାଇଛି। ଯେଉଁଥିରେ ପ୍ରାୟ ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା ରହିଛି। ପ୍ରତାପ ଓ ପରିବାର ଲୋକଙ୍କ ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ୧୫୦ ଟଙ୍କାର ବୀମା ରହିଛି।

Leave a Reply