ନିଲମ୍ବିତ ହେଲେ କୋଟିପତି ଇଞ୍ଜିନିୟରିଂ ପ୍ରତାପ ସାମଲ୍, ୨୦ ବର୍ଷ ତଳେ ବି ହୋଇଥିଲେ ସସପେଣ୍ଡ

1 min read
OPHWC Dy. Manager Pratap Kumar Samal Suspended From Service

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିବା ଓପିଏଚଡବ୍ଲୁସି ଉପ ପ୍ରବନ୍ଧକ ପ୍ରତାପ ସାମଲଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଓପିଏଚଡବ୍ଲୁସି ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ଭିଜିଲାନ୍ସ ଲଗାତାର ୨୨ ଘଣ୍ଟାର ରେଡ୍ ପରେ ପ୍ରତାପଙ୍କ ଆୟ ଠାରୁ ୧୦୨୧ ଗୁଣ ଅଧିକ ସମ୍ପତ୍ତି ଠାବ କରିଥିଲା । ପ୍ରତାପ ଓ ତାଙ୍କ ସମ୍ପର୍କୀୟଙ୍କ ନିକଟରୁ ୧୪ କୋଟିରୁ ସମ୍ପତ୍ତି ମିଳିଥିଲା । ପ୍ରତାପ ପତ୍ନୀଙ୍କ ସହିତ ମିଶି ଦୁଇ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରିଛନ୍ତି ।

ଓଡ଼ିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ଼ ଦୁର୍ନୀତି ଖୋର୍ ଅଧିକାରୀ ପ୍ରତାପ ସାମଲ୍ ପୂର୍ବରୁ ମଧ୍ୟ ନିଲମ୍ବିତ ହୋଇଥିଲେ । ୨୦ ବର୍ଷ ତଳେ ୨୦୦୧ ମସିହା ଜାନୁଆରୀ ୧୬ରେ ଏପିଏମ୍ ଥିବାବେଳେ ନିମ୍ନମାନର କାମ ଓ କାର୍ଯ୍ୟରେ ଅବହେଳା ପାଇଁ ପ୍ରତାପଙ୍କୁ ନିଲମ୍ବନ କରାଯାଇଥିଲା । ସିମୁଳିଆ, ସୋର ସହ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ନିମ୍ନମାନର ବିଶ୍ରାମାଗାର ଓ ପାଇଖାନା ନିର୍ମାଣ କରିଥିଲେ ପ୍ରତାପ ।

୨୦୧୬ ମସିହା ଜୁନ୍ ୮ରେ ପ୍ରତାପ ସାମଲଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଭୁବନେଶ୍ୱର ଡିଭିଜନର ଡେପୁଟି ମ୍ୟାନେଜର ଥିବାବେଳେ ପ୍ରତାପ ଅନଧିକୃତ ଭାବେ ଜାମୁଝରୀ ସ୍ଥିତ ପ୍ରିଜନ ଏକାଡେମୀ ଲେଡିଜ୍ ହଷ୍ଟେଲର ଦ୍ୱିତୀୟ ମହଲା କାମ କରିଥିଲେ । ଏନେଇ ୨୦୧୭ ଜୁଲାଇ ୧୨ ତାରିଖରେ ୧୯୩.୭୬ ଲକ୍ଷଲ ଟଙ୍କା କ୍ଷତି ନେଇ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା ।

ବଲାଙ୍ଗିର-ଭବାନୀପାଟଣା ଡେପୁଟି ମ୍ୟାନେଜର ଥିବାବେଳେ ୨୦୧୭ ଜୁନ୍ ୨୧ରେ ପ୍ରତାପଙ୍କ ଠାରୁ ୨୪ ହଜାର ୮୬୦ ଟଙ୍କା କ୍ଷତିପୂରଣ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା । ୨୦୦୬ ଡିସେମ୍ବରରେ ଭୁବନେଶ୍ୱରରେ ଏପିଏମ୍ ଥିବାବେଳେ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ନେଇ ପ୍ରତାପଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏବେ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିବା ପରେ ବିଭାଗ ତାଙ୍କୁ ନିଲମ୍ବନ କରିଛି ।

Leave a Reply